ନୂଆଦିଲ୍ଲୀ: 2024 ନିର୍ବାଚନ ପୂର୍ବରୁ VVPAT ଓ EVMର ବିଶ୍ବସନୀୟତା ପ୍ରସଙ୍ଗରେ କଂଗ୍ରେସ ଓ ତମାମ ବିରୋଧୀ ଦଳ ପ୍ରଶ୍ନ ଉଠାଇ ସାରିଛନ୍ତି । ଏହାରି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଚିଠିର ପ୍ରତିଉତ୍ତର ମଧ୍ୟ ଦେଇଛି ଆୟୋଗ । ଉଭୟ ଭୋଟିଂ ମେସିନରେ ସେପରି କୌଣସି ଆଶଙ୍କା ନଥିବା ଓ ଉଭୟର କାର୍ଯ୍ୟକାରିତା ବିଶ୍ବସନୀୟ ବୋଲି ଆୟୋଗ ରମେଶଙ୍କୁ ଚିଠି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ରମେଶଙ୍କ ଅଭିଯୋଗକୁ ଇସି ଖଣ୍ଡନ କରିବା ପରେ ରମେଶ କହିଛନ୍ତି ଉଭୟ EVM ଓ VVPAT ସମସ୍ତ ରାଜନୈତିକ ଦଳ ପାଇଁ ଉଦବେଗ । ସେ ପଚାରିଥିବା ପ୍ରଶ୍ନରେ ଆୟୋଗ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି କହି ପୁଣି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି ।
ନିର୍ବାଚନ ଆୟୋଗଙ୍କୁ ପ୍ରତିଉତ୍ତର ଚିଠିରେ ରମେଶ ଲେଖିଛନ୍ତି, ସେ ସମସ୍ତ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କ ତରଫରୁ ଆୟୋଗଙ୍କୁ 30 ଡିସେମ୍ବରରେ ଚିଠି ଲେଖି ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଥିଲେ । ‘ଇଣ୍ଡିଆ’ ମେଣ୍ଟର ଏକ ପ୍ରତିନିଧି ମଣ୍ଡଳୀ ସହ ମଧ୍ୟ ନିର୍ବାଚନ ଆୟୋଗ ଆଲୋଚନା କରିବା ପାଇଁ ସମୟ ମାଗିଥିଲେ । ହେଲେ ନିର୍ବାଚନ ଆୟୋଗ ତାଙ୍କ ଅନୁରୋଧ ରକ୍ଷା କରିନାହାନ୍ତି । ଇଭିଏମ ଓ ଭିଭିପ୍ୟାଟ ଉପରେ ତାଙ୍କର ବାସ୍ତବ ପ୍ରଶ୍ନ ଓ ଚିନ୍ତା ସମ୍ପର୍କରେ ନିର୍ବାଚନ କମିଶନ ଦେଇଥିବା ଉତ୍ତର ସନ୍ତୋଷଜନକ ନୁହେଁ ।’’
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବାଟାଲ ପେପର ଓ ବାଲାଟ ବକ୍ସ ମାଧ୍ୟମରେ ହେଉଥିବା ପାରମ୍ପରିକ ଭୋଟିଂ ପ୍ରକ୍ରିୟାରେ ଉଭୟ ସମୟ ଓ ମାନବ ସମ୍ଭଳର ଅଧିକ ବିନିଯୋଗ ଆବଶ୍ୟକ ପଡୁଥିଲା । ଏହା ସୁରକ୍ଷାଦୃଷ୍ଟିରୁ ବେଶ ଆହ୍ବାନପୂର୍ଣ୍ଣ ମଧ୍ୟ ଥିଲା । ଫଳରେ ବୈଦ୍ୟୁତିକ ଭୋଟିଂ ମେସିନ ବା ଇଭିଏମ ଓ ଭିଭିପ୍ୟାଟର ବ୍ୟବହାର କରାଗଲା । ମାତ୍ର 2014 ରେ କେନ୍ଦ୍ରରେ ମୋଦି ନେତୃତ୍ବରେ ବିଜେପି ପ୍ରଚଣ୍ଡ ବହୁମତ ହାସଲ କରି ଏକକ ସରକାର ଗଠନ କରିବା ପରେ ବିରୋଧୀ ଇଭିଏମ ଟ୍ୟାମ୍ପରିଂ ଅଭିଯୋଗ ଆଣିଥିଲେ । ଏହି ପ୍ରକ୍ରିୟାରେ ମତଦାନ ଓ ମେସିନର ବିଶ୍ବସନୀୟତା ଉପରେ ପ୍ରଶ୍ନ କରିଥିଲେ ବିରୋଧୀ । ଏହି ମାମଲା କୋର୍ଟରେ ମଧ୍ଯ ପହଞ୍ଚିଥିଲା । ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ଏହାକୁ ଖାରଜ କରିସାରିଛନ୍ତି । ଏବେ 2024 ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ କଂଗ୍ରେସ ସମେତ ତମାମ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳ ଏବେ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ