ଅମରାବତୀ: ବାତ୍ୟା ମିଗଜୋମ୍ ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଦକ୍ଷିଣ ଓଡିଶାରେ ଜାରି ରହିଛି ବର୍ଷା । ପାଗ ଖରାପ ରହିଥିବାରୁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ବିଶାଖାପାଟନମରୁ ପ୍ରାୟ 23ଟି ବିମାନ ଉଡ଼ାଣ ବାତିଲ ହୋଇଛି । ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ବିଜୟୱାଡା, ତିରୁପତି ଏବଂ ଚେନ୍ନାଇ ଭଳି ଗନ୍ତବ୍ୟ ସ୍ଥଳକୁ ବିମାନ ବାତିଲ କରାଯାଇଛି । ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ପରବର୍ତ୍ତୀ ଉଡାଣ ସମ୍ବନ୍ଧରେ ସୂଚନା ପାଇବା ପାଇଁ ଏୟାରଲାଇନ୍ସ ସହ ଯୋଗଯୋଗ କରିବାକୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି । ଜରୁରୀକାଳୀନ ସେବା ପାଇଁ ବିମାନବନ୍ଦର କାର୍ଯ୍ୟକ୍ଷମ ରହିବ । ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ବର୍ଷା ସାଙ୍ଗକୁ ପବନର ବେଗ ଧୀରେଧୀରେ ବୃଦ୍ଧି ହେବାରେ ଲାଗିଛି । ସୁରକ୍ଷା ଦୃଷ୍ଟିରୁ ବିଶାଖାପାଟନମ ବିମାନବନ୍ଦରରୁ ବିମାନ ଉଡ଼ାଣ ବାତିଲ କରାଯାଇଛି ।
ଏହା ମଧ୍ଯ ପଢନ୍ତୁୃ-କିଛି ଘଣ୍ଟାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ମିଗଜୋମ୍ ! ଓଡ଼ିଶାରେ ପ୍ରବଳ ବର୍ଷା
ସେହିପରି ବାତ୍ୟା ପ୍ରଭାବରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବିମାନ ଉଡ଼ାଣ ଓ ଅବତରଣକୁ ମଧ୍ୟ ବାତିଲ କରାଯାଇଛି । ପ୍ରାୟ 16ଟି ବିମାନକୁ ବାତିଲ କରାଯାଇଛି । ଚେନ୍ନାଇ ବିମାନବନ୍ଦରରେ ସୋମବାର ସନ୍ଧ୍ୟାରୁ ବିମାନ ଉଡ଼ାଣ ବନ୍ଦ ରହିଥିଲା । ଆଜି ପୁଣି ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି । 17 ଘଣ୍ଟ ଧରି ବିମାନ ସେବା ବନ୍ଦ ରହିଥିବାରୁ ଏକାଧିକ ବିମାନ ଉଡାଣ ବନ୍ଦ ରହିଥିଲା । ଯାହା ଆଜି ଉଡାଣ କରିବ ।
ଏହା ମଧ୍ୟ ପଢନ୍ତୁ-ଭୀଷଣ ବାତ୍ୟାର ରୂପ ନେଲା 'ମିଗଜୋମ', ଆନ୍ଧ୍ର ଉପକୂଳରେ କରିବ ଲ୍ୟାଣ୍ଡଫଲ
ବଙ୍ଗୋପସାଗରରେ ବାତ୍ୟାର ରୂପ ନେଥିବା ମିଗଜୋମ୍ ବର୍ତ୍ତମାନ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ କରିଛି । ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳର ନେଲ୍ଲୋର ଏବଂ ମଚ୍ଛିଲପାଟନମ ମଧ୍ୟରେ ବାପାଟଲା ନିକଟରେ ଏହା ଲ୍ୟାଣ୍ଡଫଲ୍ କରିଛି । ଆଗାମୀ 3 ଘଣ୍ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ । 3 ଲ୍ୟାଣ୍ଡଫଲ ସମୟରେ ପବନର ବେଗ 90ରୁ 110 କିମି ରହିଛି । ଆଜି ମଧ୍ୟରାତ୍ରରେ ବାତ୍ୟା ଦୁର୍ବଳ ହୋଇଯିବ ।ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଉପକୂଳ ଅଞ୍ଚଳରେ ବର୍ଷା ଜାରି ରହିଛି । ବାତ୍ୟା ଲ୍ୟାଣ୍ଡଫଲ ସମୟରେ ସମୁଦ୍ରର ଜୁଆର 1.5 କିଲୋମିଟର ପର୍ଯ୍ୟନ୍ତ ମାଡିଆସିବ । ମତ୍ସଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଓଡିଶାରେ ମଧ୍ୟ ବାତ୍ୟାର ପ୍ରଭାବ ରହିଛି। ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଗତକାଲିଠାରୁ ବର୍ଷା ଜାରି ରହିଛି ।