ଚେନ୍ନାଇ: ତାମିଲନାଡୁର ଇରୋଡ ଅଞ୍ଚଳରେ ଘଟିଛି ଭୟଙ୍କର ଘଟଣା । ଜଣେ ୫୪ ବର୍ଷୀୟ ସରକାରୀ କର୍ମଚାରୀଙ୍କ ଜିଭକୁ କାମୁଡ଼ିଲା ବିଷଧର ସାପ । ପୁରା ଶରୀରରେ ବିଷ ବ୍ୟାପିବାକୁ ରୋକିବା ପାଇଁ ବ୍ୟକ୍ତି ଜଣକ ଜିଭ କାଟିବା ପରେ ହୋଇପଡ଼ିଛନ୍ତି ଗୁରୁତର । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଲେ ଚିକିତ୍ସା ଜାରି ରହିଛି । ବ୍ୟକ୍ତି ଜଣକ ଜଣେ ପୂଜାରୀଙ୍କ କଥାରେ ଆସି ସାପକୁ ଫୁଙ୍କିବା ସମୟରେ ବିଷଧର ତାଙ୍କ ଜିଭକୁ କାମୁଡ଼ିଥିବା ଜଣାପଡ଼ିଛି (Employee injured after showing his tongue in front of a snake) ।
ଡାକ୍ତର ଶାନ୍ତିକୁମାରନଙ୍କ କହିବାନୁସାରେ କିଛି ଦିନ ପୂର୍ବେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବ୍ୟକ୍ତିଙ୍କ ଜିଭ ଭୟଙ୍କର ଦେଖାଯାଉଥିଲା । ଏହା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଆଣିଥିବା ଲୋକଙ୍କୁ ଏହା କିପରି ହୋଇଥିଲା ବୋଲି ପ୍ରଶ୍ନ କରିଥିଲେ । ତେବେ ସାପଟି ବ୍ୟକ୍ତିଙ୍କ ଜିଭକୁ କାମୁଡ଼ି ଦେଇଛି ଏବଂ ବିଷ ଶରୀରରେ ବ୍ୟାପିବାରୁ ରୋକିବା ଲାଗି ସେ ନିଜ ଜିଭ କାଟି ଦେଇଥିବା କହିଥିଲେ ଲୋକେ।
ଜିଭ କାଟିବା ପରେ ବ୍ୟକ୍ତିଙ୍କ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଫଳରେ ବ୍ୟକ୍ତିଙ୍କୁ ଶ୍ବାସକ୍ରିୟାରେ ମଧ୍ୟ କଷ୍ଟ ଅନୁଭବ ହୋଇଥିଲା । ଜିଭ କାଟିବା ପରେ ମଧ୍ୟ ବ୍ୟକ୍ତିଙ୍କ ଶରୀରରେ ବିଷ ବ୍ୟାପିଯାଇଥିବା ଜଣାପଡ଼ିଛି । ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ବଞ୍ଚାଇବା ଲାଗି ଡାକ୍ତରୀ ଟିମ ପ୍ରଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି ।
କଣ ଥିଲା ଘଟଣା ?
ସମ୍ପର୍କୀୟଙ୍କ କହିବାନୁସାରେ ରୋଗୀ ଜଣକ ପ୍ରାୟତଃ ସ୍ବପ୍ନରେ ସାପକୁ ଦେଖୁଥିଲେ । ଏ ସମ୍ପର୍କରେ ସେ ନିଜ ସମ୍ପର୍କୀୟଙ୍କୁ କହିବା ପରେ ସେମାନେ ତାଙ୍କୁ ଜଣେ ଜ୍ୟୋତିର୍ବିଦଙ୍କ ନିକଟକୁ ନେଇଥିଲେ । ଏହାପରେ ଜ୍ୟୋତିର୍ବିଦଙ୍କ କହିବାନୁସାରେ ସାପକୁ ପୂଜା କରୁଥିବା ଜଣେ ବ୍ୟକ୍ତିଙ୍କ ନିକଟକୁ ରୋଗୀଙ୍କୁ ନିଆଯାଇଥିଲା । ରୋଗୀଙ୍କ କହିବାନୁସାରେ ତାଙ୍କ ସ୍ବପ୍ନରେ ଆସୁଥିବା ସାପଟିର ନାମ ହେଉଛି ବୋଡ଼ା । ଉକ୍ତ ପ୍ରଜାତିର ସାପକୁ ପୂଜା ନ କଲେ ସେ ଏହିପରି ଭାବରେ ତାଙ୍କ ସ୍ବପ୍ନରେ ଆସୁଥିବା ବୋଲି କୁହାଯାଇଥିଲା । ଏହାପରେ ବୋଡ଼ା ସାପକୁ ପୂଜା ପାଇଁ ଆୟୋଜନ ହୋଇଥିଲା । ରୋଗୀଙ୍କ ପରିବାର ଭୟଭୀତ ଥିବାରୁ ଏହି ପୂଜା ପାଇଁ ମଧ୍ୟ ରାଜି ହୋଇଥିଲେ ।
ପୂଜା ପାଇଁ ସାପକୁ ପୂଜା କରୁଥିବା ବ୍ୟକ୍ତି ଜଣକ କିଛି ଅର୍ଥ ମଧ୍ୟ ଦାବି କରିଥିଲେ । ଏହାପରେ ପୂଜା ହୋଇଥିଲା । ମନ୍ତ୍ର ଉଚ୍ଚାରଣ ପରେ ଉକ୍ତ ପୂଜକ ଜଣକ ସାପ ଆଗରେ ତାଙ୍କର ଜିଭ ଦେଖାଇବାକୁ କହିଥିଲେ ଏବଂ ସାପକୁ ଫୁଙ୍କିବାକୁ କହିଥିଲେ । ଏପରି ୩ ଥର କରିବାକୁ କହିଥିଲେ । ୨ ଥର ଫୁଙ୍କିବା ପରେ ତୃତୀୟ ଥର ସାପଟି ବ୍ୟକ୍ତିଙ୍କ ଜିଭକୁ କାମୁଡ଼ିଥିଲା ।