ଚେନ୍ନାଇ: ବିଶ୍ବ ପ୍ରସିଦ୍ଧ ଚିଥିରାଇ ପର୍ବ ପାଳନ ସମୟରେ ତାମିଲନାଡୁ ମଦୁରାଇରେ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଭୈଗାଇ ନଦୀରୁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତଦେହ ମିଳିଥିବା ବେଳେ ଆଉ ଦୁଇ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଶୁକ୍ରବାର ମା' ମୀନାକ୍ଷୀ ଆମ୍ମାଙ୍କ ଚିଥିରାଇ ପର୍ବ ପାଳନ ଅବସରରେ ପ୍ରଭୁ କାଲାଜଗରଙ୍କୁ ଭୈଗାଇ ନଦୀକୁ ନିଆଯାଇଥିଲା । ଏଠାରେ ପ୍ରଭୁ ଶିବ ଓ ବିଷ୍ଣୁଙ୍କ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରଭୁ କାଲାଜଗରଙ୍କ ଦର୍ଶନ ପାଇଁ ବହୁସଂଖ୍ୟକ ଶ୍ରଦ୍ଧାଳୁ ନଦୀ ମଧ୍ୟକୁ ପ୍ରବେଶ କରିଥିଲେ । ଏହି ସମୟରେ ପାଖ ବ୍ୟାରେଜ ନିକଟରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଥିଲା ।
ଖବର ପାଇ ପୋଲିସ ବ୍ୟାରେଜରୁ ମୃତଦେହ ଉଦ୍ଧାର କରିବା ବେଳେ ନିକଟସ୍ଥ କଲାପାଲମ ଅଞ୍ଚଳରେ ନଦୀରେ ଆଉ ଦୁଇଟି ମୃତଦେହ ଭାସୁଥିବାର ସୂଚନା ମିଳିଥିଲା । ଅଗ୍ନିଶମ ବାହିନୀ ସହାୟତାରେ ପୋଲିସ ୩ଟି ଯାକ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମଦୁରାଇ ସରକାରୀ ରାଜାଜି ହସ୍ପିଟାଲକୁ ପଠାଇଥିଲା । ତେବେ ନଦୀରେ ପ୍ରବଳ ଭିଡ ଯୋଗୁଁ ଦଳଚକଟାରେ ସେମାନେ ଭାସି ଯାଇଥିବାର ପୋଲିସ ସନ୍ଦେହ କରୁଛି ।
ଏହି ଘଟଣାକୁ କେଇ ମିନିଟ୍ ନପୁରୁଣୁ ମଦୁରାଇ ମଦିଚିଆମ ଅଞ୍ଚଳରୁ ସୁପ୍ରିୟା ପ୍ରକାଶ ନାମକ ଆଉ ଜଣେ ୨୩ ବର୍ଷୀୟ ଯୁବକଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାର ଉଦ୍ଧାର ହୋଇଥିଲା । ମୃତକଙ୍କ ଘର ଏମ କେ ପୁରମ ଅଞ୍ଚଳରେ ଏବଂ ସକାଳେ ଚିଥିରାଇ ପର୍ବ ଦେଖିବାକୁ ସେ ଆସିଥିଲେ । ତାଙ୍କୁ କେହି ହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣ ଯୋଗୁଁ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନି । ସେହିପରି ମଦୁରାଇ ମାସି ରୋଡରେ ସୁଦାଲାଇମୁଥୁ ନାମକ ଜଣେ ଅଟୋ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଚିଥିରାଇ ପର୍ବରେ ସାମିଲ ହେବାକୁ ଆସିଥିବା ବେଳେ ଦଳଚକଟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି । ସମସ୍ତ ୫ ଜଣଙ୍କର ମୃତଦେହ ଉଦ୍ଧାର କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପ୍ରକାଶଥାଉ କି, ଗତକାଲି ବିହାର ବେଗୁସରାଇରେ ଏହିଭଳି ଏକ ଅଘଟଣ ଘଟିଥିଲା । ସମ୍ପର୍କୀୟ ଭଉଣୀର ବାହାଘରରେ ସାମିଲ ହେବାକୁ ଆସିଥିବା ବେଳେ ୫ ଜଣ ସମ୍ପର୍କୀୟ ଭାଇ ଗଣ୍ଡକ ନଦୀରେ ଭାସି ଯାଇଥିଲେ । ନଦୀରେ ଗାଧୋଉ ଥିବାବେଳେ ଅସାବଧାନତା ବଶତଃ ଭାସି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ