ଶ୍ରୀନଗର: ସେନା କ୍ୟାମ୍ପ ନିକଟରେ ବିସ୍ଫୋରଣ ଘଟିଛି । ଆଜି ହଣ୍ଡଓ୍ବାରାରେ ଥିବା ସେନା କ୍ୟାମ୍ପ ନିକଟରେ ଏହି ବିସ୍ଫୋରଣ ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଏହା ଏକ ଆତଙ୍କୀ ଆକ୍ରମଣ ହୋଇଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାରେ କେଉଁ ଆତଙ୍କୀ ସଂଗଠନର ସମ୍ପୃକ୍ତ ଅଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ମିଳିଥିବା ସୂଚନା ଅନୁସାରେ ଆଜି (ରହିବାର) କୂପଓ୍ବାଡା ଜିଲ୍ଲାର ହଣ୍ଡଓ୍ବାରା ଅଞ୍ଚଳରେ ଥିବା ଏକ ସେନା କ୍ୟାମ୍ପ ନିକଟବର୍ତ୍ତୀ ଅଞ୍ଚଳରେ ହଠାତ ଏକ ବିସ୍ଫୋରଣ ହୋଇଥିଲା । ତେବେ ଯବାନଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ବିସ୍ଫୋରଣ କରାଯାଇଥିଲେ ସୁଦ୍ଧା ଏଥିରେ କେହି ଆହତ ହୋଇ ନଥିବା ସୂଚନା ସମସ୍ତଙ୍କୁ ଆଶ୍ବସ୍ତ କରିଛି । ବିସ୍ଫୋରଣ ଖବର ମିଳିବା ପରେ ସ୍ଥାନୀୟ ପୋଲିସ ଓ ସେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଓ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ