ନୂଆଦିଲ୍ଲୀ: ଏନଫୋର୍ସମେଣ୍ଟ ଏଜେନ୍ସି ରାଡାରରେ ଦକ୍ଷିଣ ଭାରତ। ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ନିର୍ବାଚନ ପାଇଁ ମାତ୍ରାଧିକ ଖର୍ଚ୍ଚ କରୁଥିବା ରାଜ୍ୟ ଗୁଡିକ ଏବେ ଏନଫୋର୍ସମେଣ୍ଟ ଏଜେନ୍ସି ସ୍କାନରରେ ରହିଛନ୍ତି। ରିପୋର୍ଟ ଅନୁସାରେ ସାଉଥ ରାଜ୍ୟ ଗୁଡିକରେ ଥିବା ଆଞ୍ଚଳିକ ଦଳମାନେ ଏବେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଦେଖିବାକୁ ମିଳୁଛି। ଯାହାକୁ ଗୁରୁତର ସହ ନେଇ ମାତ୍ରାଧିକ ଅର୍ଥ ବ୍ୟୟ କରୁଥିବା ଦଳମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ 20ଟି ଏନଫୋର୍ସମେଣ୍ଟ ଏଜେନ୍ସିକୁ ଦାୟିତ୍ବ ଦେଇଛନ୍ତି ନିର୍ବାଚନ କମିଶନ।
ଏହାରି ମଧ୍ୟରେ ଉନ୍ନତ ରାଜ୍ୟ ଭାବେ ଜଣାଶୁଣା ତେଲେଙ୍ଗାନାରେ ସରକାରେ ଥିବା ବିଆରଏସ ପାର୍ଟିର ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠିଛି। ନିକଟରେ ଭିନ୍ନ ଢଙ୍ଗରେ ମହାରାଷ୍ଟ୍ର ଗସ୍ତ କରି ଶକ୍ତି ପ୍ରଦର୍ଶନ କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ପ୍ରାୟ 600 ଦାମୀ ଗାଡି ମାଧ୍ୟମରେ ବିରାଟ ପଟୁଆରରେ ରାଲି କରାଯାଇଥିଲା। ବିଆରଏସ ନେତାମାନେ ସେହି ସମୟରେ କେସିଆରଙ୍କୁ ଜୋରଦାର ସ୍ବାଗତ କରିଥିଲେ। ସେହି ସମୟରେ ମୁମ୍ବାଇର ହାଇୱେ ଉତ୍ସବ ମୁଖର ହୋଇ ଉଠିଥିଲା। ଏଥର ମହାରାଷ୍ଟ୍ରରେ ବିଆରଏସ ନିର୍ବାଚନ ଲଢିବା ପାଇଁ ଯୋଜନା କରିଥିବା କୁହାଯାଉଥିବାବେଳେ କେସିଆରଙ୍କ ଗସ୍ତକୁ ନେଇ ରାଜନୀତି ଜୋର ଧରିଛି। ଆଉ ଗସ୍ତ ବାବଦରେ କରାଯାଇଥିବା ବିପୁଳ ଖର୍ଚ୍ଚ ସବୁଠୁ ବେଶୀ ଚର୍ଚ୍ଚାର ବିଷୟ ପାଲଟିଛି ।
ଖାଲି ମହାରାଷ୍ଟ୍ର ନୁହେଁ, ଓଡିଶା ଉପରେ ମଧ୍ୟ କେସିଆରଙ୍କ ଆଖି ଥିବା ପୂର୍ବରୁ ଚର୍ଚ୍ଚା ହୋଇଆସୁଛି। ହାଇଦ୍ରାବାଦରେ ଓଡିଆ ନେତାଙ୍କୁ ବିରିୟାନୀ ଖୁଆଇ ଅତିଥି ସତ୍କାର କରି ଚର୍ଚ୍ଚାରେ ଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୁଅ ଶିଶିର ଗମାଙ୍ଗଙ୍କ ସମେତ ସାଂସଦ ଜୟରାମ ପାଙ୍ଗୀ ମଧ୍ୟ ଭାରତ ରାଷ୍ଟ୍ର ସମିତି (BRS)ରେ ସାମିଲ ହୋଇସାରିଛନ୍ତି। ଏହା ପୂର୍ବରୁ ତେଲେଙ୍ଗାନାରେ ହୋଇଥିବା ଉପନିର୍ବାଚନରେ ବିଭିନ୍ନ ଦଳମାନଙ୍କ ପକ୍ଷରୁ ପାଖାପାଖି 600 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ସେହିପରି ହୁଜୁରାବାଦ ଉପନିର୍ବାଚନରେ ମଧ୍ୟ ପ୍ରାୟ 97କୋଟି ଟଙ୍କା ବ୍ୟୟ ହୋଇଥିଲା। ପ୍ରତି ନିର୍ବାଚନ ସମୟରେ ପ୍ରାର୍ଥୀଙ୍କୁ ଆକର୍ଷିତ କରିବାକୁ ଏବଂ ନିର୍ବାଚନ ରାଲି ପାଇଁ କୋଟି କୋଟି ଖର୍ଚ୍ଚ ହେଉଛି। ଯାହାକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି ନିର୍ବାଚନ କମିଶନର। ଏନେଇ 20ରୁ ଉର୍ଦ୍ଧ୍ବ ଏନଫୋର୍ସମେଣ୍ଟ ଟିମକୁ ନିୟୋଜିତ କରାଯାଇଛି। ନିର୍ବାଚନ ସମୟରେ ପାଣି ଭଳି ଖର୍ଚ୍ଚ ହେଉଥିବା ଅର୍ଥ କାରବାରରେ ରୋକ୍ ଲଗାଇବ ଟିମ୍।
ଆସନ୍ତା ନିର୍ବାଚନରେ ମାତ୍ରାଧିକ ଅର୍ଥ ବ୍ୟୟ ରୋକିବାକୁ ପୋଲିସ, ଇଣ୍ଟେଲିଜେନ୍ସ, ସିଆଇଏସଏଫ ଯବାନମାନେ ନୀରିକ୍ଷଣ କରିବେ। ଏହାସହ ଡିରୋକ୍ଟରେଟ ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI), ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ(CBDT), ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(NCB), ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI), ଷ୍ଟେଟ ଲେଭଲ ବ୍ୟାଙ୍କର୍ସ କମିଟି(SLBC) ସମେତ ଏନଫୋର୍ସମେଣ୍ଟ ଡିରୋକ୍ଟେରଟ (ED) ଆଦି 20ରୁ ଉର୍ଦ୍ଧ୍ବ ସଂସ୍ଥା କଡ଼ା ନଜର ରଖିବେ।