ଲକ୍ଷ୍ନୌ: 21 ବର୍ଷ ପରେ ଏସିଡ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ । ଗିରଫ ହେଲା ଅଭିଯୁକ୍ତ । ଉତ୍ତରପ୍ରଦେଶର ଆଗ୍ରାରେ 2002 ମସିହାରେ ଘଟିଥିବା ଏକ ଏସିଡ ମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଗତ ଶନିବାର ଦିନ ଗିରଫ ହୋଇଛି । ଏକତରଫା ପ୍ରେମରେ ବିଫଳ ହୋଇ ଯୁବତୀଙ୍କ ଉପରେ ଏସିଡ ମାଡ଼ କରିଥିଲା ଅଭିଯୁକ୍ତ ଜଣକ । ଏସିଡରେ ମହିଳାଙ୍କ ମୁହଁ ଓ ଶରୀରର କିଛି ଅଂଶ ଜଳିଯାଇଥିଲା । ତେବେ 21 ବର୍ଷ ପରେ ନ୍ୟାୟ ପାଇଥିବାରୁ ବେଶ ଖୁସି ପ୍ରକଟ କରିଛନ୍ତି ପୀଡ଼ିତା ଜଣକ ।
ପୀଡ଼ିତାଙ୍କ ବୟାନ ଅନୁଯାୟୀ, ତାଙ୍କ ଭଉଣୀଙ୍କ ବିବାହ ଉତ୍ତରପ୍ରଦେଶର ଆଲିଗଡ଼ର ମସାନୀ ଅନ୍ତର୍ଗତ ନଗଲାରେ ହୋଇଥିଲା । ସେ ତାଙ୍କ ଭଉଣୀଙ୍କ ଶାଶୁଘରକୁ ଅନେକ ଥର ଯିବା ଆସିବା କରିଥାନ୍ତି । ଏହି ସମୟରେ ତାଙ୍କ ଭଉଣୀଙ୍କ ଦିଅର ତାଙ୍କୁ ଏକତରଫା ପ୍ରେମ କରି ବସିଥିଲା । ବିବାହ ନେଇ ମଧ୍ୟ ବାରମ୍ବାର ପ୍ରସ୍ତାବ ଦେଇଥିଲେ । ହେଲେ ଏସବୁ ନେଇ ସେ ମନା କରିବାରୁ କ୍ରୋଧରେ ପ୍ରତିଶୋଧ ନେବାକୁ ଯାଇ 2002 ସେପ୍ଟେମ୍ବର 7 ତାରିଖ ଦିନ ଯୁବତୀ ଜଣକ ନିଜ ଆଗ୍ରାସ୍ଥିତ ଘର ପାଖରେ ଛିଡା ହୋଇଥିବା ବେଳେ ତାଙ୍କ ଉପରକୁ ଏସିଡ ଫିଙ୍ଗିଦେଇଥିଲା ଯୁବକ ଜଣକ ।
ଏହାମଧ୍ୟ ପଢନ୍ତୁ..କୁନି ପୁଅ ସହ ଘରକୁ ଫେରିଲେ ଏସିଡ ପୀଡ଼ିତା ପ୍ରମୋଦିନୀ, ପରିବାରରେ ଖୁସିର ଲହରୀ
ଯୁବତୀଙ୍କ ମୁହଁ ଓ ଶରୀରର କିଛି ଅଂଶ ଏସିଡରେ ପୋଡିଯାଇଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଅନ୍ୟପଟେ ଅଭିଯୁକ୍ତ ଜଣକ ତାଙ୍କ ସମ୍ପର୍କୀୟ ହୋଇଥିବାରୁ ତାଙ୍କ ବିରୋଧରେ ଏତଲା ନଦେବାକୁ ପରିବାର ପକ୍ଷରୁ ବାଧ୍ୟ କରାଯାଇଥିଲା । ଯେଉଁଥିପାଇଁ ଏସମ୍ପର୍କରେ ସେ କୌଣସି ଅଭିଯୋଗ କରିନଥିଲେ ।
ସମ୍ପର୍କୀୟ ହୋଇଥିବାରୁ କରିନଥିଲେ ଅଭିଯୋଗ: ତେବେ ଏତେ ବଡ ଅପରାଧିକ କାର୍ଯ୍ୟକଳାପ ପରେ ବି ଅଭିଯୁକ୍ତ ବିରୋଧରେ କୌଣସି ଏତଲା ଦେଇନଥିଲେ ପୀଡିତା ଜଣକ । ଅଭିଯୁକ୍ତ ଜଣକ ତାଙ୍କ ଭଉଣୀଙ୍କ ଦିଅର ହୋଇଥିବାରୁ ଭଉଣୀଙ୍କ ଘର ଭାଙ୍ଗି ଯିବାର ଭୟରେ ତାଙ୍କ ପରିବାର ଏତଲା ନ ଦେବାକୁ ବାଧ୍ୟ କରିଥିଲେ । ଯେଉଁଥିପାଇଁ ପୀଡିତା ଜଣକ ଏନେଇ ଥାନାରେ କୌଣସି ଅଭିଯୋଗ ଆଣିନଥିଲେ ।
ଏହାମଧ୍ୟ ପଢନ୍ତୁ..ଜମିବାଡି ବିବାଦକୁ ନେଇ ଏସିଡ୍ ମାଡ଼: ୫ ଗୁରୁତର, ଗାଁରେ ଉତ୍ତେଜନା
10 ମାସ ପୂର୍ବରୁ ଦିଆଯାଇଥିଲା ଏତଲା: ତେବେ 10 ମାସ ପୂର୍ବରୁ ସିଭିଲ ସୋସାଇଟି ଅଫ୍ ଆଗ୍ରା ଓ ଏକ ସ୍ବେଚ୍ଛାସେବୀ ସଂଗଠନଙ୍କ ସହ ମିିଶି ପୀଡ଼ିତା ଜଣକ ପୋଲିସ କମିଶନରଙ୍କୁ ସାକ୍ଷାତ କରି ଏନେଇ ଜଣାଇଥିଲେ । ତତ୍କାଳୀନ ଏଡିଜି ଅଜୟ ଆନନ୍ଦଙ୍କ ହସ୍ତକ୍ଷେପ ପରେ 21 ବର୍ଷ ପରେ ଏନେଇ ଥାନାରେ ଏତଲା ଦାୟର କରାଗଲା । କିନ୍ତୁ ପୋଲିସ ଅଭିଯୁକ୍ତକୁ ଧରିବା ପୂର୍ବରୁ ସେ ଫେରାର ହୋଇଯାଇଥିଲା । ତେବେ ଆଲିଗଡ଼ ପୋଲିସ ଖୋଜାଖୋଜି କରି ଶନିବାର ଦିନ ଅଭିଯୁକ୍ତ ଆରିଫଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।
ବିବାହ ପରେ ଛାଡ଼ି ଦେଇଥିଲା ସ୍ବାମୀ: ପୀଡିତା ଜଣକ ଆଉ ମଧ୍ୟ କହିଥିଲେ ଯେ, ଏଭଳି ଘଟଣା ପରେ ବି 2010ରେ ଜଣେ ଯୁବକଙ୍କ ସହ ତାଙ୍କ ବିବାହ କରାଯାଇଥିଲା । ପରେ 2016 ମସିହାରେ ତାଙ୍କ ସ୍ବାମୀ ତାଙ୍କୁ ଛାଡି କୁଆଡେ ଚାଲିଯାଇଥିଲେ । ସେବେଠୁ ନିଜର 11 ବର୍ଷୀୟା ଝିଅ ସହ କଷ୍ଟେମଷ୍ଟେ ଚଳିଆସୁଛନ୍ତି ପୀଡ଼ିତା ଜଣକ । ଅନ୍ୟପଟେ ପୋଲିସର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟି ପ୍ରକାଶ କରିବା ସହ ଦୀର୍ଘ 21 ବର୍ଷ ପରେ ଅଭିଯୁକ୍ତ ଆରିଫ ଗିରଫ ହୋଇଥିବା ଯୋଗୁଁ ଖୁସି ପ୍ରକଟ କରିଛନ୍ତି ପୀଡିତା ଜଣକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ