ରାୟପୁର: ପୁଣି ବାଜିଲା ଶାହାନାଇ, ହାତଗଣ୍ଠି ପଡ଼ିଲା ଆଉ ବିଧବା ବୋହୂ ମଥାରେ ସିନ୍ଦୁର ଲାଗିଲା । ଶାଶୁ ଘରୁ ଝିଅ ପରି ବିଦା ହେଲା ବୋହୂ । ଯେଉଁଠି ଯୌତୁକ ଦାବିରେ ବୋହୂକୁ ହତ୍ୟା କରୁଥିବା ଘଟଣା ନିୟମିତ ଘଟୁଛି, ସେଠାରେ ସମାଜକୁ ଦିଗଦର୍ଶନ ଦେଖାଇଛନ୍ତି ଜଣେ ପୂର୍ବତନ ସାଂସଦ । ପୁଅ ମୃତ୍ୟୁର ସାତ ବର୍ଷ ପରେ ବୋହୂକୁ ପୁନଃ ବିବାହ ଦେଇ ଚର୍ଚ୍ଚାରେ ଆସିଛନ୍ତି ଛତିଶଗଡ଼ ଧମତରିର ପୂର୍ବତନ ସାଂସଦ ଚନ୍ଦୁଲାଲ ସାହୁ ।
ଛତିଶଗଡ଼ ଧମତରିର ପୂର୍ବତନ ସାଂସଦ ଚନ୍ଦୁଲାଲ ସାହୁଙ୍କ ବୋହୂ ଡାକ୍ତର ବୀରେନ୍ଦ୍ର ଗଞ୍ଜୀରଙ୍କୁ ବିବାହ କରିଛନ୍ତି । ବୀରେନ୍ଦ୍ର ପତ୍ନୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ସାମାଜିକ ରୀତିନୀତି ଅନୁସାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଏହି ବିବାହ ସମାଜ ପାଇଁ ଏକ ନୂତନ ବାର୍ତ୍ତା ଆଣିଛି । କଲ୍ୟାଣୀ 10 ବର୍ଷ ପୂର୍ବେ ପୂର୍ବତନ ସାଂସଦ ଚନ୍ଦୁଲାଲ ସାହୁଙ୍କ ପୁଅକୁ ବିବାହ କରିଥିଲେ । କିନ୍ତୁ ବିବାହର 4 ବର୍ଷ ପରେ ଅସୁସ୍ଥତା ହେତୁ ତାଙ୍କ ମୃତ୍ୟୁ ଘଟିଥିଲା । କଲ୍ୟାଣୀଙ୍କ ଦେଢ ବର୍ଷର ଏକ ପୁଅ ମଧ୍ୟ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ: Congress Bharat Jodo Yatra: ମହାରାଷ୍ଟ୍ରରେ ପ୍ରବେଶ କରିବ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା
ସେପଟେ ବୀରେନ୍ଦ୍ରଙ୍କ ମଧ୍ୟ ସମାନ ଘଟଣା । ହୃଦଘାତ ହେତୁ ପତ୍ନୀଙ୍କ ଦେହାନ୍ତ ପରେ ନିଜ କୁନି ଝିଅ ସହ ଏକାକି ହୋଇ ଯାଇଥିଲେ । କଲ୍ୟାଣୀଙ୍କ ଏକଲାପଣକୁ ଦୂର କରିବା ପାଇଁ ତାଙ୍କ ମାଆ ଏବଂ ଶ୍ବଶୁର ଚନ୍ଦୁଲାଲ ଦୀର୍ଘ ବର୍ଷ ହେବା ଏକ ଯୋଗ୍ୟ ବର ଖୋଜୁଥିଲେ । ଶେଷରେ ଡାକ୍ତର ବୀରେନ୍ଦ୍ରଙ୍କ କଥା ଜାଣିବାକୁ ପାଇଥିଲେ । ସାକ୍ଷାତକାର ପରେ ଉଭୟ ପରିବାର ଆଲୋଚନା କରି ଦୁହିଁଙ୍କ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ କଲ୍ୟାଣୀ ଏବଂ ବୀରନ୍ଦ୍ର ନିଜ ଖୁସି ଜାହିର କରି କହିଛନ୍ତି, "ଏହା ଆମର ନୂତନ ଜୀବନ । ଏହି ମୂହୁର୍ତ୍ତକୁ ଆମେ ଭଲରେ ବିତାଇବୁ, ଆମ ପିଲାମାନେ ମଧ୍ୟ ପିତାମାତାଙ୍କ ସ୍ନେହ ପାଇବେ ।" ବିବାହକୁ ନେଇ ସମସ୍ତ ପରିବାର ଖୁସି ଥିବା ଜଣାପଡ଼ିଛି । ଦୁଇଟି ଅସମ୍ପୂର୍ଣ୍ଣ ପରିବାର ସମ୍ପୂର୍ଣ୍ଣ ହୋଇଛି । କଲ୍ୟାଣୀ ଏବଂ ବୀରନ୍ଦ୍ରଙ୍କ ବିବାହ ସମାଜ ପାଇଁ ଏକ ବାର୍ତ୍ତା ନିଶ୍ଚୟ ।