ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଡ଼ୁଆରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କୁ ପୁଣିଥରେ ଇଡିରୁ ସମନ ଆସିଛି । ଚତୁର୍ଥ ଥର ପାଇଁ କେଜ୍ରିୱାଲଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଆସନ୍ତା 18 ତାରିଖରେ ପଚରାଉଚରା ପାଇଁ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ତାଙ୍କୁ 3 ଥର ସମନ କରାଯାଇଥିଲେ ହେଁ ସେ ହାଜର ହୋଇନଥିଲେ । ଏହି ସମନଗୁଡିକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଏଡ଼ାଇ ଦେଇଥିଲେ ଆପ୍ ସୁପ୍ରିମୋ ।
ଏହା ମଧ୍ୟ ପଢନ୍ତୁ: ଇଡି ସମନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ କେଜ୍ରିୱାଲ, ଆଜି ହେବେନି ହାଜର
ଗତ ଜାନୁୟାରୀ 3 ତାରିଖରେ ହାଜର ହେବାକୁ ଇଡି ତୃତୀୟ ଥର କେଜ୍ରିୱାଲଙ୍କୁ ନୋଟିସ ପଠାଇଥିଲା । ଏହା ପୂର୍ବରୁ ନଭେମ୍ବର 2 ଓ ଡିସେମ୍ବର 21ରେ ସମନ ହୋଇଥିଲେ ହେଁ ତଦନ୍ତ ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲ ମନା କରି ଦେଇଥିଲେ । ତାଙ୍କର କହିବା କଥା ଥିଲା, ସେ ସବୁପ୍ରକାର ଆଇନଗତ ସମନକୁ ଗ୍ରହଣ କରିବାକୁ ପ୍ରସ୍ତୁତ । କିନ୍ତୁ ଇଡିର ଏହି ସମନଗୁଡ଼ିକ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟମୂଳକ । ଏହାକୁ ଫେରାଇ ନିଆଯିବା ଉଚିତ୍ । କେବଳ ତାଙ୍କୁ ଗିରଫ କରିବା ଉଦ୍ଦେଶ୍ୟରେ ସମନ କରାଯାଉଛି । ତେବେ ସେ ନିଜର ପୁରା ଜୀବନ ସଚ୍ଚୋଟତା ଓ ପାରଦର୍ଶିତାର ସହ ବଞ୍ଚିଛନ୍ତି । ତାଙ୍କ ପାଖରେ ଲୁଚାଇବାକୁ କିଛି ନାହିଁ ବୋଲି ଜବାବ ପଠାଇଥିଲେ କେଜ୍ରିୱାଲ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ଆପ୍ ସରକାର 2021 ମସିହାରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ଏହି ନିୟମ ଅନୁସାରେ ଘରୋଇ ଦୋକାନରେ ମଦ ବିକ୍ରି ନେଇ ଅନୁମତି ଦେଇଥିଲେ । ଏହାପରେ ସରକାରୀ ଦୋକାନଗୁଡିକୁ ବନ୍ଦ କରାଯାଇଥିଲା । ତେବେ ଅବକାରୀ ନୀତି ଓ ମଦ ବିକ୍ରି କରିବା ଲାଗି ଜାରି ହେଉଥିବା ଲାଇସେନ୍ସରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ପରେ ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ଇଡି ଓ ସିବିଆଇ ଏହି ମାମଲାର ତଦନ୍ତ କରୁଛନ୍ତି ।
ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ଜେଲରେ ଅଛନ୍ତି । ଗତବର୍ଷ ଫେବ୍ରୁଆରୀରେ ସିସୋଦିଆଙ୍କୁ ଗିରଫ କରାଯାଇଥିଲା । ଏକାଧିକ ରାଉଣ୍ଡ ସମନ ଏବଂ ତାଙ୍କର ଅଫିସ ଓ ଘରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିର ଚଢାଉ ପରେ ସେ ଗିରଫ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ