ନୂଆଦିଲ୍ଲୀ: ଦେଶରେ ଧିରେଧିରେ ହ୍ରାସ ପାଉଛି ମହାମାରୀ କୋରୋନାର ଦ୍ବିତୀୟ ଲହରୀ । ଏହି ଲହରୀରେ ଆତଙ୍କ ଖେଳାଇଥିଲା କୋରୋନାର ନୂଆ ରୂପ ଡେଲ୍ଟା ଭ୍ୟାରିଆଣ୍ଟ । ଆଉ ଏବେ ତୃତୀୟ ଲହରୀକୁ ନେଇ ଆଶଙ୍କା ବଢୁଥିବାବେଳେ ଡରାଉଛି ଡେଲ୍ଟା ପ୍ଲସ ।
ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କୋରୋନା ଭୂତାଣୁ ଠାରୁ ଅଧିକ ମାରାତ୍ମକ B.1.617.2 ପ୍ରକାରର ମ୍ୟୁଟେଡ ଭର୍ସନ ହେଉଛି ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ । ଏହା K417N ନାମକ ଏକ ଅତିରିକ୍ତ ମ୍ୟୁଟେସନ ଦେଇ ଗତି କରୁଛି ।
ଯଦି ଡେଲ୍ଟା ପ୍ଲସ ଅନିୟନ୍ତ୍ରିତ ହେଉଛି ତେବେ ଏହା ଚିନ୍ତା ବଢାଇପାରେ ବୋଲି ମତ ରଖିଛନ୍ତି ଏମ୍ସ ନିର୍ଦ୍ଦେଶକ । ଏଥିସହ ସେ କହିଛନ୍ତି ଯେ ବ୍ରିଟେନରୁ ଭାରତ ଶିଖିବା ଆବଶ୍ୟକ, ଯେଉଁଠାରେ ଏହି ପ୍ରକାର କାରଣରୁ କୋରୋନା ଭୂତାଣୁ ବୃଦ୍ଧି ପାଇଛି।
ଡାକ୍ତର ଗୁଲେରିଆ କହିଛନ୍ତି, ଯଦି କୋଭିଡ ଗାଇଡଲାଇନର ଅନୁସରଣ ନ କରାଯାଏ ଏବଂ ଭିଡ଼କୁ କାବୁ କରାନଯାଏ, ତେବେ ଭାରତରେ ସଂକ୍ରମଣର ଗତି ବୃଦ୍ଧି ପାଇବ । ଲକଡାଉନ କିମ୍ବା କଟକଣା ହଟାଇବା ପରେ କୋରୋନା ମାମଲାରେ ବୃଦ୍ଧି ନହେବା ପାଇଁ ଦେଶର କେତେକ ସ୍ଥାନରେ କଡା ନଜର ରଖିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।
ଭାରତରେ କୋରୋନାର ଦ୍ବିତୀୟ ଲହରୀ ପାଇଁ B.1.617.2 ଭ୍ୟାରିଆଣ୍ଟକୁ ଦାୟୀ କରାଯାଉଛି । ଏହା ପ୍ରଥମେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ପକ୍ଷରୁ 'ଚିନ୍ତାର ସ୍ବରୂପ' ଭାବରେ ବର୍ଣ୍ଣନା କରାଯାଇଥିଲା ଏବଂ ପରେ ଡେଲଟା ଭାରିଆଣ୍ଟ ନାଁ ନାମିତ ହୋଇଥିଲା ।