ଲକ୍ଷ୍ନୌ: ମଦ ନିଶାରେ ଚୁର୍ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ । ଘରେ ପତ୍ନୀ ସହ ଦୁଇ ପିଲା ଶୋଇଥିବା ବେଳେ ଲଗାଇଦେଲା ନିଆଁ । ଉତ୍ତର ପ୍ରଦେଶ କପ୍ତାନଗଞ୍ଜ ଇଲାକାରେ ଏଭଳି ଲୋମୋଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ପିଲାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
କୁଶୀନଗର ଜିଲ୍ଲା କପ୍ତାନଗଞ୍ଜ ଥାନା ମୁଣ୍ଡେରା ଗାଁରେ ରାମସମୁଝ ନାମକ ବ୍ୟକ୍ତି ପ୍ରତ୍ୟେକ ଦିନ ମଦ୍ୟପାନ ଘରେ ଝଗଡ଼ା କରୁଥିଲା । ତେବେ ଜୁନ୍ ୨୩ ତାରିଖରେ ଏହି ଝଗଡ଼ା ଚରମ ସୀମାରେ ପହଞ୍ଚିଥିଲା । ମଦ୍ୟପ ଜଣକ ନିଶାସକ୍ତ ଅବସ୍ଥାରେ ପତ୍ନୀ ଶୁଭବତୀଙ୍କ ସହ ପିଲାଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଭୟରେ ମହିଳା ଜଣକ ଛୁଆଙ୍କୁ ନେଇ ସ୍ଥାନୀୟ ସ୍କୁଲ୍ରେ ଲୁଚିଥିଲେ ।
କିଛି ସମୟ ପରେ ସେ ଦୁଇ ପିଲାଙ୍କୁ ନେଇ ଘରେ ଶୋଇ ଯାଇଥିଲେ । ଏହି ସମୟରେ ମଦ୍ୟପ ପେଟ୍ରୋଲ ପକାଇ ଘରେ ନିଆଁ ଲଗାଇ ଦେଇଥିଲା । ସୂଚନା ପାଇବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ସହ ଦୁଇ ପିଲାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲା । ତୁରନ୍ତ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଦୁଇ ପିଲାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେପଟେ ଘଟଣା ପରେ ଅଭିଯୁକ୍ତ ଫେରାର ରହିଛି । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜା ଜାରି ରଖିଛି ।