କୋଲକାତା: ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ । ଏହା ପୂର୍ବରୁ ରାଜ୍ୟର କ୍ଷମତାସୀନ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟର ମନୋଜ ତିୱାରୀ । ଟିଏମସିରେ ସାମିଲ ହେବା ପରେ ଜନସାଧାରଣଙ୍କୁ ସମର୍ଥନ ଦେବାକୁ ଅପିଲ କରିଛନ୍ତି ମନୋଜ ।
ମନୋଜ ତିୱାରୀ ଟ୍ବିଟ କରି ଲେଖିଛନ୍ତି, ଆଜିଠୁ ନୂଆ ଯାତ୍ରାର ଆରମ୍ଭ ହୋଇଛି । ଆପଣଙ୍କ ଭଲପାଇବା ଓ ସମର୍ଥନର ଆବଶ୍ୟକ । ମନୋଜ ତିୱାରୀ ରାଜନୀତି ପାଇଁ ଏକ ଅଲଗା ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି ।
ପଶ୍ଚିମବଙ୍ଗ ହାୱଡାରେ ଜନ୍ମିତ 35 ବର୍ଷୀୟ ମନୋଜ ତିୱାରୀ 2008ରେ ଭାରତୀୟ କ୍ରିକେଟ ଟିମକୁ ଏଣ୍ଟ୍ରି କରିଥିଲେ । ସେ ଟିମ ଇଣ୍ଡିଆ ପାଇଁ ଶେଷ ୱାନଡେ 2015ରେ ଖେଳିଥିଲେ । ଭାରତ ପାଇଁ ମନୋଜ 12ଟି ଦିନିକିଆ ସହ 3 ଟି-20 ମ୍ୟାଚ ଖେଳିଛନ୍ତି । ୱାନଡେ ମ୍ୟାଚରେ ମୋଟ 287 ରନ କରିଛନ୍ତି ତିୱାରୀ ।
କ୍ରିକେଟ କ୍ୟାରିୟରରେ ପାସ୍ ହେବାପରେ ରାଜନୀତି ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରିବା ନେଇ କ୍ରିକେଟର ମନୋଜ ତିୱାରୀଙ୍କ ନାମ ଏବେ ଚର୍ଚ୍ଚାରେ । ବୁଧବାର ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ପାର୍ଟିରେ ସାମିଲ ହୋଇଛନ୍ତି ସେ । ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାରୁ ଫେବ୍ରୁଆରୀ ବୁଧବାର ହୁଗୁଳି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଲି କାର୍ଯ୍ୟକ୍ରମ ରହିଥିଲା । ଏହି ରାଲିରେ ମନୋଜ ଟିଏମସିରେ ଯୋଗ ଦେଇଛନ୍ତି ।
ପଶ୍ଚିମବଙ୍ଗରେ ରାଜନୈତିକ ପରିସ୍ଥିତି ବେଶ ଉଷ୍ମ ରହିଛି । ଶାସକ ଟିଏମସିର ଏକାଧିକ ସାଂସଦ ବିଧାୟକ ଓ ତୁଙ୍ଗ ନେତା ଦଳ ଛାଡି ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପିରେ ସାମିଲ ହୋଇସାରିଛନ୍ତି । ଏପରିସ୍ଥଳେ ପେଟ୍ରୋଲ ଦର ବୃଦ୍ଧି ହେଉ କିମ୍ବା ଚାଷୀ ଆନ୍ଦୋଳନ ସବୁ ସମସ୍ୟାରେ ନିଜର ମତ ରଖିବା ସହ କେନ୍ଦ୍ରର ବିଜେପି ସରକାରଙ୍କୁ କଟାକ୍ଷ କରିଛନ୍ତି ତିୱାରୀ । ପେଟ୍ରୋଲ ଦର 100 ଟପିବା ନେଇ ତାଙ୍କର ଏକ ମଜାଳିଆ ଟ୍ବିଟ ନିକଟରେ ବେଶ୍ ଭାଇରାଲ ହୋଇଥିଲା ।