ଜୟପୁର: ଉଦ୍ୟମ, ଆଗ୍ରହ ଓ ଇଚ୍ଛାଶକ୍ତି ଥିଲେ ଅସାଧ୍ୟ କାମ ସଫଳତାର ସହିତ ହୋଇପାରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ସିକରରେ । ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅସମ୍ଭବ । ମାତ୍ର 50 ଘଣ୍ଟାରେ ଦୀର୍ଘ 300 କିମି ଦୌଡ଼ି ଚର୍ଚ୍ଚାରେ ରହିଛନ୍ତି 24 ବର୍ଷିୟ ସୁରେଶ ଭିଞ୍ଚର । ଭାରତୀୟ ସେନାରେ ସାମିଲ ହେବାକୁ ସୁରେଶ କରିଥିଲେ ଆପ୍ରାଣ ଉଦ୍ୟମ । ଯାହା ତାଙ୍କୁ ସଫଳତାର ବାଟ ଦେଖାଇଥିଲା ।
ସୁରେଶ ଗତ ମାର୍ଚ୍ଚ 29 ତାରିଖ ସିକର ଜିଲ୍ଲା ଷ୍ଟାଡ଼ିୟମରୁ ନିଜର ଯାତ୍ରା ଆରମ୍ଭ କରିଥିଲେ । ଏପ୍ରିଲ 2 ତାରିଖ ସନ୍ଧ୍ୟା 6ରେ ଦିଲ୍ଲୀରେ ପହଞ୍ଚିଥିଲେ । ସୁରେଶ ଦିଲ୍ଲୀରେ ପହଞ୍ଚି ସାଂସଦ ହନୁମାନ ବେନିୱାଲଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସୁରେଶ ଏକ ଘଣ୍ଟାରେ 6 କିମି ଦୂରତା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଥିଲେ । ଯାହା ତାଙ୍କୁ 50 ଘଣ୍ଟାରେ 300 କିମି ପୂରଣ କରିବାକୁ ସାହାଯ୍ୟ କରିଥିଲା । ଦୌଡ଼ଯାତ୍ରାରେ ତାଙ୍କ 3ଜଣ ବନ୍ଧୁ ତାଙ୍କ ସହ ଥିଲେ । ସୁରେଶ 2015 ପର ଠାରୁ ଭାରତୀୟ ସେନାରେ ଯୋଗ ହେବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ କୌଣସି କାରଣରୁ ତାଙ୍କର ସେହି ସ୍ବପ୍ନ ଏଯାଏ ଅଧୁରା ରହିଛି । 2018 ମସିହାରେ ନାଗୁରରେ ଆୟୋଜିତ ସେନା ନିଯୁକ୍ତିରେ ସୁରେଶ 4 ମିନିଟ 4 ସେକେଣ୍ଡରେ 1600 ମିଟର ଦୌଡ଼ି ରେକର୍ଡ ସୃଷ୍ଟି କରିଥିଲେ । ସେ ବର୍ତ୍ତମାନ ସିକରର ଏକ ଡିଫେନ୍ସ ଏକାଡେମୀରେ ତାଲିମ ନେଉଛନ୍ତି ।
ଆରଏଲପି ସଂଯୋଜକ ତଥା ନାଗୋର ସାଂସଦ ହନୁମାନ ବେନିୱାଲ ନିଜ ଫେସବୁକରେ ସୁରେଶ ଦେଇଥିବା ସ୍ମାରକ ପତ୍ର ସହ ସଭାର ଫଟୋ ସେୟାର କରିଛନ୍ତି । କହିଛନ୍ତି ଭାରତୀୟ ସେନା ନିଯୁକ୍ତିକୁ ସଂଗଠିତ କରିବା ଦାବିରେ ସୁରେଶ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ମୁଁ ମଧ୍ୟ ଏହାକୁ ଲୋକସଭାରେ ସରକାରଙ୍କ ନିକଟରେ ରଖିବି । ସୁରେଶଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ