ଭୁବନେଶ୍ବର: ଶୁଆଇ ଦେଉନି ଅନାହାର ଓ ଅପପୁଷ୍ଟିର ଅନବରତ ଆର୍ତ୍ତ ଚିତ୍କାର । ତିଳ ତିଳ ମାରୁଛି ଖାଲି ପେଟର ଅକୁହା ଯନ୍ତ୍ରଣା । କ୍ଷୁଧାରେ ଛଟପଟ ଶରୀର ।
ଲେଉଟୁନି ଭୋକର ଭୂଗୋଳ ଫର୍ଦ୍ଦ । ଭୋକ ବୁଝେନି ଖାଦ୍ୟର ପ୍ରକାର ଭେଦ, ମାନେନି ସ୍ବାଦ-ବର୍ଣ୍ଣ । ଯେବେ ଭୋକର ଜ୍ବାଳା ମନ ପ୍ରାଣ ଜାଳିଦିଏ ସେତେବେଳେ ଭଲ-ଖରାପ, ପଚାସଢା ଭିତରେ ଦେଖାଯାଏନି ଫରକ । ଆଖି ଖୋଜେ କେବଳ ଦୁଇ ମୁଠା ଦାନାକୁ... ଆଉ ଏଭଳି ଏକ କରୁଣ ଚିତ୍ର ଏବେ ଘାଣ୍ଟିଚକଟି ଦେଇଛି ସମସ୍ତଙ୍କୁ ମନକୁ... । ଭୋକର ଭଗ୍ନାଂଶର ଏହି ଅଛିଣ୍ଡା ଭାଗଶେଷ କରିଦେଇଛି ଅଣନିଶ୍ବାସୀ ।
ଭୋକ ବିକଳରେ ଆଉଟୁପାଉଟୁ ଅଢେଇ ବର୍ଷର କଅଁଳ ଶିଶୁ । ଶେଷରେ ଅଳିଆ ଗଦାରେ ପଡିଥିବା ଅଇଁଠା ଖଲିପତ୍ରକୁ ଚାଟିଚାଟି ଖାଇଯାଉଛି । ଆଉ ଏହି ଦୃଶ୍ୟ ଦେଖିଲେ ବୋହିଯାଉଛି ଆଖିର ଲୁହ । ଏହା କୌଣସି ଗପ ବହିର କାହାଣୀ ନୁହେଁ ବରଂ ଦାରିଦ୍ର୍ୟତାର ଦାରୁଣ ସତ । ଏହା ବାସ୍ତବତାକୁ ସରକାରଙ୍କ ମିଛ ବିକାଶର ଅଟ୍ଟହାସ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ ।
ଖଣି ଖାଦାନ ଭରା ସୁନ୍ଦରଗଡ । ମାଟି ତଳେ ଅମାପ ସମ୍ପତ୍ତି । ହେଲେ ଜିଲ୍ଲାର ମାଲଦା ଗ୍ରାମପଞ୍ଚାୟତରୁ ସାମ୍ନାକୁ ଆସିଥିବା ଅନାହାରର ଚିତ୍ର ଦେଖି ଚହଲି ପୁଡୁଛି ଆଖିର ଲୁହ । ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଗଣୁଆ ଗାଁର ରାବଣ ମୁଣ୍ଡାଙ୍କ କୁନି ପୁଅ । ରାବଣ ମୁଣ୍ଡାଙ୍କ ସ୍ତ୍ରୀ କିଛି ମାସ ତଳେ ଆରପାରିକି ଚାଲିଗଲେ । ୩ ଛୁଆଙ୍କୁ ନେଇ ରାବଣଙ୍କ ପାଇଁ ଚଳିବା କଷ୍ଟକର ହୋଇ ପଡିଛି । ଗୋଟିଏ ପଟେ ପାରିବାରିକ ଅସହାୟତା ଓ ଅନ୍ୟପଟେ ପେଟପାଟଣା ଚିନ୍ତା ଏଭଳି ପରିସ୍ଥିତି ସୃଷ୍ଟି କରିଛି। ମା' ଛେଉଣ୍ଡ ହେବା ପରେ ପିଲାମାନଙ୍କ ଏଭଳି ଦୁର୍ଦ୍ଦଶା । ରାବଣ ମୁଣ୍ଡା ଅଢ଼େଇ ବର୍ଷର ଏହି ଶିଶୁ ସହ ତା 5 ବର୍ଷର ଭଉଣୀ ମାଳତୀ ମୁଣ୍ଡା ଓ 7 ବର୍ଷର ଭାଇ ରାଜନ ମୁଣ୍ଡା ରୁହନ୍ତି । ବାପା ରାବଣ ମୁଣ୍ଡା ଅନ୍ୟତ୍ର କାମ କରିବାକୁ ଯାଇଥିଲାବେଳେ ଶିଶୁଟି ଅଇଁଠା ପତ୍ର ଚାଟୁଥିବାର ଭିଡିଓ କ୍ୟାମେରାରେ ହୋଇଥିଲା କଏଦ । ତେବେ କାହା ପାଇଁ ମାଳମାଳ ଯୋଜନା ? କଣ ପାଇଁ ବିକାଶର ମିଛ ପ୍ରତିଶ୍ରୁତି ? ତମାମ ପ୍ରଶ୍ନ ମଧ୍ୟରେ ସରକାରଙ୍କ ବିକାଶର ନଗ୍ନ ଚିତ୍ରକୁ ବୟାନ କରୁଛି କୋଇଡାର କରୁଣ କାହାଣୀ ।
'ଭୋକର ଭୂଗୋଳ ଆଜି ପାଲଟିଛି ଭାତ ହାଣ୍ଡି' ଉକ୍ତିଟି ଗତ କିଛି ମାସ ପୂର୍ବରୁ ପ୍ରାୟତଃ ସମସ୍ତ ଗଣମାଧ୍ୟମରେ ଶିରୋନାମା ମଣ୍ଡନ କରିଥିଲା । ଗତ ଜାନୁଆରୀରେ କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା' ମାଣିକେଶ୍ବରୀ ନାଁ ନେଇ ଜିଲ୍ଲାବାସୀଙ୍କୁ ଦେଖାଇଥିଲେ ବିକାଶର ଅନେକ ସ୍ବପ୍ନ । କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ ବରଂ ଆଜି ବିକାଶର ମଡେଲ। ସରକାରଙ୍କ ଉଦ୍ୟମରେ କଳହାଣ୍ଡିର ଛବି ଆଜି ଉଜ୍ଜ୍ଵଳ । କଳାହାଣ୍ଡି ଆଜି କୃଷି କ୍ଷେତ୍ରରେ ଆଗୁଆ । ଭୋକର ଭୁଗୋଳ କଳାହାଣ୍ଡି ଆଜି ପାଲଟିଛି ଭାତହାଣ୍ଡି। ଆଉ ନୂଆ ଓଡ଼ିଶାକୁ ବାଟ ଦେଖାଇଛି ବୋଲି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାର ସତ୍ୟତା ଆଜି ସରକାରଙ୍କ ବିକାଶକୁ ସୁନ୍ଦରଗଡ ଆକାଶର କଳା ବାଦଲ ଭିତରେ ହଜାଇ ଦେଇଛି ।
କୋଇଡାର ଚିତ୍ର ଆଜି ସୁନ୍ଦରଗଡକୁ ଡରାଉଛି 80 ଦଶନ୍ଧିର କଳାହାଣ୍ଡି ଆକାଶରେ ଦେଖାଦେଇଥିବା ଅନାହାରର ସେ କଳା ବାଦଲର ଭୟ । ଆଉ ମନେ ପକାଇ ଦେଉଛି ନଗଡାର ନର୍କ ଯନ୍ତ୍ରଣା । ଦିନେ ନଗଡା ହିଁ ବଖାଣିଥିଲା ଓଡିଶାର ଅପପୁଷ୍ଟିର କାହାଣୀ । ଯାଜପୁର ଜିଲାର ଅଖ୍ୟାତ ପଲ୍ଲୀ ନଗଡା ଅନାହାର ପାଇଁ ଗଣମାଧ୍ୟମରେ ପାଲଟିଥିଲା ଆଗ ଧାଡିର ଖବର । ଜିଲାର ସୁକିନ୍ଦା ବ୍ଲକରେ ଥିବା ଏହି ଅଞ୍ଚଳର ଅନେକ ଜୁଆଙ୍ଗ ପରିବାରର ଶିଶୁଙ୍କର ଜୀବନଦୀପ ଅପପୁଷ୍ଟିର ଅନ୍ଧାର ଗଳିରେ ଅଣନିଶ୍ବାସୀ ହୋଇ ଅସମୟରେ ଲିଭି ଯାଇଥିଲା । ଆଉ କିଛି ଶିଶୁ କୁପୋଷଣର ଶିକାର ହୋଇ ଜୀବନ ବଞ୍ଚାଇବାକୁ କରିଥିଲେ ପ୍ରୟାସ ।
2020ର ଏକ ରିପୋର୍ଟ ଉପରେ ନଜର ପକାନ୍ତୁ...ଅପପୁଷ୍ଟି କ୍ଷେତ୍ରରେ ଯଦିଓ ଓଡିଶା ଜାତୀୟ ହାର ଠାରୁ ସାମାନ୍ୟ ତଳେ ରହିଛି ତଥାପି ରାଜ୍ୟର ଆଦିବାସୀ ଅଞ୍ଚଳର ସ୍ଥିତି ଏବେ ଚିନ୍ତାଜନକ । ଆଦିବାସୀ ପ୍ରବଣ ମାଲକାନଗିରି ଜିଲ୍ଲାରେ ୫୧.୮ ପ୍ରତିଶତ ପିଲା କମ ଓଜନର । ସେହିପରି ସୁନ୍ଦରଗଡ, ସୁବର୍ଣ୍ଣପୁର, ମାଲାକନଗିରି, ନବରଙ୍ଗପୁରୁ, କୋରାପୁଟ, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ନୂଆପଡା ଆଦି ଜିଲ୍ଲାଗୁଡିକରେ ଶିଶୁ ଓ ମହିଳାମାନଙ୍କ କ୍ଷେତ୍ରରେ ରକ୍ତହୀନତା ରାଜ୍ୟ ହାର ଠାରୁ ଖୁବ ଅଧିକ । ସମଗ୍ର ରାଜ୍ୟ କଥା ଯଦି କହିବା ତାହେଲେ ଓଡିଶାରେ ଅପପୁଷ୍ଟି ବା କୁପୋଷଣ ସ୍ଥିତି ଗମ୍ଭୀର । ବର୍ତ୍ତମାନ ସମୟରେ ରାଜ୍ୟର ୪୫୨ ଶିଶୁ ଗୁରୁତର ଅପପୁଷ୍ଟି (SAM)ର ଶିକାର ହୋଇଛନ୍ତି । ଏନେଇ ଖୋଦ ରାଜ୍ୟ ସରକାର ସ୍ବୀକାର ମଧ୍ୟ କରିଛନ୍ତି ।
ବିଧାନସଭା ଅଧିବେଶନ କାଳରେ ଏକ ପ୍ରଶ୍ନର ଜବାବରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟରେ ଅପପୁଷ୍ଟିରେ ପୀଡିତ ଶିଶୁଙ୍କ ତଥ୍ୟ ପ୍ରଦାନ କରିଥିଲେ । ସେ ଦେଇଥିବା ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ଶିଶୁ ଅପପୁଷ୍ଟିରେ ପୀଡିତ ଅଛନ୍ତି । ଏହି ଜିଲ୍ଲାରେ ସମୁଦାୟ 57 ଅପପୁଷ୍ଟି ଶିଶୁ ରହିଛନ୍ତି ।
ତେବେ ପୁଷ୍ଟିହୀନତାକୁ ପ୍ରତିହିତ ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଗୃହକୁ ଦେଇଥିଲେ ସୂଚନା । ଶୀଘ୍ର ସମୀକ୍ଷା ପରେ SAM ପିଲାମାନଙ୍କୁ ଚିହ୍ନଟ କରିବା ପାଇଁ ସରକାର ପଦକ୍ଷେପ ନେଇଥିଲେ ବୋଲି ସେ କହିଥିଲେ ।
ପୁଷ୍ଟିକର ଖାଦ୍ୟ ଯୋଗାଇବା ଏବଂ SAM ରେ ପୀଡିତ ପିଲାମାନଙ୍କ ଅଧିକ ଯତ୍ନ ନେବା ପାଇଁ ସେମାନଙ୍କୁ ପୁଷ୍ଟିକର ପୁନର୍ବାସ କେନ୍ଦ୍ର (NRC)କୁ ସ୍ଥାନାନ୍ତର କରାଯାଇଛି । ଅଙ୍ଗନୱାଡି କର୍ମୀଙ୍କୁ ପ୍ରତି ଘରେ ପହଞ୍ଚି ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।
ବର୍ତ୍ତମାନ ସୁନ୍ଦରଗଡରେ ସଦ୍ୟ ଚିତ୍ର ସରକାରଙ୍କ ଗମ୍ଭୀରତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ । କୋଇଡାର ଏହା କେବଳ ଏ ଗୋଟେ ପରିବାର କାହାଣୀ ନୁହେଁ । ଏ ଗାଁରେ ରହୁଥିବା ଅଧିକାଂଶ ପରିବାରର ଏଭଳି ଅବସ୍ଥା । ଖାଦ୍ୟ ନ ପାଇ ଅପପୁଷ୍ଟିର ଶିକାର ହେଉଛନ୍ତି ଏଭଳି କୁନି କୁନି ଛୁଆମାନେ । ଗାଁରେ ଫେଲ ମାରିଛି ସରକାରଙ୍କ ଯୋଜନା ।
କୋଇଡାରୁ କୋଟି କୋଟି ଟଙ୍କାର ରାଜସ୍ବ ପାଉଛନ୍ତି ରାଜ୍ୟ ସରକାର । ଏଠାକାର ମାଟିତଳେ ଗଚ୍ଛିତ ଖଣିଜ ସମ୍ପତ୍ତିର ଭାରତୀୟ ଅର୍ଥନୀତି ଏବଂ ବିଶ୍ବ ବାଣିଜ୍ୟ ଉପରେ ସିଧାସଳଖ ପ୍ରଭାବ ରହିଛି। ସୁନ୍ଦରଗଡ ଜିଲ୍ଲାର ଇସ୍ତାତ ନଗରୀ ରାଉରକେଲା । ରାଉରକେଲାରୁ 2031 ସୁଦ୍ଧା ଭାରତରେ ଇସ୍ପାତ ଉତ୍ପାଦନ ଦ୍ବିଗୁଣିତ ହେବ ବୋଲି ପୂର୍ବାନୁମାନ କରାଯାଉଛି , ଯାହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ପ୍ରାୟ 2.1 ପ୍ରତିଶତ ଯୋଗଦାନ ଦେବ । ହେଲେ ସ୍ଥିତି ଦେଖିଲେ ମନେହେଉଛି ସାମଗ୍ରିକ ବିକାଶ ପାଇଁ ଆମ ଦେଶ ତଥା ରାଜ୍ୟରେ ଅନେକ ନୀତି, ଯୋଜନା ଓ କାର୍ଯ୍ୟକ୍ରମ ରୂପାୟନ କରାଯାଉଛି । ମାତ୍ର ଏହାର ସଫଳତା ଅନେକ କ୍ଷେତ୍ରରେ ବାସ୍ତବତାରେ ରୂପାନ୍ତରିତ ହୋଇପାରି ନାହିଁ । ଆର୍ଥିକ, ସାମାଜିକ ସ୍ଥିତି, ଅପପୁଷ୍ଟି, ଶିକ୍ଷା ତଥା ସମ୍ବଳର ଉପଲବ୍ଧତା ଭିତ୍ତିରେ ରହିଛି ଅନେକ ଅସମାନତା ।
କୋଇଡାରେ ଅନାହାରର ବିଷୟକୁ ଯଦି ଅଧ୍ୟୟନ କରିବା ତାହେଲେ ପ୍ରକୃତରେ ଜଣାପଡିବ ସବୁତକ ଖାଦ୍ୟ ଦୁର୍ନୀତି ଖାଇଯାଉଥିବା ବେଳେ ଭୋକିଲା ପେଟ ଏଠି ଅଇଁଠା ପତ୍ର ଚାଟିବାକୁ ବାଧ୍ୟ ହେଉଛି । ଆଉ ଭୋକର ଭୂଗୋଳରେ ସରକାରଙ୍କ ମିଛ ବିକାଶର ଭାତହାଣ୍ଡି ପାଲଟୁଛି ଇତିହାସର କଳଙ୍କିତ ଅଧ୍ୟାୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ