ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ଦିଲ୍ଲୀର ଜେଏନୟୁ (JNU)ର ପୂର୍ବତନ ଛାତ୍ରୀ ଶେହଲା ରଶିଦ (Former JNU Student Shehla Rashid)ଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମକଦ୍ଦମା । ଏନେଇ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା (Delhi LG VN Saxsena) ମଞ୍ଜୁରୀ ଦେଇଛନ୍ତି । ଶେହଲା ଭାରତୀୟ ସେନାଙ୍କ ବିରୋଧରେ ଟ୍ବିଟ (Anti-Army Tweet) କରି ଚର୍ଚ୍ଚାକୁ ଆସିଥିଲେ । ଏହି ଟ୍ବିଟ ମାମଲାରେ ଉପରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ।
ଜେଏନୟୁର ଏହି ପୂର୍ବତନ ଛାତ୍ର ନେତ୍ରୀ ସର୍ବଦା ନିଜର ବିବାଦୀୟ ବୟାନ ନେଇ ଚର୍ଚ୍ଚାରେ ରହିଥାନ୍ତି । ଗତ ୨୦୧୯ ଅଗଷ୍ଟ ୧୮ ତାରିଖରେ ସେ ଭାରତୀୟ ସେନାକୁ ନେଇ ବିବାଦୀୟ ଟ୍ବିଟ କରିଥିଲେ । ଗୋଟିଏ କି ୨ଟି ନୁହେଁ ଏକାଧିକ ଟ୍ବିଟ କରି ଭାରତୀୟ ସେନା ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । କାଶ୍ମୀର ଲୋକଙ୍କ ଉପରେ ଭାରତୀୟ ସେନା ଅତ୍ୟାଚାର କରୁଥିବା ଭଳି ଦେଶଦ୍ରୋହ ଅଭିଯୋଗ ଆଣିଥିଲେ । ଏହି ଟ୍ବିଟକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଶେହଲାଙ୍କ ବିରୋଧରେ ରାଷ୍ଟ୍ରଦୋହ ମକଦ୍ଦମା ରୁଜୁ କରିଥିଲା । ସେବେଠୁ ଏହି ମାମଲା କୋର୍ଟରେ ବିଚାରଧୀନ ରହିଥିଲା ।
ଶେହଲାଙ୍କ ବିରୋଧରେ ରାଷ୍ଟ୍ରଦୋହ ମାମଲା ଜାରି କରାଯିବ କି ନାହିଁ ଏ ନେଇ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ତେବେ ମଙ୍ଗଳବାର ଏହା ଉପରେ ମଞ୍ଜୁରୀ ଦେଇଛନ୍ତି ଉପରାଜ୍ୟପାଳ ଭିକେ ସକ୍ସେନା । ଯେତେବେଳେ ଦେଶରୁ ୩୭୦ ଧାରା ଉଚ୍ଛେଦ (Article 370 abolition) ହୋଇଥିଲା ଏହାକୁ ଶେହଲା ଦୃଢ ବିରୋଧ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହାପରେ ସେ ଭାରତୀୟ ସେନାଙ୍କ ବିରୋଧରେ ବିବାଦୀୟ ଟ୍ବିଟ କରିଥିଲେ ।
ଗତ ୨୦୧୬ ଜେଏନୟୁରେ ଚାଲିଥିବା କାର୍ଯ୍ୟକ୍ରମ ସମୟରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା । ଏହି ସମୟରେ ଶେହଲା ଜେଏନୟୁର ଉପସଭାପତି ଓ କହ୍ନେୟା କୁମାର ସଭାପତି ଥିଲେ । ଦେଶ ବିରୋଧୀ ସ୍ଲୋଗାନ ଦେଇଥିବାରୁ କହ୍ନେୟା କୁମାର ଜେଲ ଦଣ୍ଡ ଭୋଗିଥିଲେ ମାତ୍ର ସେତେବେଳେ ଶେହଲାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଶେହଲା ଜେଏନୟୁରେ ପାଠ୍ୟକ୍ରମ ଶେଷ କରିବା ପରେ NIT ଶ୍ରୀନଗରରେ ଇଞ୍ଜିନିୟରିଂ କରିଥିଲେ । ଏହାପରେ ସେ ଚାକିରି ମଧ୍ୟ କରିଥିଲେ । ଏହାପରେ ସେ ରାଜନୀତିରେ ଯୋଗ ଦେଇଥିବା ବେଳେ ଏହି କ୍ଷେତ୍ରରୁ ତାଙ୍କୁ ସଫଳତା ମିଳିନଥିଲା ।
ଏହାପରେ ସେ ଆପତ୍ତିଜନକ ପ୍ରତିକ୍ରିୟା ଦେବା ସହ ସଂଗଠନର ଲୋକଙ୍କୁ ଉସୁକାଉଥିଲେ । ଏହାପରେ ଆଇନଜୀବୀ ଅଲଖ ଆଲୋକ ଶ୍ରାବାସ୍ତବ ଶେହଲାଙ୍କ ବିବାଦୀୟ ଟ୍ବିଟ ବିରୋଧରେ ଅଭିଯୋଗ ଆଣିଥିଲେ । ଏ ନେଇ ଦିଲ୍ଲୀ ଗୃହ ବିଭାଗ ପ୍ରତିକ୍ରିୟାରେ କହିଥିଲା, "ସେନା ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ଏକ ଗମ୍ଭୀର ପ୍ରସଙ୍ଗ । IPC ଧାରା ୧୫୩ ଅନୁସାରେ ଯେଉଁ ବ୍ୟକ୍ତି ଅବୈଧ କଥା କହି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ପାଇଁ ଚାହିଁବ, ଏହାକୁ ଅପରାଧ କୁହାଯିବ ।"