ଥିରୁବନନ୍ତପୁରମ: କୁକୁରକୁ ନିର୍ମମ ଭାବେ ହତ୍ୟା କରିବା ପଡିଲା ମହଙ୍ଗା । ଅଭିଯୋଗ ପରେ 3 ଜଣଙ୍କୁ ଗିରଫ କଲା ପୋଲିସ । କେରଳ ଭିଜିନଜାମର ଆଡିମାଲାଥୁରାରେ ଏହି ଘଟଣାଟି ଘଟିଥିବା ବେଳେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡିଛି । ଏକ ମାଛ ଧରା ଡଙ୍ଗାରେ ପୋଷା କୁକୁରଟିକୁ ବାନ୍ଧି ପିଟି ପିଟି ହତ୍ୟା କରାଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ କୁକୁରଟି ଆଡିମାଲାଥୁରାର ମୂଳ ବାସିନ୍ଦା ଖ୍ରୀଷ୍ଟୁରଜଙ୍କର ଅଟେ । କୁକୁରଟି ସମୁଦ୍ରକୁଳକୁ ଖେଳିବାକୁ ଯାଇଥିବା ବେଳେ ଡଙ୍ଗା ତଳେ ବିଶ୍ରାମ ନେଉଥିଲା । ଏହି ସମୟରେ କୁକୁରଟିକୁ ଆକ୍ରମଣ କରାଯାଇଥିଲା । ଏନେଇ କୁକୁରଟିର ମାଲିକ ଭିଜିନଜାମ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଭିଡିଓଟିକୁ ଭାଇରାଲ କରିଥିବା ବ୍ୟକ୍ତିଙ୍କୁ ଅଭିଯୁକ୍ତ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି ।
ପଶୁଙ୍କୁ ଅତ୍ୟାଚାର ଅଭିଯୋଗରେ ଆଇପିସି ଧାରାରେ ଏକ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ମାଙ୍କୁ କୁକୁରଟି କାମୁଡି ଦେବାରୁ ତାକୁ ଆକ୍ରମଣ କରାଯାଇଥିବା ପୋଲିସକୁ ସୂଚନା ଦେଇଛନ୍ତି ଅଭିଯୁକ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ