ନୂଆଦିଲ୍ଲୀ: ସ୍ବାଧୀନତା ପରଠୁ ଅନେକ ପରିବର୍ତ୍ତନ ଦେଖିଛି ଭାରତ । ଦେଶରେ କିଛି ଏଭଳି ବି ସ୍ଥାନ ରହିଛି ଯାହାର ପ୍ରାସଙ୍ଗିତା ସ୍ବାଧୀନତା ପୂର୍ବରୁ ଯେତିକି ରହିଥିଲା ଆଜି ବି ସେତିକି ରହିଛି । ଏହି ସବୁ ସ୍ଥାନରେ କାହିଁ କେତେ ପିଢ଼ିର ଐତିହ୍ୟ ପରମ୍ପରା ସହ ଲୁଚି ରହିଛି ତାହାର ଗୌରବ ଗାଥାର ଚିହ୍ନ । ଏହି ସ୍ଥାନ ମୋଗଲମାନଙ୍କ ଉତ୍ଥାନ ପତନ ସହ ଦେଖିଛି ଇଂରେଜ ଶାସନର କ୍ରୁର ଚିତ୍ର । ୧୮୮୭ର କ୍ରାନ୍ତି ସହ ସ୍ବାଧୀନତାର ସଂଗ୍ରାମକୁ ମଧ୍ୟ ନିଜ ଭିତରେ ଚାପି ରଖିଛି । କେତେ ପିଢି଼ର କାହାଣୀ ଆଜି ବି କହୁଛି ଦିଲ୍ଲୀର ଚାନ୍ଦିନୀ ଚୌକ ।
ଇଏ ସେହି ଚାନ୍ଦିନୀ ଚୌକ, ଯିଏ ଦିଲ୍ଲୀ ତିଆରି ହେବା ଓ ଧ୍ବଂସ ହେବା ଦେଖିଛି । କେତେ ଶାସକ ଆସିଲେ ଆଉ ଗଲେ । କିନ୍ତୁ ଚାନ୍ଦିନୀ ଚୌକ ଚମକ ଆଜି ବି ସେମିତି ରହିଛି । ଇତିହାସକାରମାନେ କୁହନ୍ତି, ଶାହାଜାହାଁଙ୍କ ଝିଅ ଜାହାଁଆରା ପୁରୁଣା ଦିଲ୍ଲୀ ତଥା ସବେକାର ଶାହାଜାହାଁବାଦରେ ଚାନ୍ଦିନୀ ଚୌକ ବଜାର ବସାଇଥିଲେ । ପରବର୍ତ୍ତୀ ସମୟରେ ଏହି ସ୍ଥାନର ନାମ ହିଁ ଚାନ୍ଦିନି ଚୌକ ରହିଲା । ଏଠାରେ ଯେ କେବଳ ବଜାର ରହିଥିଲା ତାହା ନୁହେଁ । ଜାହାଁଆରା ଏଠାରେ ଅନେକ ସୁନ୍ଦର ସୁନ୍ଦର ଅଟ୍ଟାଳିକା, ହମାମ୍, ସରାୟ ଆଦି ତିଆରି କରିଥିଲେ । କିନ୍ତୁ ୧୮୮୭ର ବିଦ୍ରୋହ ପରେ ଇଂରେଜମାନେ ଏଠାକାର ଅନେକ ଅଟ୍ଟାଳିକାକୁ ଧ୍ବଂସ କରିଦେଲେ । ତା ସହ ଏଠାରେ ଟାଉନ ହଲ୍ ଓ ଘଣ୍ଟାଘର ବିଲ୍ଡଂ ମଧ୍ୟ ତିଆରି କଲେ ।
୧୯୦୦ ଶତାବ୍ଦୀ ପୂର୍ବରୁ ଇଂରେଜ ଆସିଥିଲେ । ୧୮୫୭ରେ ବିଦ୍ରୋହ ହୋଇଥିଲା, ସେତେବେଳେ ଇଂରେଜ ସମସ୍ତ ଅଟ୍ଟାଳିକାକୁ ଭାଙ୍ଗି ଦେଇଥିଲେ । ଏହାର ବଦଳରେ ଆଉ କିଛି ଅଟ୍ଟାଳିକା ନିର୍ମାଣ କରିଥିଲେ । ଯେମତିକି ଟାଉନ ହଲକୁ ଜାହାଁଆରାଙ୍କ ସରାୟା ଭାଙ୍ଗି ତିଆରି କରାଯାଇଥିଲା । ଏହାର ସମ୍ମୁଖରେ ଘଣ୍ଟାଘର ତିଆରି ହୋଇଥିଲା । କିନ୍ତୁ ୧୯୫୦ ମସିହା ବେଳକୁ ଏହି ଘଣ୍ଟାଘର ମଧ୍ୟ ଭାଙ୍ଗି ଯାଇଥିଲା ।
ମୋଗଲ ବାଦଶାହ ଶାହାଜାହାଁଙ୍କ ରାଜଧାନୀ ବଦଳାଇବା ସ୍ବପ୍ନ ୧୬୪୯ରେ ପୂରଣ ହେଲା । ଏହାର୍ ଠିକ୍ ଏକ ବର୍ଷ ପରେ ଚାନ୍ଦିନି ଚୌକର ଅସ୍ତିତ୍ବ ତିଆରି ହେଲା । ଲାଲ୍କିଲାରୁ ଫତେହପୁର ମସଜିଦ୍ ପର୍ଯ୍ୟନ୍ତ ଯେଉଁ ରାସ୍ତାକୁ ଲୋକେ ଆଜି ଚାନ୍ଦିନୀ ଚୌକ ନାମରେ ଜାଣିଛନ୍ତି, ତାହା କେବେ ଯମୁନାରୁ ବାହାରୁଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ ୧୯୧୧ରେ ଇଂରେଜମାନେ ଦିଲ୍ଲୀକୁ ରାଜଧାନୀ ଘୋଷଣା କଲେ ସେତେବେଳେ ଏହି ରାସ୍ତାରେ ଟ୍ରାମ୍ ଯିବାଆସିବା କଲା । ଦେଶ ବିଭାଜନ ସମୟରେ ଯେତେବେଳ ଶରଣାର୍ଥୀ ଦିଲ୍ଲୀ ଆସିଲେ ସେମାନେ ଏଠାରେ ଦୋକାନ କରିବାକୁ ଲାଗିଲେ । ଫଳରେ ଏଠାକାର ଆର୍ଥିକ ଗୁରୁତ୍ବ ବଢ଼ିବାରେ ଲାଗିଲା ।
ପାକିସ୍ତାନରୁ ଆସିଥିବା ଶରଣାର୍ଥୀ ଓ ଦିଲ୍ଲୀ ଆସିଥିବା ବ୍ୟକ୍ତିମାନେ ପେଟପାଟଣା ପାଇଁ ଆବଶ୍ୟକ କରୁଥିଲେ ଏକ ବ୍ୟବସାୟିକ ସ୍ଥଳ । ଏହି ସ୍ଥାନରେ ଥିବା ଘରର ମାଲିକ ପାକିସ୍ତାନ ପଳାଇଥିଲେ । ସେହି ସ୍ଥାନରେ ଲୋକମାନେ ରହିବା ସହିତ ଦୋକାନ ମଧ୍ୟ ଚଲାଇଥିଲେ । ଏହାପରେ ଏହି ସ୍ଥାନଟି ବ୍ୟବସାୟର ପ୍ରମୁଖ ସ୍ଥଳ ପାଲଟିଗଲା ।
ଲାଲକିଲ୍ଲାରୁ ଆରମ୍ଭ ହୁଏ ଚାନ୍ଦିନୀ ଚୌକ । ଏହାପରେ ଜୈନ ମନ୍ଦିର, ଗୌରଶଙ୍କର ମନ୍ଦିର, ଗୁରୁଦ୍ବାର ଶଶିଗଞ୍ଜ ହୋଇ ଫତେହପୁର ମସ୍ଜିଦ ପର୍ଯ୍ୟନ୍ତ ଅଞ୍ଚଳକୁ ନିଜ ଭିତରେ ରଖିଛି ଚାନ୍ଦିନୀ ଚୌକ । ଚାନ୍ଦିନୀ ଚୌକର ଅଗଣାରେ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି । ସେ ବଲ୍ଲିମାରାନ ଗଳି ହେଉ କି ଖାରି ବାବଲି, କିନାରି ବଜାର, ମୋତି ବଜାର ବା ଖାଦ୍ୟପ୍ରେମୀଙ୍କ ପରାଠା ବାଲି ଗଳି । ଏହି ସମସ୍ତ ଅଞ୍ଚଳକୁ ଚାନ୍ଦିନି ଚୌକ ନିଜ ଭିତରେ ରଖିଛି ।
ଭଳିକି ଭଳି ଦୋକାନ ହେଉଛି ଚାନ୍ଦିନୀ ଚୌକର ସ୍ବତନ୍ତ୍ରତା । ଏଠାକାର ସାଂସ୍କୃତିକ ପରମ୍ପରା ଏହାକୁ ସଭିଁଙ୍କଠାରୁ ଭିନ୍ନ ରଖେ । ଉର୍ଦ୍ଦୁର ଜଣାଶୁଣା ଶାୟର ମିର୍ଜା ଗାଲିବ୍ ମଧ୍ୟ ଚାନ୍ଦିନୀ ଚୌକର ବଲ୍ଲିମାରାନ ଅଞ୍ଚଳ ସହ ଯୋଡ଼ି ହୋଇଥିଲେ । ଯେକୌଣସି ସହର ଯେତେ ପୁରୁଣା ହେବ ସ୍ବାଭାବିକ ଭାବରେ ସେଥିରେ ପରିବର୍ତ୍ତନ ମଧ୍ୟ ସେହିଭଳି ଭାବରେ ହେବ ।
ଚାନ୍ଦନୀଚୌକ ଓ ଶାହାଜାନବାଦ ସହିତ ଯେଉଁମାନେ ଯୋଡି ହୋଇଛନ୍ତି ସେମାନେ ଏହାର ସାଂସ୍କୃତିକ ପରମ୍ପରା ସମ୍ପର୍କରେ ଅବଗତ । ୧୮୫୭ର କ୍ରାନ୍ତି ପରେ ପରିବର୍ତ୍ତନ ସାକ୍ଷୀ ରହିଲା ଦିଲ୍ଲୀର ଚାନ୍ଦିନି ଚୌକ । ଆଜି ଏହା ଏକ ଏମିତି ଐତିହ୍ୟ ଯିଏ ଗୋଲାମି ଦେଖିଛି ଓ ସ୍ବାଧୀନତାର ସ୍ବର୍ଣ୍ଣିମ ସମୟ ବି ଦେଖିଛି । ଆଜି କେବଳ ଦିଲ୍ଲୀ ନୁହେଁ, ବରଂ ସାରା ଦେଶର ସାଂସ୍କୃତିକ ଐତିହ୍ୟକୁ ନିଜ କାନିରେ ବାନ୍ଧି ରଖିଛି ଚାନ୍ଦିନି ଚୌକ । ଏହି ଐତିହ୍ୟକୁ ନେଇ ସାରା ଦେଶ ଆଜି ଗର୍ବିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ