ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତଙ୍କ ମୃତଦେହ ପରିଚାଳନାରେ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ମାନବ ଅଧିକାର ଆୟୋଗ(NHRC) ଶୁକ୍ରବାର କେନ୍ଦ୍ର, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ନିର୍ଦ୍ଦେଶ ଜାରି କରିଛି । ଏଥିରେ ମୃତ ବ୍ୟକ୍ତିଙ୍କ ସମ୍ମାନ ତଥା ଅଧିକାରର ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି ।
ଦେଶରେ କିଛି ଶ୍ମଶାନରେ ଏକାଧିକ କୋଭିଡ ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଦାହ କରାଯାଉଛି । ଏହାଦ୍ବାରା ଜଣେ ମୃତବ୍ୟକ୍ତିର ଅଧିକାର କ୍ଷୁଣ୍ଣ ହେଉଛି ବୋଲି ଆୟୋଗ କହିଛନ୍ତି । କିଛି ହସ୍ପିଟାଲରେ ବିଲ ବୈଠ ହେଉନଥିବାରୁ ହସ୍ପିଟାଲ ପ୍ରଶାସନ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଅନୁମତି ଦେଉନାହାନ୍ତି । ଫଳରେ ହସ୍ପିଟାଲରେ ପଡି ରହୁଛି ମୃତଦେହ । ତେବେ ଏଭଳି ପରିସ୍ଥିତିରେ ମୃତଦେହକୁ ସୁରକ୍ଷିତ ଅବସ୍ଥାରେ ଷ୍ଟୋରରେ ରଖିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ସମସ୍ତ ସମସ୍ୟାକୁ ନେଇ ଆୟୋଗ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନୋଟିସ ଜାରି କରିଛି । ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଜିଲ୍ଲା ସ୍ତରରେ ଏହାର ଡିଜିଟାଲେ ଡାଟା ତିଆରି କରିବା ଆବଶ୍ୟକ । ମୃତ ବ୍ୟକ୍ତିର ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ ଓ ବୀମା ଆଦିରେ ମଧ୍ୟ ଅପଡେଟ କରିବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମୃତ ବ୍ୟକ୍ତିଙ୍କ ପରିବାର ନିକଟରେ ମୃତଦେହକୁ ପହଞ୍ଚାଇବାରେ ସ୍ଥାନୀୟ କର୍ତ୍ତୃପକ୍ଷ ଧ୍ୟାନ ଦେବା ସହିତ ପୋଲିସ ମଧ୍ୟ ଅନ୍ତିମ ସଂସ୍କାରରେ ବିଳମ୍ବ ନ ହେବା ପ୍ରତି ଧ୍ୟାନ ଦେବା ଦରକାର ।
ଅନ୍ୟପଟେ କୋଭିଡ ଆକ୍ରାନ୍ତଙ୍କ ମୃତଦେହର ସମ୍ପର୍କୀୟ ନଥିଲେ ବା କେହି ହସ୍ପିଟାଲରୁ ନନେଲେ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ଅନ୍ତିମ ସଂସ୍କାର କରିବେ । ଅନ୍ତିମ ସଂସ୍କାର ସମୟରେ ମୃତଦେହକୁ ସ୍ପର୍ଶ କରୁନଥିବା ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ମଧ୍ୟ ଆୟୋଗ ଅନୁମତି ଦେଇଛନ୍ତି ।
@PTI