ଶ୍ରୀନଗର: ଭୂମିକମ୍ପ ଝଟକାରେ ଥରିଲା ଲଦାଖ । ଆଜି(ମଙ୍ଗଳବାର) ଭୋର୍ ସକାଳୁ ଲେହ ଲଦ୍ଦାଖରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଏହାର ଗଭୀରତା ୫ କିଲୋମିଟର ରହିଛି । ତେବେ ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ହୋଇଥିବାର କୌଣସି ସୂଚନା ନାହିଁ । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(NCS) ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ଆଜି ଭୋର୍ ୪ଟା ୩୩ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୋର୍ ସମୟ ହୋଇଥିବାରୁ ଲୋକମାନେ ଘରେ ଶୋଇଥିଲେ । ଶୋଇବା ଅବସ୍ଥାରେ ଭୂମିକମ୍ପ ଝଟକା ଲାଗିବା ପରେ ଲୋକେ ଖୁବ୍ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । NCS ପକ୍ଷରୁ କୁହାଯାଇଛି ଯେ, ଲଦ୍ଦାଖରେ ଭୂକମ୍ପ ଝଟକା ପୂର୍ବରୁ ଜମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ମଧ୍ୟରାତ୍ରି ୧ଟା ୧୦ ମିନିଟରେ ଏହି ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ରେକର୍ଡ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ଚୀନରେ ଭୟଙ୍କର ଭୂମିକମ୍ପ; ଗଲାଣି ୧୧୧ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
ଏ ବର୍ଷର ପ୍ରଳୟଙ୍କାରୀ ଭୂମିକମ୍ପ:
ଚଳିତ ବର୍ଷ ଆରମ୍ଭରୁ ଅନେକ ବଡ ବଡ ଭୂମିକମ୍ପ ଦେଖିଛି ବିଶ୍ୱ । ନିୟମିତ ବ୍ୟବଧାନରେ କେଉଁଠି ନା କେଉଁଠି ଭୂକମ୍ପ ହେଉଛି । କିଛି ଦିନ ତଳେ ଚୀନର ଗାଂସୁ ପ୍ରଦେଶରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ୬.୨ ତୀବ୍ରତାର ଏହି ଶକ୍ତିଶାଳୀ ଭୂକମ୍ପ ଗାଂସୁରେ ମୃତ୍ୟୁର ବିଭୀଷିକା ରଚିଥିଲା । ଏଥିରେ ୧୧୫ରୁ ଅଧିକ ଲୋକଙ୍କ ଜୀବନ ହାନି ଘଟିଥିବା ବେଳେ ୨୦୦ ଲୋକେ ଆହତ ହୋଇଥିଲେ । ହଜାର ହଜାର ବଡ଼ ବଡ଼ ଅଟ୍ଟାଳିକା ମାଟିରେ ମିଶି ଯାଇଥିଲା ।
ସେହିପରି ନଭେମ୍ବରରେ ନେପାଳରେ ୬.୪ ତୀବ୍ରତାର ବଡ଼ ଧରଣର ଭୂକମ୍ପ ହୋଇଥିଲା । ବିଳମ୍ବିତ ରାତିରେ ଏହି ଭୂକମ୍ପ ସଂଗଠିତ ହୋଇଥିବାରୁ ବହୁ ଧନଜୀବନ କ୍ଷୟକ୍ଷତି ଘଟିଥିଲା । ୧୩୦ରୁ ଅଧିକ ଲୋକେ ଭଙ୍ଗା କୋଠା ତଳେ ଦବି ହୋଇ ପ୍ରାଣ ହରାଇଥିଲେ ।
ସେପ୍ଟେମ୍ବରରେ ଆଫ୍ରିକୀୟ ଦେଶ ମରକ୍କୋରେ ମୃତ୍ୟୁର ତାଣ୍ଡବ ରଚିଥିଲା ଭୂକମ୍ପ । ୬.୯ ତୀବ୍ରତାର ଭୟଙ୍କର ଭୂକମ୍ପ ମରକ୍କୋରେ ଲାସ୍ର ପାହାଡ ଗଦା କରିଥିଲା । ପ୍ରାୟ ୨,୮୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନେକ ଲୋକଙ୍କ କୌଣସି ପତ୍ତା ମିଳିନଥିଲା ।
ବର୍ଷ ଆରମ୍ଭରୁ ପ୍ରଥମେ ମୃତ୍ୟୁର ବିଭୀଷିକା ଦେଖିଥିଲା ତୁର୍କୀ ଓ ସିରିୟା । ଦୁଇ ଦେଶରେ ଘଟିଥିବା ବିନାଶକାରୀ ଭୂକମ୍ପ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା । ଦୁଇ ଦେଶରେ ୫୦ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ । ସେଥିମଧ୍ୟରୁ କେବଳ ତୁର୍କୀରେ ୪୪ ହଜାରରୁ ଅଧିକ ପ୍ରାଣହାନି ଘଟିଥିଲା । ଦିନ ବିତୁଥିଲା, ମୃତ୍ୟୁସଂଖ୍ୟା ବଢୁଥିଲା । ଭଙ୍ଗା କୋଠା ତଳୁ ନିସ୍ତେଜ ଶରୀର ବାହାର କରିଥିଲେ ରେସ୍କ୍ୟୁ ଟିମ୍ । ଅନେକ ଦିନ ଧରି ଚାଲିଥିଲା ରେସ୍କ୍ୟୁ ଅପରେସନ ।