ନୂଆଦିଲ୍ଲୀ: ଦିଲ୍ଲୀର କୁତବମିନାର କମ୍ପେଲ୍ସ ପରିସରରେ ଧ୍ବଂସ ପାଇଥିବା 27 ହିନ୍ଦୁ ଓ ଜୈନ ମନ୍ଦିର ପୁନଃସ୍ଥାପିତ କରିବା ମାମଲାରେ 24 ତାରିଖକୁ ଘୁଞ୍ଚିଲା ଶୁଣାଣି । ଆଜି ଦିଲ୍ଲୀର ସାକେତ କୋର୍ଟ ଏହି ମାମଲାର ଶୁଣାଣି କରିଥିବା ଆସନ୍ତା 24 ତାରିଖରେ ମାମଲାର ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ । ଦିଲ୍ଲୀର ମେହେରୁଲୀରେ ଥିବା କୁତବମିନାର କମ୍ପେଲ୍ସ ଏକ ମନ୍ଦିର କମ୍ପଲେକ୍ସକୁ ଧ୍ବଂସ କରିବା ପରେ ଉକ୍ତ ସ୍ଥାନରେ ନିର୍ମାଣ କରାଯାଇଥିବା ଦାବି କରାଯାଇ ମାମଲା ଦାଏର ହୋଇଛି ।
ଆବେଦନକାରୀ ଦର୍ଶାଇଛନ୍ତି ଯେ, ଉକ୍ତ ସ୍ଥାନରେ ପ୍ରାୟ 27 ହିନ୍ଦୁ ଓ ଜୈନ ମନ୍ଦିର ଥିଲା । ଯାହାର ଅବଶେଷ ଉପରେ କୁତବ ମିନାର ନିର୍ମାଣ କରାଯାଇଛି । ତେଣୁ ଭାରତୀୟ ସମ୍ବିଧାନର ଭାରତର ପ୍ରାଚୀନ ମନ୍ଦିର ଓ ଐତିହ୍ୟର ସୁରକ୍ଷା ସମ୍ପର୍କିତ ଧାରା 25 ଓ 26 ଅନୁସାରେ ଧ୍ବଂସ ପାଇଥିବା ମନ୍ଦିରକୁ ପୁନଃ ସ୍ଥାପିତ କରାଯାଉ । ପିଟିସନରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ବିଦେଶୀ ମୁସଲମାନ ଶାସକ ମହମ୍ମଦ ଘୋରୀ ଭାରତ ଆକ୍ରମଣ କରିବା ସମୟରେ ତାଙ୍କର ସହଯୋଗୀ କୁତବୁଦ୍ଦିନ ଆଇବାକ ( Qutub-Din-Aibak ) ଏହି ମନ୍ଦିର କମ୍ପଲେକ୍ସକୁ ଧ୍ବଂସ କରି କୁତବ ମିିନାର ନିର୍ମାଣ କରାଇଥିଲେ । ଏହି କମ୍ପେଲ୍ସରେ ହିନ୍ଦୁ ଓ ଜୈନ ମନ୍ଦିରକୁ ମିଶାଇ ମୋଟ 27 ମନ୍ଦିରକୁ ଧ୍ବଂସ କରାଯାଇଥିଲା ।
ଆବେଦନକାରୀ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, କେବଳ କଥିତ ଭାବେ ନୁହେଁ ବରଂ ଭାରତୀୟ ପ୍ରତ୍ନତତ୍ବ ବିଭାଗ (ASI) ମଧ୍ୟ ଏହି ପରିସରରେ ହିନ୍ଦୁ ମନ୍ଦିରର ଅବଶେଷ ଥିବା ନେଇ ସୂଚନା ଦେଇଛି । ସେଠାରେ ଭଗବାନ ବିଷ୍ଣୁ, ଗଣେଷ ହନୁମାନ, ଗୌରୀଙ୍କ ସମେତ ଜୈନ ଦେବତା ତୀର୍ଥକର ଭଗବାନ ରିଶବ ଦେବଙ୍କ ମନ୍ଦିରର ଅବଶେଷ ରହିଛି । ତେଣୁ ଏହାକୁ ତଦନ୍ତ ପରିସରକୁ ନେବା ସହ ପୁନଃ ଏଠାରେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ସ୍ଥାପନ କରିବାକୁ ପିଟିସନରେ ଦାବି କରାଯାଇଛି । ଆଜି ଶୁଣାଣି ପରେ ଦିଲ୍ଲୀର ସାକେତ କୋର୍ଟ ଆସନ୍ତା 24 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ