ରାୟପୁର: ଶୂନଶାନ ସ୍ଥାନ ହେଉ କିମ୍ବା ଗହଳି, ମହିଳାଟିଏ ସର୍ବଦା ନିଜକୁ ଅସୁରକ୍ଷିତ ମଣିଥାଏ । ବର୍ତ୍ତମାନ ସମୟରେ ମହିଳାଙ୍କ ସୁରକ୍ଷା ଏକ ମୁଖ୍ୟ ସମସ୍ୟା ପାଲଟିଗଲାଣି । ଏହି ପରିପ୍ରେକ୍ଷୀରେ ଛତିଶଗଡର ଜଣେ ଝିଅ ଏପରି ଏକ ମହିଳା ସୁରକ୍ଷା ଡିଭାଇସ ପ୍ରସ୍ତୁତ କରିଛନ୍ତି, ଯେଉଁଥି ପାଇଁ ତାଙ୍କ ପାଖକୁ ବାଃ ବାଃ ଛୁଟୁଛି । ଧମତାରୀର ସିଦ୍ଧି ପାଣ୍ଡେ, ମହିଳା ସୁରକ୍ଷା ଚପଲ ଏବଂ ମହିଳା ସୁରକ୍ଷା ପର୍ସ ପ୍ରସ୍ତୁତ କରିଛନ୍ତି ।
ଚପଲରେ ଏକ ଡିଭାଇସ ରଖିଛନ୍ତି ସିଦ୍ଧି, ଯାହାକୁ ଛୁଇଁବା ମାତ୍ରେ 100 ଭୋଲ୍ଟର ଝଟକା ଲାଗିବ । ଏକୁଟିଏ ଯାଉଥିବା ସମୟରେ କିମ୍ବା କୌଣସି ସ୍ଥାନରେ ଜଣେ ମହିଳାଙ୍କୁ ଅସୁରକ୍ଷିତ ଲାଗିଲେ, ସେ ଡିଭାଇସରେ ଥିବା ସ୍ବିଚକୁ ଅନ୍ କରିପାରିବେ, ଯାହାଦ୍ବାରା ଯଦି କେହି ତାଙ୍କୁ ଛୁଇଁବାକୁ ଚେଷ୍ଟା କରନ୍ତି ତେବେ 100 ଭୋଲ୍ଟର ଝଟକା ଲାଗିବ ଏବଂ ମହିଳା ଜଣକ ନିଜକୁ ସୁରକ୍ଷିତ ସେଠାରୁ ବଞ୍ଚାଇ ପାରିବ । ସେହିପରି ପର୍ସରେ ମଧ୍ୟ ସୁରକ୍ଷା କବଚ ଲଗାଇଛନ୍ତି ସିଦ୍ଧି ।
ତେବେ ଏଥିପାଇଁ ମଶା ମାରିବା ର୍ୟାକେଟର ଏକ କିଟ୍ ବ୍ୟବହାର କରାଯାଇଛି, ଯାହା ଚପଲ ତଳେ ରଖାଯାଇଛି । ଏହାକୁ ବ୍ୟାଟେରୀ ମାଧ୍ୟମରେ ରିଚାର୍ଜ କରାଯାଇଥାଏ । ସିଦ୍ଧ ଏହାକୁ ଚପଲରେ ଏପରି ଫିଟ୍ କରିଛନ୍ତି ଯେ, ତାହା ଆଦୌ ବାହାରକୁ ଦେଖାଯାଏ ନାହିଁ । ସେହିପରି ଦ୍ବିତୀୟ ଉପକରଣ ପର୍ସରେ ପୋଲିସ୍ ସାଇରନ୍ ଲଗାଇଛନ୍ତି ସିଦ୍ଧି ।
ଯଦି ଜଣେ ମହିଳା ଆଗକୁ ବିପଦ ଥିବା ଆଶଙ୍କା କରନ୍ତି, ତେବେ ସେ ତାଙ୍କ ପର୍ସରେ ଥିବା ଏକ ଛୋଟ ବଟନକୁ ଦବାଇବା ମାତ୍ରେ ସାଇରନ୍ ଶୁଭିବ । ପୋଲିସ୍ ଏହିପରି ସାଇରନ୍ ଶୁଣିବା ମାତ୍ରେ ନିଶ୍ଚିତ ଭାବେ ଅପରାଧୀ ଭୟଭୀତ ହେବ । ଏଥିସହ ପର୍ସରେ ମଧ୍ୟ ଜିପିଏସ ସୁବିଧା ରଖାଯାଇଛି । ପର୍ସରେ ଥିବା ଏହି ଡିଭାଇସ ଲୋକେସନ ଅନ୍ କରିବା ଦ୍ବାରା ଘରେ ଥିବା ମୋବାଇଲ୍ ମାଧ୍ୟମରେ ଜିପିଏସ ଟ୍ରାକ କରାଯାଇପାରିବ । ଯାହାଦ୍ବାରା ମହିଳା ଜଣକ ଠିକ୍ ରାସ୍ତାରେ ଯାଉଛନ୍ତି କି ନାହିଁ ତାହା ମଧ୍ୟ ଜଣାଯାଇ ପାରିବ । ସିଦ୍ଧ କହିଛନ୍ତି ଯେ, ଏହି ଉପକରଣ ତିଆରି କରିବା ପାଇଁ କେବଳ ସାଢେ ସାତ ଶହ ଟଙ୍କା ଖର୍ଚ୍ଚା ହୋଇଛି ।
ସେ କହିଛନ୍ତି ଯେ, ଏହି ଡିଭାଇସକୁ ପ୍ରେରଣ ପାଇଁ ସିଦ୍ଧି ଜାପାନ ସହ ଚୁକ୍ତି କରିଥିଲେ । କିନ୍ତୁ ଲକଡାଉନ ପାଇଁ ପ୍ରତିବନ୍ଧକ ଲାଗିଥିଲା । ବର୍ତ୍ତମାନ କଟକଣା କୋହଳ ହେବା ଦ୍ବାରା ବିଶ୍ବବ୍ୟାପୀ ହୋଇପାରିବ ଏହି ସୁରକ୍ଷା କବଚ । ଏହାପୂର୍ବରୁ ସେ ରାଜ୍ୟରେ ଏକ ବିଜ୍ଞାନ ମେଳାରେ ମଧ୍ୟ ମହିଳା ସୁରକ୍ଷା ଡିଭାଇସର ପ୍ରଦର୍ଶନ କରିଥିଲେ । ଦିଲ୍ଲୀ IITରେ ମଧ୍ୟ ଏହାକୁ ଚୟନ କରାଯାଇଛି । ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ସିଦ୍ଧିଙ୍କ ସୁରକ୍ଷା କବଚ ପ୍ରଦର୍ଶନ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ