ହାଇଦ୍ରାବାଦ: ପୋଷା ଜୀବଜନ୍ତୁଙ୍କୁ ମାଲିକମାନେ ଅନାବିଳ ପ୍ରେମ କରୁଥିବାର ଅନେକ ଭିଡିଓ ତଥା ଖବର ପ୍ରାୟତଃ ସାଧାରଣ । ହେଲେ ଏଠାରେ ତାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି । ନିଜ ପୋଷା କୁକୁରକୁ ଲୁହା ଚେନରେ ବାନ୍ଧି ରାସ୍ତାରେ ବାଇକରେ ଘୋଷାଡିଲା ମାଲିକ । ରକ୍ତାକ୍ତ ଅବସ୍ଥାରେ କିଛି ଯାତ୍ରୀ କୁକୁରକୁ ଉଦ୍ଧାର କରିଛନ୍ତି । ଏପରି କିଛି ଅଭାବନୀୟ ଘଟଣା ବିହାର ଗୟାରେ ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।
ବିହାରର ଗୟା ସହରରେ ଜଣେ ବ୍ୟକ୍ତି ଏକ କୁକୁରକୁ ବାଇକରେ ବାନ୍ଧି ଘୋଷାଡି ଘୋଷାଡି ନେଉଥିବା ଦେଖାଯାଇଥିଲା । କୁକୁରଟି ଜୀବିତ ଥିବା ଜଣାପଡିବା ପରେ ସମ୍ପୃକ୍ତ ବାଇକ ଚାଳକକୁ କିଛି ସ୍ଥାନୀୟ ଯୁବକ ଅଟକାଇଥିଲେ । ପରେ ଏପରି ଘୋଷାଡି ନେଉଥିବା ବ୍ୟକ୍ତିଜଣଙ୍କ କୁକୁରର ମାଲିକ ବୋଲି ଜଣାପଡିଥିଲା । ଏନେଇ ତାଙ୍କୁ ପ୍ରଶ୍ନ କରିବାରୁ ସେ ଅଜବ ଉତ୍ତର ଦେଇଥିଲେ । ସେ ତାଙ୍କ ପୋଷା କୁକୁରକୁ ବୁଲାଇବାକୁ ଆଣିଥିଲେ ଓ ବାଇକରେ ବାନ୍ଧି ନେଇଯାଉଛନ୍ତି ବୋଲି ସମ୍ପୃକ୍ତ ବ୍ୟକ୍ତିଜଣଙ୍କୁ କହୁଥିବା ଭିଡିଓରେ ଦେଖାଯାଇଛି ।
ପ୍ରାୟ ଏକ କି.ମିରୁ ଅଧିକ ବାଟ ରାସ୍ତାରେ ଘୋଷାଡି ହୋଇଆସିଥିବା କୁକୁରଟି ରକ୍ତାକ୍ତ ହୋଇପଡିଥିଲା । କୁକୁରକୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଛନ୍ତି । ସମ୍ପୃକ୍ତ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ନାହିଁ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଭାରତରେ ପଶୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବା ବର୍ବରତାକୁ ରୋକିବା ପାଇଁ 1960 ମସିହାରେ ପ୍ରିଭେନସନ୍ ଅଫ୍ କ୍ରୁଲିଟି ଟୁ ଆନିମଲ୍ସ ଆକ୍ଟ (ପଶୁ ବର୍ବରତା ନିରୋଧ ଆଇନ) ପ୍ରଣୟନ କରାଯାଇଥିଲା । 1962 ମସିହାରେ ଦେଶରେ ପଶୁ କଲ୍ୟାଣ ବୋର୍ଡ ମଧ୍ୟ ଗଠନ କରାଯାଇଥିଲା ।
ଆଇପିସିର ଧାରା 428, 429 ଏବଂ PCA ଆକ୍ଟର ଧାରା 11 ଅନୁଯାୟୀ ପଶୁପକ୍ଷୀଙ୍କ ପ୍ରତି ବର୍ବରତା ଏକ ଧର୍ତ୍ତବ୍ୟ ତଥା ଦଣ୍ଡନୀୟ ଅପରାଧ । ସେହିପରି 2011 ମସିହାରେ ସରକାର ଆଣିଥିବା ପଶୁ ଜନ୍ମ ନିୟନ୍ତ୍ରଣ ଆଇନ ଅନୁଯାୟୀ, ଆବଶ୍ୟକ ପଡିଲେ ବୁଲା ପଶୁମାନଙ୍କର ବନ୍ଧ୍ୟାକରଣ କରାଯାଇପାରିବ କିନ୍ତୁ ହତ୍ୟା କରାଯାଇପାରିବ ନାହିଁ । ତେବେ ତମାମ ବ୍ୟବସ୍ଥା ପରେ ମଧ୍ୟ ମଣିଷ କେତେବେଳେ ବୁଲା ପଶୁ ତ କେତେବେଳେ ନିଜର ପାଳିତ ପଶୁ ପ୍ରତି ବର୍ରରୋଚିତ କାଣ୍ଡ ଭିଆଉଛି । ଯାହାର ଏକାଧିକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଯାହାକୁ ନେଇ ପଶୁପ୍ରେମୀମାନେ ଉଦବେଗ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ