ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଦୂଷଣ ସଙ୍କଟ (Delhi air pollution) ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ (sc) ସରକାରଙ୍କ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଗ୍ରହଣ କରିଥିବା ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଆଜି( ସୋମବାର) ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ସମସ୍ତ ପରାମର୍ଶ ଓ ନିର୍ଦ୍ଦେଶନାମା ସତ୍ତ୍ବେ ମଧ୍ୟ ପ୍ରଦୂଷଣ ରୋକିବା ଦିଗରେ ଗ୍ରାଉଣ୍ଡରେ ଫଳାଫଳ 'ଶୂନ' ସମାନ ପରିଲକ୍ଷିତ ହେଉଛି । ସମସ୍ତ ପ୍ରୟାସ ସତ୍ତ୍ବେ ମଧ୍ୟ ବାୟୁର ଗୁଣବତ୍ତାରେ ସେପରି କିଛି ଆଖି ଦୃଶିଆ ସୁଧାର ଆସିନାହିଁ ।
ଜାତୀୟ ରାଜଧାନୀ ଅଞ୍ଚଳ (NCR)ଏବଂ ତା’ର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ବୃଦ୍ଧି ଓ ପ୍ରଦୂଷଣ ହ୍ରାସ ନେଇ ସ୍ଥିର କରାଯାଇଥିବା ବିଭିନ୍ନ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ ଏକ ଟାସ୍କଫୋର୍ସ (Taskforce) ଗଠନ କରିବେ ବୋଲି କହିଛନ୍ତି । ପ୍ରବଳ ପ୍ରଦୂଷଣ ଯୋଗୁଁ 2 ସପ୍ତାହ ବନ୍ଦ ରହିବା ପରେ ଦିଲ୍ଲୀରେ ଆଜି ଠାରୁ (ସୋମବାର) ବିଦ୍ୟାଳୟଗୁଡ଼ିକରେ ପୁଣି ପାଠ ପଢା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା କିଛି ସ୍କୁଲରେ ବସ ସେବା ଆରମ୍ଭ ହୋଇଥବାବେଳେ ଆଉ କିଛି ସ୍କୁଲରେ ଏହି ସେବା ବନ୍ଦ ରହିଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କୋଭିଡ -19ର ନୂଆ ପ୍ରଜାତିର ଆଶଙ୍କା ଥିବାରୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ସେହିପରି ଅନାବଶ୍ୟକ ସମାବେଶରୁ ଦୂରେଇ ରହିବା ପାଇଁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଲୋକଙ୍କୁ ନିବେଦନ କରିଛନ୍ତି । ନୂତନ ଭାରିଆଣ୍ଟ ପରେ ସମସ୍ତ ସରକାରୀ ବିଭାଗ ସଜାଗ ରହିଛନ୍ତି ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ