ନୂଆଦିଲ୍ଲୀ: ଦେଶରେ ଆସନ୍ତା ଜାନୁଆରୀ 16 ତାରିଖରୁ କୋଭିଡ-19ର ଟୀକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ବୃତ୍ତି ହରାଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଥମେ ଟିକା ଦିଆଯିବା ଉଚିତ । ଯାହାଦ୍ବାରା ସେମାନେ ନିଜର ଜୀବନ ଜୀବିକାରେ ଆଗକୁ ବଢି ପାରିବେ ବୋଲି ଜାତୀୟ ରାଜନୈତିକ ଦଳ ବହୁଜନ ସମାଜ ପାର୍ଟି(ବିଏସପି) ପକ୍ଷରୁ ରବିବାର ଦାବି ହୋଇଥିବା ମୁଖପାତ୍ର ସୁଧିନ୍ଦ୍ର ଭଦୋରିଆ କହିଛନ୍ତି ।
ଏକ ଗଣମାଧ୍ୟମ ସଂସ୍ଥାକୁ ଭଦୋରିଆ ସୂଚନା ଦେଇ କହିଛନ୍ତି ଯେ ଦଳର ସୁପ୍ରିମୋ ମାୟାବତୀ ଏହି ଦାବି କରିଛନ୍ତି । କୋରୋନା ମହାମାରୀ ପାଇଁ 2020 ମସିହା ପୂରା ବର୍ଷ ଦାରିଦ୍ର୍ୟ ସୀମାରେଖାର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ସହିତ ନିରୀହ ଲୋକ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ମହାମାରୀ ସମୟରେ ଗରିବ ଲୋକଙ୍କ ନିକଟରେ ଅର୍ଥ ଉପାର୍ଜନର କୌଣସି ଉତ୍ସ ନ ଥିବାରୁ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ମାଗଣାରେ ଟିକା ଦିଆଯିବା ଲାଗି ମାୟାବତୀ ଦାବି କରିଥିବା ଭଦୋରିଆ କହିଛନ୍ତି ।
ତେବେ ଦେଶବାସୀ କୋରୋନା ଟିକା ଉପରେ ଆଶା ବାନ୍ଧି ବସିଛନ୍ତି । ଏଣୁ କେନ୍ଦ୍ର ସରକାର ଟିକାର ସମସ୍ତ ସୁରକ୍ଷାମୂଳକ ପରୀକ୍ଷଣ କରିବା ଉଚିତ । ତେବେ ଏପର୍ଯ୍ୟନ୍ତ କାହିଁକି ଏହି ପରୀକ୍ଷଣ କାର୍ଯ୍ୟ ଶେଷ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଦେଶବାସୀଙ୍କ ସୁରକ୍ଷା କଥା ଚିନ୍ତା କରି ସ୍ବାସ୍ଥ୍ୟ ବିଭାଗ ଟୀକାକରଣ କରିବା ଉଚିତ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ସମ୍ପର୍କରେ ପ୍ରତିକ୍ରିୟା ରଖି ଭଦୋଦରା କହିଛନ୍ତି ଯେ ଦେଢ ମାସ ଧରି ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନ ସମୟରେ 50 ଜଣ ଚାଷୀ ପ୍ରାଣ ହରାଇଛନ୍ତି । ଏଣୁ କେନ୍ଦ୍ର ସରକାର ନିଜ କର୍ତ୍ତବ୍ୟରୁ ନ ହଟି ଆନ୍ଦୋଳନରତ ଚାଷୀଙ୍କ ଦାବିକୁ ପୂରଣ କରିବା ଉଚିତ ବୋଲି ସେ ମତ ରଖିଛନ୍ତି ।
@ ANI