ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମାଲବାହୀ ଟ୍ରେନ ଦୁର୍ଘଟଣା । ଦୁଇ ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛି । ଉତ୍ତରପ୍ରଦେଶର ସୁଲତାନପୁର ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ଟ୍ରେନର ଦୁଇ ଲୋକ ପାଇଲଟ ଗୁରୁତର ହୋଇଥିବା ସୂଚନା ରହିଛି । ଟ୍ରେନ ଧକ୍କା ଯୋଗୁଁ ଟ୍ରାକରୁ 8ଟି ବଗି ଖସିଯାଇଥିବା ବେଳେ ଟ୍ରାକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେଣୁ ସୁଲତାନପୁର ଦେଇ ଯାଉଥିବା ଟ୍ରେନର ଗତିପଥକୁ ପରିବର୍ତ୍ତନ କରାଯାଇଛି । ଏହାସହ ଯୁଦ୍ଧ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ରେଳବାଇ ପକ୍ଷରୁ କୁହାଯାଇଛି, "ମାଲବାହୀ ଟ୍ରେନ ବାରଣାସୀରୁ ସୁଲତାନପୁର ଅଭିମୁଖେ ଆସୁଥିଲା । ତେବେ ଭୋର ସମୟରେ ସୁଲତାନପୁର ନିକଟସ୍ଥ ରେଳ ଷ୍ଟେସନ ନିକଟରେ ଦୁଇ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ଲୋକ ପାଇଲଟ ଟ୍ରାକ ସିଗନାଲ ନଦେଖି ଟ୍ରେନ ଚଳାଉଥିବାରୁ ଏଭଳି ଅଘଟଣ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଦୁର୍ଘଟଣା ପରେ ଷ୍ଟେସନରେ ଲାକଙ୍କ ଗହଳି ଜମିଥିବା ବେଳେ ଆହତ ଲୋକ ପାଇଲଟଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । "
ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାସ୍ଥଳରେ ରେଳ ବିଭାଗର କର୍ମଚାରୀ, ଉଦ୍ଧାରକାରୀ ଟିମ ଏବଂ ଇଞ୍ଜିନିୟର ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଡିଏମ ରବିଶ ଗୁପ୍ତାଙ୍କ ନିର୍ଦ୍ଦେଶରେ ଏସଡିଏମ ସିପି ପାଠକ ଘଟଣାସ୍ଥଳରେ ପହଞ୍ଚି ଲୋକପାଇଲଟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଏହି ଦୁର୍ଘଟଣାରେ ରେଳ ଟ୍ରାକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମରାମତି କାର୍ଯ୍ୟ ଜାରି ରହିଛି । ତେବେ ସୁଲତାନପୁର ଦେଇ ବାରଣାସୀ ଏବଂ ଲକ୍ଷ୍ନୌ ଯାଉଥିବା ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ପ୍ରତାପଗଡ ଏବଂ ଅଯୋଧ୍ୟା ଦେଇ ଯାତାୟତ କରିବା ନେଇ ରେଳ ବିଭାଗ ପକ୍ଷରୁ କୁହାଯାଇଛି । କେଉଁ ପରିସ୍ଥିତିରେ ଏଭଳି ଅଘଟଣ ହୋଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ରେଳ ପରିଚାଳକ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଷ୍ଟେସନରେ ଲୋକଙ୍କ ସମାଗମ ହୋଇଥିବା ବେଳେ ଟ୍ରେନ ବଗିକୁ ଉଠାଇବା ପାଇଁ ପ୍ରୟାସ କରାଯାଉଥିବା ନେଇ ସୂଚନା ରହିଛି ।
ଏନେଇ ଏସଡିଏମ ସିପି ପାଠକ କହିଛନ୍ତି, " ଟ୍ରାକରୁ ଖସିଯାଇଥିବା ବଗିକୁ ଉଠାଇବା ପାଇଁ ଲକ୍ଷ୍ନୌରୁ ଉଦ୍ଧାରକାରୀ ଟିମ ପହଞ୍ଚିଛନ୍ତି । ବିଳମ୍ବିତ ରାତି ସୁଦ୍ଧା ଉଦ୍ଧାର କାର୍ଯ୍ୟ ସହ ମରାମତି କାର୍ଯ୍ୟ ଶେଷ ହେବା ନେଇ ଆଶା ରଖିଛୁ । କେଉଁ ପରିସ୍ଥିତିରେ ଏଭଳି ଏକ ଟ୍ରେନ ଦୁର୍ଘଟଣା ହେଲା ସେନେଇ ତଦନ୍ତ ଆରମ୍ଭ କରାଯାଇଛି । "
ଷ୍ଟେସନ୍ ମାଷ୍ଟର ଏସଏସ୍ ମୀନା କହିଛନ୍ତି," ବାରାଣାସୀରୁ ଆସୁଥିବା କାର୍ଗୋ ଟ୍ରେନ୍ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଟ୍ରେନକୁ ଅଟକିବା ପାଇଁ ସିଗନାଲ ଦିଆଯାଇଥିବା ସତ୍ତ୍ବେ ମଧ୍ୟ ପାଇଲଟ ନଦେଖି ଟ୍ରେନ ଚଳାଇଥିଲେ । କିନ୍ତୁ ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ