ଜୟପୁର: ଅଜମର୍ ଜିଲ୍ଲାର ଗିଗାଲପୁରା ଅଞ୍ଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ପାରିବାରିକ କଳହ ସହିନପାରି ଜଣେ ମହିଳା ନିଜର ଚାରି ପିଲାଙ୍କ ସହ କୂଅକୁ ଡେଇଁ ପଡି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫଳରେ 4 ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଗ୍ରାମବାସୀ ।
ସୂଚନାନୁସାରେ, ଶୁକ୍ରବାର ରାତିରେ ମୋତି ଦେବୀ ସ୍ବାମୀ ବୋଡୁ ଗୁରୁଜାରଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାକୁ ସହିପାରିନଥିଲେ ମୋତି । ପ୍ରତିଦିନ ଏଭଳି ପାରିବାରିକ କଳହକୁ ନେଇ ଚିନ୍ତାରେ ରହୁଥିଲେ ସେ । ଶେଷରେ ନେଇଥିଲେ ଚରମ ନିଷ୍ପତ୍ତି । 4 ଶିଶୁଙ୍କୁ ଧରି କୂଅକୁ ଡେଇଁ ପଡିଥିଲେ । ମୃତ 4 ଶିଶୁ ହେଲେ କୋମଲ (4), ରିଙ୍କୁ (3), ରାଜଭୀର (2) ଏବଂ ଦେବରାଜ ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସମସ୍ତଙ୍କୁ କୂଅ ଭିତରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ୪ ଶିଶୁଙ୍କୁ ମୃତ ଘୋଷଣା କରିଥିବା ବେଳେ ମହିଳା ଜଣକ ଏବେ ବି ଚିକିତ୍ସାଧୀନ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ