ନୂଆଦିଲ୍ଲୀ: ଦିଲ୍ଲୀ ଓ ମୁମ୍ବାଇରେ ଏବେ ଚିନ୍ତା ବଢାଉଛି ଓମିକ୍ରନ ଭାରିଆଣ୍ଟ(omicron variant) । ଗତ 24 ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ 249 ନୂତନ ମାମଲା ଦେଖିବାକୁ ମିଳିଛି । ଯେଉଁଠାରେ କି ଗୋଟିଏ ଦିନ ପୂର୍ବରୁ 180 ଟି ନୂଆ ମାମଲା ରିପୋର୍ଟ କରାଯାଇଥିଲା | ଏପଟେ ଗତ 24 ଘଣ୍ଟା ମଧ୍ୟରେ ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ 96 ଜଣ ରୋଗୀ କୋରୋନାରୁ ସୁସ୍ଥ(recovery) ହୋଇଛନ୍ତି ଏବଂ ଦିଲ୍ଲୀରେ ସକ୍ରିୟ(active) ମାମଲା ସଂଖ୍ୟା 934କୁ ବୃଦ୍ଧି ପାଇଛି।
ଏପଟେ ଦିଲ୍ଲୀ ବଜାର ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ବିନା ମାସ୍କରେ ବହୁ ସଂଖ୍ୟାରେ ଲୋକ ଦେଖାଯାଉଛନ୍ତି । ଏ ସମ୍ପର୍କରେ ହାଇକୋର୍ଟ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି । ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷରେ ଭିଡ଼ ଜମିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ମଧ୍ୟ ଅନେକ ପ୍ରତିବନ୍ଧକ ଲଗାଇଛି । ଉଲ୍ଲେଖନୀୟ କଥା ହେଉଛି, ଦିଲ୍ଲୀର କୋଭିଡ ମାମଲା ସହିତ ମୁମ୍ବାଇରେ ମଧ୍ୟ ମାମଲା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଓମିକ୍ରନର ଅଧିକ ମାମଲା ଦେଖିବାକୁ ମିଳିଛି ।
ତେବେ ୬ ମାସ ମଧ୍ୟରେ ଏହା ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ ଅଟେ । ଜୁନ ୧୩ ତାରିଖ ପରେ ଏହା ସର୍ବାଧିକ ସଂକ୍ରମଣ ମାମଲା ବୋଲି କୁହାଯାଉଛି । ଫଳରେ ଦିଲ୍ଲୀରେ ଦୈନିକ ମାମଲା ୩୮ ପ୍ରତିଶତ ବୃଦ୍ଧି ହୋଇଛି । ବର୍ତ୍ତମାନ ଦିଲ୍ଲୀରେ 464 ରୋଗୀ ଅଛନ୍ତି। ସକ୍ରିୟ କୋରୋନା ରୋଗୀଙ୍କ ହାର 0.06 ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ସୁସ୍ଥହାର 98.19 ପ୍ରତିଶତକୁ ବୃଦ୍ଧି ପାଇଛି |
ଅନ୍ୟପଟେ ମୁମ୍ବାଇରେ ୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ମୁମ୍ବାଇରେ ସଂକ୍ରମଣ ମାମଲା ୧୦ ପ୍ରତିଶତ ବୃଦ୍ଧି ପାଇଛି । ସଂକ୍ରମଣ ବଢୁଥିବାରୁ ମୁମ୍ବାଇରେ କଟକଣା ବଢିଛି । ମୁମ୍ବାଇ ପୌର ନିଗମ ପକ୍ଷରୁ ନୂଆ ବର୍ଷ ପାଳନ ଉପରେ ରୋକ ଲଗାଯାଇଛି ।