ହାଇଦ୍ରାବାଦ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମୟ ଯେତିକି ପାଖଉଛି, ସମଗ୍ର ଦେଶ ଜୟ ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେଉଛି । ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ସ୍ଥାପିତ ହେବାକୁ ଥିବା ପ୍ରଭୁଙ୍କ ଚରଣ ପାଦୁକା ଦେଶର ବିଭିନ୍ନ ସ୍ଥାନ ପରିକ୍ରମା କରୁଛି । ଦେଶର ପ୍ରମୁଖ ତୀର୍ଥସ୍ଥାନ ପରିକ୍ରମା ସହ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ପରେ ଆଜି ଏହି ପବିତ୍ର ଶ୍ରୀଚରଣ ପାଦୁକା ହାଇଦ୍ରାବାଦ ସ୍ଥିତ ରାମୋଜି ଫିଲ୍ମ ସିଟିକୁ ଅଣାଯାଇଥିଲା ।
ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶିକା ବିଜୟେଶ୍ୱରୀ ଚେରୁକୁରୀ ପ୍ରଭୁଙ୍କ ପାଦୁକାକୁ ମୁଣ୍ଡରେ ଧାରଣ କରି ଫିଲ୍ମ ସିଟିର ମନ୍ଦିରରେ ସ୍ଥାପନ ରଖିଥିଲେ । ଏହା ପରେ ବିଶେଷ ପୂଜା ବିଧି ଅନୁଷ୍ଠିତ ହୋଇଥିଲା । ବିଧି ଶେଷ ହେବା ପରେ ଶ୍ରଦ୍ଧାଳୁମାନେ ଏହି ଚରଣ ପାଦୁକାକୁ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ । ଫିଲ୍ମସିଟିର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ଏହି ଚରଣ ପାଦୁକାର ଦର୍ଶନ କରିଥିଲେ । ଜୟ ଶ୍ରୀରାମ ନାରାରେ ସମ୍ପର୍ଣ୍ଣ ପରିବେଶ ପ୍ରକମ୍ପିତ ହୋଇଥିଲା । ଦର୍ଶନ ପରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସଂଧ୍ୟାରେ ସମଗ୍ର ଫିଲ୍ମ ସିଟିରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା ।
ପୂରାଣ ବର୍ଣ୍ଣିତ ତଥ୍ୟ ଅନୁସାରେ ନିର୍ମିତ ପାଦୁକା ଯୁଗଳ:-
ପ୍ରଭୁ ଶ୍ରୀ ରାମଲାଲାଙ୍କ ପାଇଁ ଏହି ଚରଣ ପାଦୁକା ନିର୍ମାଣ କରିଥିବା ଶ୍ରୀନିବାସ ଜୀ ‘ଇଟିଭି ଭାରତ’ ସହ ଏହାର ପୌରାଣିକ ମହାତ୍ମ୍ୟ ଓ ନିର୍ମାଣ ସମ୍ପର୍କରେ ବିଶେଷ ଆଲୋଚନା ମଧ୍ୟ କରିଥିଲେ । ସ୍ବର୍ଣ୍ଣ ଓ ଅନ୍ୟ ମୂଲ୍ୟବାନ ଧାତୁ ଖଞ୍ଜିତ ଏହି ଚରଣ ପାଦୁକା ଯୁଗଳ ସମ୍ପୂର୍ଣ୍ଣ ବେଦ ବର୍ଣ୍ଣିତ ତଥ୍ୟକୁ ଆଧାର କରି ନିର୍ମାଣ କରାଯାଇଛି । ବେଦରେ ଉଲ୍ଲେଖ କରାଯାଇଥିବା ସମସ୍ତ ପ୍ରତୀକଗୁଡ଼ିକ ଏହି ଚରଣ ପାଦୁକା ଉପରେ ଅଙ୍କିତ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମ 14 ବର୍ଷ ବନବାସ ଯିବା ସମୟରେ ତାଙ୍କର ଯେଉଁ ଚରଣ ପାଦୁକାକୁ ରାଜସିଂହାସନରେ ସ୍ଥାପନ କରି ସାନଭାଇ ଭରତ ରାଜ୍ୟ ଶାସନ କରିଥିଲେ, ବେଦରେ ସେହି ବର୍ଣ୍ଣନକୁ ଉଦ୍ଧାର କରାଯାଇ ଏହାକୁ ନିର୍ମାଣ କରାଯାଇଛି । ଏହି ଚରଣ ପାଦୁକା ବେଦରେ ବର୍ଣ୍ଣିତ ସମାନ ଆକୃତି ଏବଂ ଆଧାର ଉପରେ ନିର୍ମାଣ କରାଯାଇଛି । ଏଥିରେ ମୋଟ 8 କିଲୋଗ୍ରାମ ରୂପା ଏବଂ ଅଷ୍ଟଧାତୁ ଖଞ୍ଚିତ ହୋଇଛି । ଚରଣ ପାଦୁକା ଯୁଗଳ ଉପରେ ସୁନାର ଆସ୍ତରଣ ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିର ଗର୍ଭଗୃହର ମୁଖ୍ୟ ଦ୍ବାରରେ ଲାଗିଲା ସୁବର୍ଣ୍ଣ କବାଟ
‘ଇଟିଭି ଭରତ’କୁ ପ୍ରତିକ୍ରିୟା ଦେଇ ଶ୍ରୀନିବାସ କହିଛନ୍ତି, ଏହି ଚରଣ ପାଦୁକାକୁ ସମସ୍ତ ତୀର୍ଥସ୍ଥାନ ତଥା 4 ଶଙ୍କରାଚାର୍ଯ୍ୟଙ୍କ ପୀଠ ପରିକ୍ରମା କରାଇବା ପରେ ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିକୁ ଅଣାଯାଇଛି । ଏହି ଚରଣ ପାଦୁକା ଭଗବାନ ଶ୍ରୀରାମ ବନବାସ ବେଳେ ଯାତ୍ରା କରିଥିବା ମାର୍ଗରେ ପରିକ୍ରମା କରାଯାଉଛି । ଏହା ଶେଷରେ ଜାନୁଆରୀ 15 ତାରିଖରେ ଅଯୋଧ୍ୟାରେ ପହଞ୍ଚିବ । ବିଶେଷ ପୂଜାବିଧି ପରେ ପ୍ରତିଷ୍ଠା ଉତ୍ସବରେ ଏହାକୁ ସିଂହାସନରେ ଶ୍ରୀରାମଙ୍କ ପାଦରେ ପରିଧାନ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ