ଚଣ୍ଡିଗଡ: ଗତକାଲି (ଶନିବାର) ସଂନ୍ଧ୍ୟାରେ ପଞ୍ଜାବର ସ୍ବର୍ଣ୍ଣ ମନ୍ଦିରରେ ହୋଇଥିବା ହିଂସାକାଣ୍ଡରେ ଜଣେ ଅଜ୍ଞାତ ଯୁବକଙ୍କ ମୃତ୍ୟୁ ହେବା ଘଟଣାରେ ଏତଲା ଦାଏର ହୋଇଛି । ଘଟଣା ଘଟିବା ସମୟରେ ଡ୍ୟୁଟିରେ ଥିବା ସେୱାଦର ସାଧା ସିଂଙ୍କ ବିବୃତ୍ତି ଆଧାରରେ IPC ଧାରା 295-A, 307 ଅନୁଯାୟୀ ଏକ FIR ପଞ୍ଜିକୃତ ହେବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ଅନ୍ୟପଟେ ସରକାର ଓ ପୋଲିସ ପ୍ରଶାସନ ଘଟଣାକୁ ଗୁରୁତର ସହ ନେଇଥିବାବେଳେ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧଓ୍ବା ଘଟଣା ସମ୍ପର୍କରେ ଅମୃତସର ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି । ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ରାନ୍ଧଓ୍ବା କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଯୁବକ ଜଣକ ଏକ ଷଡଯନ୍ତ୍ରରେ ଏଠାକୁ ଆସିଥିଲେ ବୋଲି ସନ୍ଦେହ କରାଯାଉଛି,ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ।
ଉପ ମୁଖ୍ୟମନ୍ତ୍ରୀ ରାନ୍ଧୱା ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟକ୍ତିର ପରିଚୟ ଏପର୍ଯ୍ୟନ୍ତ ଜଣାପଡିପାରି ନାହିଁ, କିନ୍ତୁ ସେହି ବ୍ୟକ୍ତି କେଉଁଠୁ ଆସିଛନ୍ତି ଏବଂ କାହା ସହ ଯୋଗାଯୋଗ କରିଛନ୍ତି ତାହା ଜାଣିବା ପାଇଁ ଆମେ ସମସ୍ତ ସିସିଟିଭି କ୍ୟାମେରା ଯାଞ୍ଚ କରିବା ପ୍ରକ୍ରିୟା ଆରମ୍ଭ କରିଛୁ । ଘଟଣା ସମ୍ପର୍କରେ 2 ରୁ 4 ଦିନ ମଧ୍ୟରେ ସବୁ କିଛି ସ୍ପଷ୍ଟ ହେବା ବୋଲି ସେ ଅନୁମାନ କରୁଥିବା କହିଛନ୍ତି ।
'ପଞ୍ଜାବରେ ଅସ୍ଥିରତା ସୃଷ୍ଟି କରିବାକୁ କରାଯାଉଛି ପ୍ରୟାସ '
ଉପ ମୁଖ୍ୟମନ୍ତ୍ରୀ ରାନ୍ଧୱା କହିଛନ୍ତି ଯେ, ଏହା ଏକ ଷଡଯନ୍ତ୍ର ପରି ମନେହେଉଛି । ଏପରି କିଛି କାଣ୍ଡ ଭିଆଇ ପଞ୍ଜାବରେ ଅସ୍ଥିରତା ସୃଷ୍ଟି କରିବାର ପ୍ରୟାସ କରାଯାଉଛି । ପଞ୍ଜାବର ପରିବେଶକୁ ନଷ୍ଟ କରିବାକୁ ଜାରି ରହିଥିବା ଅପଚେଷ୍ଟାକୁ ଆମେ କୌଣସି ପ୍ରକାରେ ଅନୁମତି ଦେବୁ ନାହିଁ । ଗୁରୁଦ୍ୱାରରେ ଥିବା ସିସିଟିଭି ପୋଲିସ ଏବଂ ଏସଜିପିସି ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯିବା ପରେ ପ୍ରକୃତ ସତ ସାମ୍ନାକୁ ଆସିବା ସହ ଭବିଷ୍ୟତରେ ଏପରି ଅଭାବନୀୟ ଘଟଣାକୁ ରୋକାଯାଇ ପାରିବ ।
ସେକ୍ସନ 295-A ରେ କେନ୍ଦ୍ରକୁ ଲେଖାଯାଇଛି ଚିଠି
2018 ମସିହାରେ ପଞ୍ଜାବ ସରକାର କେନ୍ଦ୍ର ସରକାରଙ୍କୁ ଧର୍ମୀୟ ଗ୍ରନ୍ଥର ସୁରକ୍ଷା ନେଇ ଏକ ଚିଠି ଲେଖିଥିଲା । ଏହି ପ୍ରସ୍ତାବ ଅନୁସାରେ, ସେକ୍ସନ 295-A ଅଧୀନରେ ଯେକୌଣସି ଧର୍ମୀୟ ଗ୍ରନ୍ଥ ତଥା ଗୁରୁ ଗ୍ରନ୍ଥ ସାହିବ, ଭଗବଦ୍ ଗୀତା, କୋରାନ ଏବଂ ବାଇବଲକୁ ଆଘାତ, କ୍ଷତି କିମ୍ବା ଅପମାନ କରିବାକୁ ପ୍ରୟାସ କିମ୍ବା ଷଡଯନ୍ତ୍ର କରାଗଲେ 10 ବର୍ଷ କାରାଦଣ୍ଡ ପାଇଁ ଏକ ପ୍ରାବଧାନ କରିବାକୁ କେନ୍ଦ୍ର ନିକଟରେ ଦାବି ରଖିଥିଲା ପଞ୍ଜାବ ସରକାର । ସେହିପରି ଏହି ଘଟଣା ପରେ ଉକ୍ତ ଦାବିକୁ ପୁଣି ଥରେ କେନ୍ଦ୍ର ନିକଟରେ ଉତ୍ଥାପନ କରାଯିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ।
ସୁରକ୍ଷା ଆବଶ୍ୟକ ଥିଲେ SGPC କୁ ଲିଖିତ ଆକାରରେ ଦେବାକୁ ପଡିବ
ଏପରି ଅଭାବନୀୟ ଘଟଣା ପରେ ସ୍ବର୍ଣ୍ଣ ମନ୍ଦିର ଭିତରେ ପୋଲିସ ମୁତୟନ ଆବଶ୍ୟକତା ରହିଛି କି ବୋଲି ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମ୍ପର୍କରେ SGPC (ଶିରୋମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି) ଆମକୁ ଲିଖିତ ଆକାରରେ ଯଦି ପ୍ରସ୍ତାବ ଦିଅନ୍ତି ,ତେବେ ଆମେ ମନ୍ଦିର ଭିତରେ ସୁରକ୍ଷା ବଳ ନିୟୋଜନ ଉପରେ କିଛି ବିଚାର କରିବୁ ।
ଘଟଣାକୁ ନେଇ ପଞ୍ଜାବ ପୋଲିସ କମିଶନରଙ୍କ ବିବୃତ୍ତି
ପଞ୍ଜାବ ପୋଲିସ କମିଶନର ସୁଖଚେନ ସିଂ ଗିଲ କହିଛନ୍ତି, ଘଟଣା ପରେ ଧାରା 295-A ଏବଂ 307 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ସ୍ବର୍ଣ୍ଣ ମନ୍ଦିର ଚାରିପାଖରେ 1 କିଲୋମିଟର ଦୂରତା ମଧ୍ୟରେ ଥିବା ସମସ୍ତ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । ଏପର୍ଯ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଗତକାଲି ସକାଳ 11 ଟାରେ ଏକାକୀ ଉକ୍ତ ଯୁବକ ମନ୍ଦିର ପରିସରକୁ ଆସିଥିଲା ଏବଂ ସଂନ୍ଧ୍ୟା ପ୍ରାୟ 6 ଟାରେ ଏପରି ଉଦ୍ୟମ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ପରେ ସ୍ଥିତି ଅଣାୟତଃ ହେବା ସହ ଏପରି ଅଭାବନୀୟ ଘଟଣା ଘଟିଛି ।
ଅଖଣ୍ଡ ପଥ ସାହିବ (ପ୍ରାର୍ଥନା) ଆରମ୍ଭ:-
ଶିଖ ଧର୍ମ ଅନୁସାରେ, ଏକ ଦୁଃଖଦ ପ୍ରତିବାଦ ସ୍ୱରୂପ ଆଜି ଶ୍ରୀ ଅଖଣ୍ଡ ପଥ ସାହିବ (3 ଦିନ ପ୍ରାର୍ଥନା) ଆରମ୍ଭ ହୋଇଛି । SGPC ସଭାପତି ହରିନ୍ଦର ସିଂ ଧାମି ଏପରି ଅଘଟଣକୁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ବର୍ଣ୍ଣନା କରିବା ସହ ପଞ୍ଜାବକୁ ଦୁର୍ବଳ କରିବାକୁ ଅନେକ ସଂଗଠନ ଚେଷ୍ଟା କରୁଥିବା କହିଛନ୍ତି । ସେହିପରି ପଞ୍ଜାବର ଲୋକ ଏବଂ ଶିଖ ଧର୍ମାବଲମ୍ବୀମାନେ ଏହିପରି ଶକ୍ତି ଓ ଅପପ୍ରୟାସ ବିରୁଦ୍ଧରେ ଠିଆ ହୋଇଛନ୍ତି । ତେବେ ଷଡଯନ୍ତ୍ର ପଛରେ ଅଭିଯୁକ୍ତ କିଏ ବୋଲି ପ୍ରଶ୍ନରେ ସିଧା ଉତ୍ତର ନରଖି, କେନ୍ଦ୍ର ସରକାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ଉଚିତ ବୋଲି ସେ ଦାବି କରିଛନ୍ତି ହରିନ୍ଦର ସିଂ ଧାମି ।
କ’ଣ ଥିଲା ସମ୍ପୂର୍ଣ୍ଣ ଘଟଣା
ଗତକାଲି ସଂନ୍ଧ୍ୟାରେ ସ୍ବର୍ଣ୍ଣ ମନ୍ଦିରରେ ପ୍ରବେଶ କରି ଜଣେ ଅଜଣା ଯୁବକ ଶିଖ ଧର୍ମଗ୍ରନ୍ଥକୁ ଅପମାନିତ କରିବାକୁ ଉଦ୍ୟମ କରିଥିଲା । ଯାହାକୁ ଶିରୋମଣୀ ସମିତି କର୍ମଚାରୀମାନେ ରୋକିବାର ସଫଳ ହୋଇଥିବା ବେଳେ ଯୁବକ ଜଣକ ରେଲିଂ ପାର ହୋଇ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପବିତ୍ର ଗ୍ରନ୍ଥ ନିକଟରେ ପହଞ୍ଚିବାକୁ ଉଦ୍ୟମ କରିଥିଲା । ପରେ ଉକ୍ତ ଯୁବକ ଜଣଙ୍କ କ୍ରୋଧିତ ଭିଡର ଶିକାର ହେବା ସହ ସଙ୍ଘବଦ୍ଧ ଆକ୍ରମଣରେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲା ।
ଧର୍ମଗ୍ରନ୍ଥ ସୁରକ୍ଷିତ ଏବଂ ଅସ୍ପୃଶ୍ୟ ରହିଥିବା ସୂଚନା
ଗତକାଲି ସ୍ବର୍ଣ୍ଣ ମନ୍ଦିରରେ ସଂନ୍ଧ୍ୟା ପୂଜାର୍ଚ୍ଚନା ଚାଲିଥିବା ବେଳେ ସନ୍ଧ୍ୟା ପ୍ରାୟ 6 ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ସତ୍ତ୍ବେ ଧର୍ମଗ୍ରନ୍ଥ ସୁରକ୍ଷିତ ଏବଂ ଅସ୍ପୃଶ୍ୟ ରହିଥିବା ସୂଚନା ଦେଇଛି ମନ୍ଦିର କମିଟି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ