ଜୟପୁର: ଜମିରେ ଚାଷ ପାଇଁ ଖୋଳା ଯାଇଥିବା ପୋଖରୀରେ ଚାଲିଗଲା 5 ଶିଶୁଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଶ୍ରୀଗଙ୍ଗା ନଗର ଜିଲ୍ଲାର ରାମସିଂହପୁର ଅଞ୍ଚଳରେ । ଜମିରେ ଚାଷ କାର୍ଯ୍ୟ ପାଇଁ ଖୋଳା ଯାଇଥିବା ଅସ୍ଥାୟୀ ପୋଖରୀରେ ଗାଧୋଇବା ବେଳେ ବୁଡି 5 ଶିଶୁ ପ୍ରାଣ ହରାଇଛନ୍ତି । ସମସ୍ତଙ୍କ ବୟସ 10 ରୁ 13 ବର୍ଷ ମଧ୍ୟରେ ରହିଛି । ମୃତକଙ୍କ ମଧ୍ୟରେ 2 ନାବାଳିକା ଓ 3 ଜଣ ନାବଳକ ରହିଛନ୍ତି । ସମସ୍ତେ ଗ୍ରାମର ଶ୍ରମିକ ଶ୍ରେଣୀର ପରିବାରର ପିଲା ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ପିଲାମାନେ ସେଠାରେ ଖେଳୁଥିବା ବେଳେ ଗାଧୋଇବା ପାଇଁ ପାଣିରେ ପ୍ରବେଶ କରିଥିଲେ । ତେବେ ଜଣଙ୍କ ପରେ ଜଣେ ସମସ୍ତ 5ଜଣ ବୁଡି ଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଗ୍ରାମମବାସୀ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ସ୍ଥାନୀୟ ଅଗ୍ନିଶମ ବାହିନୀ ସହାୟତାରେ ସମସ୍ତ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି । ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣାରେ 5ଜଣଙ୍କ ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ