ନୂଆଦିଲ୍ଲୀ: ପୁଣି ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଦିଲ୍ଲୀରୁ ଦେବଘର ଯାଉଥିବା ଇଣ୍ଡିଗୋର ଏକ ବିମାନରେ ବୋମା ଥିବା ସୂଚନା ମିଳିଛି । ବୋମା ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ବିମାନଟି ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି ।
ଇଣ୍ଡିଗୋ ପକ୍ଷରୁ ସୂଚନା ଅନୁଯାୟୀ, ଦିଲ୍ଲୀରୁ ଦେବଗଡ଼ ଅଭିମୁଖେ ଯାଉଥିବା ଇଣ୍ଡିଗୋ 6E6169ରେ ବୋମା ଥିବା ନେଇ ସୂଚନା ମିଳିଥିଲା । ଏହାପରେ ବିମାନରେ ଆତଙ୍କ ଖେଳିଯାଇଥିଲା । ବୋମା ନେଇ କ୍ରୁ ସଦସ୍ୟଙ୍କୁ ସୂଚନା ମିଳିବା ପରେ ବିମାନର ପାଇଲଟ ନିକଟସ୍ଥ ଲକ୍ଷ୍ନୌ ବିମାନ ବନ୍ଦର କଣ୍ଟ୍ରୋଲ ସହ ଯୋଗାଯୋଗ କରି ଜରୁରୀ ଅବତରଣ ଅନୁମତି ମାଗିଥିଲେ । ଅନୁମତି ପାଇବା ପରେ ବିମାନଟି ଜରୁରୀ ଅବତରଣ କରିଥିଲା । ବିମାନ ଅବତରଣ ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ପୋଲିସ ଏବଂ ବୋମ ସ୍କ୍ବାର୍ଡ ବିମାନ ବନ୍ଦରରେ ପହଞ୍ଚିଥିଲେ ।
ପୋଲିସ ଫୋର୍ସ ସହ ସମସ୍ତ ଜରୁରୀ ବ୍ୟବସ୍ଥାକୁ ସକ୍ରିୟ କରାଯାଇ ବୋମା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାତ୍ର ବୋମା ଥିବା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଯାଞ୍ଚ ସମ୍ବନ୍ଧିତ ସମସ୍ତ ଅପରେସନ ବନ୍ଦ ହୋଇଛି । ତେବେ ବିମାନରେ କେତେ ଜଣ ଯାତ୍ରୀ ଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବିମାନକୁ ପୁନଃ ଉଡ଼଼ାଣ ପାଇଁ ଅନୁମତି ଦିଆଯାଇଥିବା ବିମାନ ଅଧିକାରୀ ସୂଚନା ଦେଇଛନ୍ତି । ବିମାନରେ ବୋମା ଥିବା ନେଇ କିଏ ସୂଚନା ଦେଇଥିଲା ତାର ତଦନ୍ତ ଆରମ୍ଭ ହୋଇଛି ।
ପ୍ରକାଶ ଥାଉକି, ନିକଟରେ ଅହମ୍ମଦାବାଦରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ବିମାନରେ ବୋମା ଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ମହମ୍ମଦାବାଦ ଏୟାରପୋର୍ଟରେ ସନ୍ଧ୍ୟା 5ଟା 20 ମିନିଟ ସମୟରେ ଦିଲ୍ଲୀକୁ ଏକ ବିମାନ ଉଡ଼ାଣ ହେବାକୁ ଥିଲା । ଏହା ପୂର୍ବରୁ ବିମାନରେ ବୋମା ଥିବାନେଇ ପୋଲିସକୁ ଏକ ଫୋନ କଲ ଆସିଥିଲା । ବିମାନରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ବୋମା ମିଳିନଥିଲା । ଏହା ପରେ ଏକ ଫେକ କଲ ବୋଲି ଜଣାପଡ଼ିଥିଲା । ଯେଉଁ ବ୍ୟକ୍ତି ଏପରି ଫୋନ କରି ମିଛ ତଥ୍ୟ ଦେଇଥିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଅହମ୍ମଦାବାଦ ପୋଲିସ ସୂଚନା ଦେଇଥିଲା । ବୋମା ନଥିବା ନେଇ ଯାଞ୍ଚରୁ ଜଣାପଡ଼ିବା ପରେ ସମସ୍ତ ଯାତ୍ରୀ ପୁନଃ ବିମାନ ଉପରେ ଚଢ଼ିଥିଲେ ।