ଚେନ୍ନାଇ: ଆସନ୍ତା 20 ତାରିଖରେ ତାମିଲନାଡୁର ତ୍ରିଚି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତ ସମସ୍ତରେ ସେ ଶ୍ରୀ ରଙ୍ଗନାଥସାମୀ ମନ୍ଦିର ପରିଦର୍ଶନ କରିବେ । ତେଣୁ ସୁରକ୍ଷା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ତ୍ରିଚିରେ 4 ଦିନ ପାଇଁ ଡ୍ରୋନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । 4 ଦିନ ପର୍ଯ୍ୟନ୍ତ କେହି ଡ୍ରୋନ ବ୍ୟବହାର କରିପାରିବେ ନାହିଁ । ନଚେତ୍ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଗତକାଲି (ବୁଧବାର) ଏକ ବିଜ୍ଞପ୍ତି ଯୋଗେ ସୂଚନା ଦିଆଯାଇଛି ।
ବିଜ୍ଞପ୍ତି ଅନୁସାରେ, ଜାନୁଆରୀ 17 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଡ୍ରୋନ ଉଡାଣ ଉପରେ ପ୍ରତିବନ୍ଧକ ରହିବ । ଅର୍ଥାତ ଏହା ଗତକାଲିଠାରୁ ଲାଗୁ ହୋଇଥିବା ବେଳେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଡ୍ରୋନ ଏବଂ ଅନ୍ୟାନ୍ୟ ବସ୍ତୁର ଉଡାଣ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଲ୍ଲାପାଳ ପ୍ରଦୀପ କୁମାର ଚେତାବନୀ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଗୁରୁବାୟୁର ମନ୍ଦିରରେ ପ୍ରଧାନମନ୍ତ୍ରୀ: ପାଦ ଛୁଇଁଲେ ନବ ଦମ୍ପତି, ଉପହାର ଦେଲେ ମୋଦି
ବିଜ୍ଞପ୍ତି ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁଆରୀ 19 ତାରିଖରେ ମହାରାଷ୍ଚ୍ର, କର୍ଣ୍ଣାଟକ ଏବଂ ତାମିଲନାଡୁ ଗସ୍ତ କରିବେ । ତେବେ 3ଟି ରାଜ୍ୟ ଗସ୍ତ ସମୟରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଆସନ୍ତା ଜାନୁଆରୀ 20 ତାରିଖରେ ପ୍ରଧାନମନ୍ତ୍ରୀଙ୍କର ତ୍ରିଚି ଗସ୍ତ କାର୍ଯ୍ୟକ୍ରମ ରହିଛି । 3 ରାଜ୍ୟ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀ ଦୁଇ ଦିନିଆ କେରଳ ଗସ୍ତରେ ଯାଇ ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରରେ ଦେଶର ନାଗରିକଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ । ଏନେଇ ମୋଦି ଟ୍ବିଟ୍ କରି ସୂଚନା ଦେଇଥିଲେ । ତେବେ ମନ୍ଦିର ପରିଦର୍ଶନ ସମୟରେ ମୁଣ୍ଡୁ ଏବଂ ଭେସଥି ପରିଧାନ କରିଥିଲେ ପ୍ରଧାନମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ: ମୁଣ୍ଡୁ-ଭେସଥି ପରିଧାନ କରି ଗୁରୁବାୟୁର ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରିବେ ମୋଦି: ଆଜି (ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକାଶ ସଂକଳ୍ପ ଯାତ୍ରାକୁ ସମ୍ବୋଧିକ କରିବା ନେଇ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଦେଶରେ ଅନେକ ଲାଭାର୍ଥୀ ଯୋଗଦେବେ । ଆଜି ମଧ୍ୟାହ୍ନ 12ଟା 30 ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ସମ୍ବୋଧିତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତ ସଂକଳ୍ପ ଯାତ୍ରାର ଲାଭାର୍ଥୀଙ୍କ ସହିତ ଆଭାସୀରେ କଥା ହେବେ ମୋଦି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ