ହାଇଦ୍ରାବାଦ: ଆସନ୍ତାକାଲିଠୁ ତେଲେଙ୍ଗାନାରେ ଆରମ୍ଭ ହେବ ମାଛ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ । ଦକ୍ଷିଣ ଭାରତରେ ପାଳନ କରାଯାଉଥିବା ମୃଗଶୀରାକାର୍ତ୍ତେ ହେଉଛି ଏକ ଅନନ୍ୟ ପରମ୍ପରା । ଯେଉଁଥିରେ ମାଛ ଭୋଗ ଲାଗି କରାଯାଇ ଲୋକଙ୍କୁ ବଣ୍ଟାଯାଇଥାଏ । ଆସନ୍ତାକାଲି ହାଇଦ୍ରାବାଦର ନାମପଲ୍ଲୀ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସକାଳ 8ଟା ସମୟରେ ବଣ୍ଟନ କାର୍ଯ୍ୟ କରାଯିବା ନେଇ ଧାର୍ଯ୍ୟ କରାଯାଇଛି।
ତେବେ ଗତ 3 ବର୍ଷ ଧରି କରୋନା ମହାମାରୀ ପାଇଁ ଏହି ପର୍ବ ନିରାଡ଼ମ୍ବର ସହକାରେ ପାଳନ ହୋଇଆସୁଥିଲା । ହେଲେ ଚଳିତ ବର୍ଷ ଏହାକୁ ଖୁବ୍ ଧୁମଧାମରେ ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପର୍ବରେ "ମୁରେଲ" ବା "ସ୍ନେକ୍ ହେଡ୍" ମାଛକୁ ଜୀବିତ ଅବସ୍ଥାରେ ପେଷ୍ଟ ତିଆରି କରାଯାଇଥାଏ। ଯାହାକୁ ଶ୍ବାସ ରୋଗୀ ବା ଆସ୍ଥମା ରୋଗୀମାନଙ୍କୁ ପ୍ରସାଦ ଆକାରରେ ସେବନ କରିବାକୁ ଦିଆଯାଇଥାଏ। ଏହି ପ୍ରସାଦ ସେବନ କରିବା ଦ୍ବାରା ସେମାନେ ନିରୋଗ ହୋଇଥାଆନ୍ତି ବୋଲି ବିଶ୍ବାସ ରହିଛି। ତେବେ ଏହି ଦିନ ଭଗବାନ ବିଷ୍ଣୁଙ୍କ ଅବତାର ସ୍ବରୂପ କୁର୍ମଙ୍କୁ ପୂଜା କରାଯାଇଥାଏ।
ତେବେ ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ପରେ ଏହି ପର୍ବ ପାଲନ କରାଯିବାର ପ୍ରଥା ପ୍ରଚଳିତ ହୋଇ ଆସୁଛି। ହାଇଦ୍ରାବାଦର ନାମପଲ୍ଲୀରେ ହଜାର ହଜାର ଶ୍ବାସ ରୋଗୀଙ୍କ ପାଇଁ ଏହି ଦିନ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । ବହୁ ସଂଖ୍ୟାରେ ଆସ୍ଥମାରେ ପୀଡିତ ରୋଗୀମାନେ ଆସି ଲମ୍ବା ଲାଇନ ଦେଇ ଜଣକ ପରେ ଜଣେ ପ୍ରସାଦ ସେବନ କରିଥାଆନ୍ତି ।
ତେବେ ଚଳିତ ବର୍ଷ ମାଛ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ତେଲେଙ୍ଗାନା ସରକାରଙ୍କ ତରଫରୁ କରାଯାଇଛି ସ୍ବତନ୍ତ୍ର ଆୟୋଜନ। ଏଥିପାଇଁ ମୋଟ୍ 34ଟି କାଉଣ୍ଟର ଖୋଲା ଯାଇଥିବାବେଳେ 32ଟି ଧାଡିର ବ୍ୟବସ୍ଥା କରାଯାଇଛି। ପାଖାପାଖି 5ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଏହାସହ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡ଼ି କରିଛି ପ୍ରଶାସନ ।
2018 ମସିହାରେ ଏହି ପର୍ବ ପାଳନ ପାଇଁ ମତ୍ସ୍ୟ ବିଭାଗ ତରଫରୁ ପ୍ରାୟ 2ଲକ୍ଷ ମାଛ ପ୍ରଦାନ କରାଯାଇଥିଲା । ଆଉ ଏହି ଉତ୍ସବବରେ ପାଖାପାଖି 80 ହଜାର ଲୋକେ ସାମିଲ ଥିବା ଜଣାପଡିଥିଲା । ତେବେ ଚଳିତ ବର୍ଷ ଲକ୍ଷାଧିକ ଲୋକେ ଯୋଗ ଦେବାର ଆକଳନ କରାଯାଇଛି । ସୂଚନା ମୁତାବକ, ଏହି ପର୍ବ କେବଳ ଦକ୍ଷିଣ ଭାରତରେ ପାଳନ କରାଯାଉଥିବାବେଳେ ଏହାକୁ କେତେକାଂଶରେ ସମାଲୋଚନା କରାଯାଉଥିବା ବେଳେ କେତେକାଂଶରେ ସ୍ବାଗତ ବି କରାଯାଇଛି । ହେଲେ ବିଜ୍ଞାନ ଓ ବିଶ୍ବାସର ବିତର୍କ ଭିତରେ ପରମ୍ପରା ଅନୁଯାୟୀ ଏହି ପର୍ବ ପାଳିତ ହୋଇଆସୁଛି ।