ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଏଥିରେ ଅନେକ ଦେଶର ବିଶ୍ବନେତା ସାମିଲ ହୋଇଛନ୍ତି । ଏଥିଲାଗି ନବବଧୂ ପରି ସଜେଇ ହୋଇଛି ଦିଲ୍ଲୀ । ଗୋଟିଏ ପଟେ ବିଶ୍ବନେତାଙ୍କ ବୈଠକ ଚାଲିଥିବା ବେଳେ ଏପଟେ ବିଦେଶୀ ଅତିଥିମାନେ ଭ୍ରମଣରେ ବାହାରିଛନ୍ତି । ଶନିବାର ଦିଲ୍ଲୀର ଇତିହାସକୁ ଜାବୁଡ଼ି ଧରିଥିବା ହୁମାୟୁ ଓ ସଫଦରଗଞ୍ଜ ସମାଧୀ ସ୍ଥଳ ବୁଲି ଦେଖିଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ (ASI) ଏକ ଟିମ ବିଦେଶୀ ଅତିଥିଙ୍କୁ ଏହାର ଇତିହାସ ସହିତ ପରିଚିତ କରାଇଛି ।

ତେବେ ଯେଉଁ ସ୍ଥାନରେ ଆଜି ବିଦେଶୀ ଅତିଥିମାନେ ଭ୍ରମଣ ପାଇଁ ଯାଇଛନ୍ତି ସେଠାକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏ ନେଇ ଏଏସଆଇ ଦିଲ୍ଲୀ ସର୍କଲ ଅଧିକାରୀ ପ୍ରବୀଣ ସିଂ କହିଛନ୍ତି, "ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ସଫଦରଗଞ୍ଜ ସମାଧୀ ପୀଠ ଆସିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ କୌଣସି କାମ ଯୋଗୁଁ ସେ ଆସିପାରିଲେ ନାହିଁ । ହେଲେ ତୁର୍କୀର ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ପତ୍ନୀ ଏମିନ ଏର୍ଡୋଗାନ ଓ ଅନ୍ୟ ବିଦେଶୀ ଅତିଥି ହୁମାୟୁ ସମାଧୀ ସ୍ଥଳ ବୁଲି ଦେଖିଛନ୍ତି । ଏହାସହିତ ଜି-୨୦ ସମ୍ମିଳନୀ ଲାଗି ଭାରତ ଆସିଥିବା ୟୁରୋପୀୟ ୟୁନିଅନର ଅତିଥିମାନେ ମଧ୍ୟ ସଫଦରଗଞ୍ଜ ସମାଧୀ ସ୍ଥଳ ବୁଲି ଦେଖିଛନ୍ତି ।"

ଏହା ବି ପଢନ୍ତୁ- G20 Summit Dinner: ଡିନର ଟେବୁଲରେ ଏକାଠି ହେବେ ବିଶ୍ବନେତା, ଜାଣନ୍ତୁ Menuରେ କଣ ରହିଛି
ଏହାସହ ୟୁରୋପିଆନ କାଉନସିଲ ସଭାପତି ଚାର୍ଲସ ମାଇକେଲଙ୍କ ସମେତ ବେଲଜିୟମ ରାଷ୍ଟ୍ରପତି ଲୋଦି ଗାର୍ଡନ, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟ ଫର୍ଣ୍ଣାଣ୍ଡିଜ ହୁମାୟୁ ସମାଧୀ ପୀଠ ପରିଦର୍ଶନ କରିଛନ୍ତି । ତାଙ୍କ ପରେ ନେଦରଲ୍ୟାଣ୍ଡର କିଛି ନାଗରିକ ମଧ୍ୟ ଐତିହାସିକ ହୁମାୟୁ ସମାଧୀ ସ୍ଥଳ ପରିଭ୍ରମଣ କରିଛନ୍ତି । ଏହାପରେ ଅତିଥିମାନେ ପୁରୁଣା କିଲ୍ଲା ଓ ଲାଲକିଲ୍ଲା ମଧ୍ୟ ଯିବେ ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ- G20 Summit: ଭାରତର ବଡ ଉପଲବ୍ଧି, ‘Delhi Declaration’ ଘୋଷଣାପତ୍ରକୁ 100% ସହମତି
ଏହି ୨ଟି ଐତିହାସିକ ସ୍ଥାନ ଭ୍ରମଣ କରିବା ପରେ ବିଦେଶୀ ଅତିଥିମାନେ ଏଏସଆଇର ରେଜଷ୍ଟରରେ ଫିଡବ୍ୟାକ୍ ଦେଇଛନ୍ତି । ଏ ନେଇ ଏଏସଆଇ ଅଧିକାରୀ ପ୍ରବୀଣ ସିଂ କହିଛନ୍ତି ଯେ ବିଦେଶୀ ଅତିଥିମାନେ ଏହାର ଇତିହାସ ଓ ସଂସ୍କୃତି ସମ୍ପର୍କରେ ଜାଣିବା ପରେ ଖୁସିବ୍ୟକ୍ତ କରିଥିଲେ । ଏହି ସମାଧିସ୍ଥଳରେ କାରୁକାର୍ଯ୍ୟ ଓ ଏହା ନିର୍ମାଣ ପଛର ଉଦ୍ଦେଶ୍ୟ କଣ ସେ ସମ୍ପର୍କରେ ଜାଣିବା ପରେ ଖୁସିବ୍ୟକ୍ତ କରିଥିଲେ । ଏହି ସମୟରେ କିପରି ପ୍ରତିବର୍ଷ ଐତିହାସିକ ସ୍ଥଳର ସ୍ଥିତି ଯାଞ୍ଚ କରାଯାଏ, ସେ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଏଏସଆଇ ଅତିଥିଙ୍କୁ ଅବଗତ କରାଇଥିଲା । ଅତିଥିଙ୍କୁ ଏଏସଆଇ ଫୁଲମାଳା ପିନ୍ଧାଇ ସ୍ବାଗତ କରିଥିଲା । ଅନ୍ୟ ଦେଶର ଅତିଥିମାନେ ମଧ୍ୟ ହୁମାୟୁ ଓ ସଫଦରଗଞ୍ଜ ସମାଧୀ ସ୍ଥଳ ବୁଲିବା ଲାଗି ଇଚ୍ଛା ପ୍ରକଟ କରିଥିବା ଏଏସଆଇ ସୂଚନା ଦେଇଛି ।

ଇଟିଭି ଭାରତ, ନୂଆଦିଲ୍ଲୀ