ଭୋପାଳ: ମଧ୍ୟପ୍ରଦେଶ ଜବଲପୁର ଡିଣ୍ଡୋରି ଅଞ୍ଚଳରେ ସ୍ବାସ୍ଥ୍ୟ ସୁବିଧାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଯେଉଁଠି ଶିଶୁର ମୃତଦେହ ଘରକୁ ଆଣିବା ଲାଗି ଆମ୍ବୁଲାନ୍ସ ନ ମିଳିବାରୁ ଶେଷରେ ବ୍ୟାଗ ଜିନିଷ ଭର୍ତ୍ତି କରିବା ପରି ମୃତଦେହକୁ ଭର୍ତ୍ତି କରିଛି ଅସହାୟ ପିତା । ଚିକିତ୍ସାଧୀନ ଅବସ୍ଥାରେ ନବଜାତର ମୃତ୍ୟୁ ଘଟିବା ପରେ ଗରିବ ଶ୍ରେଣୀର ପିତାକୁ ଏଭଳି ଦୁଃଖଦ ସମୟର ସାମ୍ନା କରିବାକୁ ପଡିଛି ।
ମିଳିଥିବା ସୂଚନା ଅନୁସାରେ ଗତ 13 ତାରିଖରେ ଡିଣ୍ଡୋରି ସହଜପୁରୀ ଗାଁର ଅଧିବାସୀ ଜମନି ବାଈକୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡେଲିଭରି ପରେ ହଠାତ୍ ନବଜାତର ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ନବଜାତକୁ ଜବଲପୁର ମେଡିକାଲ କଲେଜକୁ ରେଫର କରାଯାଇଥିଲା । ଜବଲପୁରରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହାପରେ ପିତାମାତା ମୃତଦେହ ସହ ନିଜ ଘରକୁ ଫେରିବା ଲାଗି ଆମ୍ବୁଲାନ୍ସ ଦାବି କରିଥିଲେ । ହେଲେ ହସ୍ପିଟାଲରେ କୌଣସି ଆମ୍ବୁଲାନ୍ସ ନଥିବା ଜଣାପଡ଼ିଛି ।
ଏହା ବି ପଢନ୍ତୁ- Religion Conversion for Marriage: ବାପା ହୋଇଥିଲା ହିନ୍ଦୁରୁ ମୁସଲିମ, ପୁଅ ହେଲା ହିନ୍ଦୁ
ଏହାପରେ ଅସହାୟ ପିତାମାତା ମୃତଦେହ ସହିତ ଅଟୋ ସହାୟତାରେ ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲେ । ଏହାପରେ ବସଷ୍ଟାଣ୍ଡରୁ ଏକ ବ୍ୟାଗରେ ଭର୍ତ୍ତି କରି ବସ ଯୋଗେ ନିଜ ଘରେ ପହଞ୍ଚିଥିଲେ । ଏ ସମ୍ପର୍କରେ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ମୃତ ନବଜାତର ପିତାମାତାଙ୍କୁ ପଚାରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଆମ୍ବୁଲାନ୍ସ ନ ମିଳିବାରୁ ମୃତ ନବଜାତର ପରିଜନ ବାଧ୍ୟ ହୋଇ ଏପରି ବ୍ୟାଗରେ ମୃତଦେହକୁ ଆଣିଥିବା କହିଥିଲେ । କାରଣ ମୃତଦେହକୁ ଧରି ବସରେ ଆଣିବା ସହଜ ନଥିଲା। ଏପରି କରିଥିଲେ ସେ ଘରକୁ ଆସିପାରିନଥାନ୍ତେ । ଏଣୁ ପରିସ୍ଥିତିର ଦାସ ସାଜି ବ୍ୟାଗରେ ମୃତଦେହକୁ ଭର୍ତ୍ତି କରିଥିବା କହିଥିଲେ ପିତାମାତା ।
ଏହି ଘଟଣା ନୂଆ ନୁହେଁ । ଏପରି ଘଟଣା ଅନେକ ସମୟରେ ବାରମ୍ବାର ଘଟୁଥିବା ବେଳେ ପ୍ରଶାସନ ସଚେତନ ହେଉନାହିଁ । ବିଶେଷ କରି ଗରିବ ଶ୍ରେଣୀର ବ୍ୟକ୍ତିମାନେ ମୃତଦେହକୁ ଘର ପର୍ଯ୍ୟନ୍ତ ଆଣିବା ଲାଗି ସେମାନଙ୍କୁ କୌଣସି ଆମ୍ବୁଲାନ୍ସ ମିଳିନଥାଏ । ଏପରିକି ମେଡିକାଲ କଲେଜ ନିକଟରେ ମୃତଦେହକୁ ନେବା ଲାଗି ମୋଟା ଅଙ୍କର ଅର୍ଥ ପୈଠ ପାଇଁ ଦାବି କରାଯାଏ । ଏପରି ସ୍ଥିତିରେ ଗରିବ ଅସହାୟଟିଏ ଅର୍ଥ ପୈଠ କରିବାକୁ ଅସମର୍ଥ ହୋଇପଡ଼େ । ଏଣୁ ତାକୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ।