ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଦେଖାଦେଇଛି ହଟଚମଟ । ଏହାରି ଭିତରେ ଦାଦା-ପୁତୁରାଙ୍କୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ଏବେ ଭିନ୍ନ ମୋଡ ନେଇଛି । ଏନସିପିର ଅସଲ ନେତୃତ୍ବ କିଏ ତାହାକୁ ନେଇ ଜାରି ରହିଥିବା ବିବାଦ ଭିତରେ ଆବଶ୍ୟକୀୟ ଦସ୍ତାବିଜ ଦାଖଲ ପାଇଁ ଉଭୟ ପକ୍ଷକୁ ସମୟ ଦେଇଥିଲେ ନିର୍ବାଚନ ଆୟୋଗ । ହେଲେ ବର୍ତ୍ତମାନ ସେପ୍ଟେମ୍ବର 8 ତାରିଖ ପର୍ଯ୍ୟନ୍ତ( ଅର୍ଥାତ୍ ଆଉ 3 ସପ୍ତାହ) ଏହି ଅବଧିକୁ ବଢାଇଛନ୍ତି ନିର୍ବାଚନ କମିଶନ । କିଛି ଦିନ ପୂର୍ବେ ଏନସିପିରେ କନ୍ଦଳ ଦେଖା ଦେବା ପରେ ଦଳୀୟ ଚିହ୍ନ ଓ ନେତୃତ୍ବକୁ ନେଇ ବିବାଦ ଉପୁଜିଥିଲା । ଏନେଇ ଅଜିତଙ୍କୁ ସମର୍ଥନ କରି ଅଧିକାଂଶ ବିଧାୟକ ଶରଦ ପାୱାରଙ୍କ ହାତ ଛାଡିବା ପରେ ଏହା ଦଳ ପାଇଁ ଏକ ପ୍ରକାର ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା ।
ତାଙ୍କ ସହ 40 ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇ ଦଳୀୟ ଚିହ୍ନ ଓ ନାଁ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି ଜଣାଇଥିଲେ ଅଜିତ ପାୱାର । ନିର୍ବାଚନ କମିଶନକୁ ଏନେଇ ଦିଆଯାଇଥିବା ଚିଠିରେ 40ରୁ ଉର୍ଦ୍ଧ୍ବ ବିଧାୟକଙ୍କ ଦସ୍ତଖତ ମଧ୍ୟ ରହିଥିଲା । ଏନସିପିରେ ସୃଷ୍ଟି ହୋଇଥିବା ବିଦ୍ରୋହ ମାମଲାର ବିଚାର କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ନିର୍ବାଚନ ଆୟୋଗ । ଯାହାକୁ ନେଇ ଉଭୟ ଗୋଷ୍ଠୀଙ୍କୁ ନୋଟିସ କରିଥିଲେ ନିର୍ବାଚନ ଆୟୋଗ । ଏନେଇ ଦସ୍ତାବିଜ ଦାଖଲ କରିବା ସମୟ ସୀମା ସେପ୍ଟେମ୍ବର 8 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ନିକଟରେ ଶରଦ ପାୱାରକୁ ପୁତୁରା ଅଜିତ ପାୱାର ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ହୋଇଥିବା ବୈଠକକୁ ନେଇ ଚର୍ଚ୍ଚା ଲାଗି ରହିଛି । ସୁପ୍ରିୟା ସୁଲେ କିମ୍ବା ଶରଦ ପାୱାରଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଅଜିତ ପ୍ରସ୍ତାବ ଦେଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ଏଭଳି କୌଣସି ଅଫର ଦିଆଯାଇନଥିବା କହି ଖଣ୍ଡନ କରିଛନ୍ତି ଶରଦ ପାୱାର । ସେ କହିଥିଲେ, 'ଅଜିତ ପାୱାର ମୋ ପୁତୁରା । ଏଣୁ ପରିବାରର ସଦସ୍ୟ ସହ ସାକ୍ଷାତ କରିବା କଥା ଅସ୍ବାଭାବିକ ନୁହେଁ । ହେଲେ ଏହାର ପ୍ରଭାବ ମହାବିକାଶ ଅଘାଡି ମେଣ୍ଟ ଉପରେ ପଡିବ ନାହିଁ।"
ଏନେଇ ଶରଦ ପାୱାର କହିଛନ୍ତି, "ଦେଶରେ ଶାସନର କ୍ଷମତା ବିଜେପି ହାତରେ ରହିଛି । ହେଲେ ଦଳର କିଛି କୁଚକ୍ରୀ ଗୋଷ୍ଠୀ ଏକତା ବଜାୟ ରଖିବା ପରିବର୍ତ୍ତେ ନିଜ ଭିତରେ କନ୍ଦଳ ସୃଷ୍ଟି କରିବାରେ ଲାଗିଛନ୍ତି ।ଏମିତିକି ଏହି ଦଳ କିଭଳି ଗୋଆ, ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ସରକାରର ପତନ କରାଇଛି ତାହା ମଧ୍ୟ ସମସ୍ତେ ଜାଣିଛନ୍ତି । ମୋ ଦଳ ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ନୋଟିସ ଦେଇଛନ୍ତି । ହେଲେ ମୋର ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, କେନ୍ଦ୍ରର ମୋଦି ସରକାରଙ୍କ କିଛି ଲୋକ ଉଦ୍ଧବ ଠାକରେଙ୍କ ଶିବସେନା ପାର୍ଟି ଉପରେ ଆୟୋଗର ନିଷ୍ପତ୍ତିକୁ ବିରୋଧ କରିଥିଲେ । ଏହା ମଧ୍ୟ ଆମ ସହିତ ହୋଇପାରେ ।"
ତେବେ ପୂର୍ବରୁ ମହାରାଷ୍ଟ୍ରରେ ସରକାରକୁ ବଞ୍ଚାଇବା ପାଇଁ ଶିନ୍ଦେଙ୍କ ଉପରେ ନିର୍ଭର କରୁଥିବା ବିଜେପି ପାଇଁ ଏକ ବଡ଼ ଅସ୍ତ୍ର ସାଜିଛନ୍ତି ଅଜିତ । ଆଉ ଏହାରି ଭିତରେ ଏନସିପିର ଅଡୁଆ ପରିସ୍ଥିତି ମହାରାଷ୍ଟ୍ର ରାଜନୀତିକୁ ଓଲଟପାଲଟ କରି ପକାଇଛି ।