ହାଇଦ୍ରାବାଦ: ହାଇଦ୍ରବାଦରେ ହୋଟେଲ ଭିତରେ ଗୋଟିଏ ପରିବାରର ୪ ଜଣଙ୍କ ଆତ୍ମହତ୍ୟା । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ବାପା । ହାଇଦ୍ରାବାଦ ସହର ଅନ୍ତର୍ଗତ ନିଜାମବାଦରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହୋଟେଲ ରୁମ୍ ଭିତରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଏକାସାଙ୍ଗରେ ଆତ୍ମହତ୍ୟା କରିଛନ୍ତି । ହୋଟେଲରୁ ସମସ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷର ଝିଅ ଓ ୧୦ ବର୍ଷର ପୁଅ ରହିଛନ୍ତି । ଋଣ ଭାର ସହି ନପାରି ସପରିବାର ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି ।
ସୂଚନାଯୋଗ୍ୟ, ମୃତକ ସୂର୍ଯ୍ୟପ୍ରକାଶ(୩୭) ଜଣେ ରିଏଲ ଇଷ୍ଟେଟ ବ୍ୟବୟାସୀ ଥିଲେ । ମାଧପୁର ଏବଂ କୋଣ୍ଡାପୁର ଅଞ୍ଚଳରେ ତାଙ୍କର ବ୍ୟବସାୟ ଥିଲା । ସେ ନିଜର ତିନି ଜଣ ସହଯୋଗୀଙ୍କ ଠାରୁ କିଛି ଟଙ୍କା ଉଧାର ଆଣିଥିଲେ । ମାତ୍ର ଲଗାତର ବ୍ୟବସାୟରେ କ୍ଷତି ସହିବା ଯୋଗୁଁ ସେ ଟଙ୍କା ଶୁଝିବାରେ ଅକ୍ଷମ ହୋଇଥିଲେ । ଏହାକୁ ନେଇ ସହଯୋଗୀମାନେ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ । ଶେଷରେ ଏସବୁ ସହି ନ ପାରି ସୂର୍ଯ୍ୟପ୍ରକାଶ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ ।
ଏଥିପାଇଁ ସେ ନିଜାମବାଦରେ ଏକ ହୋଟେଲ ବୁକ୍ କରିଥିଲେ । ନିଜର ପତ୍ନୀ ଓ ଦୁଇ ପିଲାଙ୍କୁ ନେଇ ସେଠାକୁ ଯାଇଥିଲେ । ସୂର୍ଯ୍ୟପ୍ରକାଶ ପ୍ରଥମେ ନିଜ ପୁଅ, ଝିଅ ଓ ପତ୍ନୀଙ୍କୁ ବିଷ ଖୁଆଇ ଥିଲେ । ଏହାପରେ ସେ ନିଜେ ଫାଶୀ ଲଗାଇ ଝୁଲି ପଡିଥିଲେ ।