ନୂଆଦିଲ୍ଲୀ:କେନ୍ଦ୍ରର କୃଷି ଆଇନକୁ ବିରୋଧ କରି କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ସୀମାରେ ସେମାନଙ୍କ ଆନ୍ଦୋଳନ 16 ଦିନରେ ପହଞ୍ଚିଛି । ଏପଟେ ଚାଷୀମାନେ କୋଭିଡ୍ ନିୟମକୁ ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ସିଙ୍ଘୁ ସୀମାରେ ଆନ୍ଦୋଳନରତ ସମସ୍ତ କୃଷକଙ୍କ ନାମରେ ପୋଲିସ ଏତଲା ଦାୟର କରିଛି ।
ମହାମାରୀ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି । ନଭେମ୍ବର 29 ତାରିଖରେ ଏଠାରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ତେବେ ଏଠାରେ ନିୟୋଜିତ ଥିବା ଦୁଇ ଜଣ ଡିସିପିଙ୍କର କୋରୋନା ପଜିଟିଭ୍ ଆସିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।
ସେପଟେ ସରକାର ଚାଷୀଙ୍କ ଦାବି ଶୁଣୁନଥିବାରୁ ରେଲୱେ ଟ୍ରାକକୁ ସେମାନେ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହାସହ ଗୁରୁବାର କେନ୍ଦ୍ର କୃଷିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଚାଷୀ ନେତା ବୁଟା ସିଂହ କହିଛନ୍ତି, ‘ଆମେ 10 ଡିସେମ୍ବର ଯାଏଁ ସମୟ ଦେଇଛୁ । ଯଦି ପ୍ରଧାନମନ୍ତ୍ରୀ ଆମ କଥା ନମାନନ୍ତି ଏବଂ ଆଇନ ରଦ୍ଦ ନକରନ୍ତି, ତାହେଲେ ରେଳ ଟ୍ରାକ ଅବରୋଧ କରିବୁ ।’ ଦେଶର ସମସ୍ତ ଚାଷୀ ରେଳ ଧାରଣାକୁ ଓହ୍ଲାଇବେ ବୋଲି ବୁଟା ସିଂହ କହିଛନ୍ତି ।
ସେହିପରି ଚାଷୀ ନେତା ବଲବୀର ସିଂ ରାଜୱାଲ କହିଛନ୍ତି ଯେ, ‘କେନ୍ଦ୍ର ସରକାର ଶେଷରେ କୃଷି ଆଇନ ବ୍ୟବସାୟୀମାନଙ୍କ ପାଇଁ ଗ୍ରହଣ କରିଛନ୍ତି।’ ଯେତେବେଳେ କୃଷି ଏକ ରାଜ୍ୟ ବିଷୟ, ସେମାନେ କିପରି ଏହା ଉପରେ ଆଇନ ପ୍ରସ୍ତୁତ କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଭାରତୀୟ କୃଷି ସଂଗଠନ ସଭାପତି ରାକେଶ ଟିକାୟତ କହିଛନ୍ତି ଯେ, ‘ଯଦି କେନ୍ଦ୍ର ସରକାର ଆମର 15 ଟି ଦାବି ମଧ୍ୟରୁ 12ଟିରେ ରାଜି ହେଉଥିଲେ, ତେବେ ଏହାର ଅର୍ଥ ହେଉଛି ବିଲଗୁଡ଼ିକ ଠିକ ନୁହେଁ ।’ ତେବେ ସେମାନେ କାହିଁକି ଏହାକୁ ନଷ୍ଟ କରିଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି,‘ ଆମେ ଏମଏସପି ଉପରେ ଗୋଟିଏ ଆଇନ ଦାବି କରିଥିଲୁ, କିନ୍ତୁ ସେମାନେ ଅଧ୍ୟାଦେଶ ମାଧ୍ୟମରେ 3ଟି ବିଲ୍ ଆଣିଥିଲେ ।’ ଆମର ବିରୋଧ ଶାନ୍ତିପୂର୍ଣ୍ଣ ଭାବରେ ଜାରି ରହିବ ବୋଲି ଚାଷୀ ନେତା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ