କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଜବରଦସ୍ତ ଟକ୍କର । କେବେ ମୋଦି ମଞ୍ଚରୁ ଦିଦିଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ମୋଦିଙ୍କୁ କଟାକ୍ଷ କରୁଛନ୍ତି ଦିଦି । ତେବେ ସୋମବାର ମୋଦିଙ୍କ ଉପରେ ଆତ୍ମପ୍ରଚାରର ଅଭିଯୋଗ ଲଗାଇଛନ୍ତି ସିଏମ ବାନାର୍ଜୀ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଟିକା ଉପରେ ମୋଦିଙ୍କ ଫଟୋ ଲାଗିବା ପରେ ଏହା କୋଭିଡ ନୁହେଁ ମୋଦି ଭ୍ୟାକ୍ସିନ ହୋଇଯାଇଛି । ମୋଦି ନିଜ ନାଁରେ ଷ୍ଟାଡିୟମ କରିଛନ୍ତି । ଇସ୍ରୋ ଜରିଆରେ ମହାକାଶକୁ ଫଟୋ ପଠାଉଛନ୍ତି । ତେବେ ସେ ଦିନ ଆଉ ବାକି ନାହିଁ ମୋଦିଙ୍କ ନାଁରେ ଭାରତ ନାମିତ ହେବ ବୋଲି କହିଛନ୍ତି ଦିଦି ।
ଏହା ପୂର୍ବରୁ ବ୍ରିଗେଡ ଗ୍ରାଉଣ୍ଡରୁ ଦିଦିଙ୍କ କଟାକ୍ଷ କରି ମୋଦି କହିଥିଲେ, ଦିଦି ଆପଣ କେବଳ ବଙ୍ଗର ନୁହେଁ, ସମଗ୍ର ଭାରତର ଝିଅ । କିଛି ଦିନ ପୂର୍ବରୁ ଯେବେ ଆପଣ ସ୍କୁଟି ସମ୍ଭାଳିଥିଲେ, ସେବେ ଆପଣଙ୍କ କୁଶଳମଙ୍ଗଳ ପ୍ରାର୍ଥନା କରିଥିଲେ ଜନସାଧାରଣ । ସୌଭାଗ୍ୟବସତଃ ଆପଣ ପଡିଯାଇନଥିଲେ । ନହେଲେ ଯେଉଁ ରାଜ୍ୟରେ ସେହି ସ୍କୁଟି ତିଆରି ହୋଇଛି, ସେହି ରାଜ୍ୟକୁ ହିଁ ଆପଣ ଶତ୍ରୁ କରିନେଇଥାନ୍ତେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣଙ୍କ ସ୍କୁଟି ଭବାନୀପୁର ଯିବା ପରେ ନନ୍ଦିଗ୍ରାମ ଆଡକୁ ମୋଡ ନେଇଛି । ଆମେ ସମସ୍ତଙ୍କର ମଙ୍ଗଳ କାମନା କରୁଛୁ । ଆମେ ଚାହୁଁନୁ କାହାରିକୁ ଆଘାତ ପହଞ୍ଚୁ । ତେବେ ଯଦି ସ୍କୁଟି ନନ୍ଦୀଗ୍ରାମରେ ବାଲାନ୍ସଫେଲ ହେବା ନିଶ୍ଚିତ ହୋଇସାରିଛି ସେବେ ଆମେ କଣ କରିପାରିବୁ ବୋଲି ପ୍ରଶ୍ନ କରିଛନ୍ତି ମୋଦି ।