ନୂଆଦିଲ୍ଲୀ: ଦିନକୁ ଦିନ କୋରୋନା ଭାଇରସର ନୂଆ ମ୍ୟୁଟାଣ୍ଟ ବାହାରୁଛି । ଏହାକୁ ରୋକିବା ଲାଗି ବିଶ୍ବସ୍ତରରେ ସମସ୍ତ ବୈଜ୍ଞାନିକ ଟୀକାକରଣକୁ ଗୁରୁତ୍ବ ଦେଇଛନ୍ତି । ଦେଶରେ ଟୀକାକରଣ ଜୋରସୋର ଚାଲିଥିବା ବେଳେ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି । ସେହିପରି ତୃତୀୟ ପର୍ଯ୍ୟାୟ କ୍ଲିନ୍କାଲ ପରୀକ୍ଷଣ ପାଇଁ ଅନୁମତି ଦେବାକୁ ଭାରତର କେନ୍ଦ୍ରୀୟ ଔଷଧ ପ୍ରାଧିକରଣ ସୁପାରିଶ କରିଛି ।
ତେବେ ଏହି ଟିକାକୁ ବୁଷ୍ଟର ଡୋଜ ଭାବେ ବୟସ୍କ ଲୋକଙ୍କୁ ଦିଆଯିବା ଲାଗି ଅନୁମତି ଦେବା ଲାଗି ସରକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(Drugs Controller General Of India) ଗତ ବର୍ଷ ୨୮ ଡିସେମ୍ବର ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲେ । ସେହି ଦିନ ଠାରୁ କୋଭୋଭାକ୍ସକୁ ଦେଶରେ ଇନୋକୁଲେସନ୍ କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ କରାଯାଇଛି ।
ଏପଟେ କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ(Central Drugs Standard Control Organisation)ର ବିଶେଷଜ୍ଞ କମିଟି ବୁଷ୍ଟର ସିଙ୍ଗଲ ଡୋଜ୍ ଟୀକାରଣ ଲାଗି ସ୍ଫୁଟିନିକ୍ ଭି ଲାଇଟ୍ ଟିକାକୁ ତୃତୀୟ ପର୍ଯ୍ୟାୟ ଟ୍ରାୟଲ ପାଇଁ ଶୁକ୍ରବାର ଅନୁମତି ଦେଇଛନ୍ତି । କୋଭୋଭାକ୍ସକୁ ତୃ଼ତୀୟ ପର୍ଯ୍ୟାୟ କ୍ଲିନ୍କାଲ ଟ୍ରାୟଲ ସହ ବୁଷ୍ଟର ଡୋଜ ଭାବେ ଅନୁମତି ଦେବା ଲାଗି ପରୀକ୍ଷା କରାଯାଇଥିଲା । ଏଥିରେ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା ।
ସେହିଭଳି ଗତ ଫେବୃଆରୀରେ ସେରମ୍ ଇନଷ୍ଚିଚ୍ୟୁଟ୍ ଅଫ ଇଣ୍ଡିଆର ସରକାରୀ ଏବଂ ନିୟାମକ ବ୍ୟାପାର(Government and Regulatory Affairs)ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ଡିସିଜିଆଇ(DCGI)କୁ କୋଭୋଭାକ୍ସର ସୁରକ୍ଷା ଓ ପ୍ରତିରୋଧକ ଶକ୍ତି ଉପରେ ଜଣାଇଥିଲେ । ଏଥିସହ ଯେଉଁ ମାନେ ତିନି ମାସ ପୂର୍ବରୁ କୋଭାକ୍ସିନ୍ ଓ କୋଭିସିଲ୍ଡ ନେଇଥିଲେ ଏମାନଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥିଲା ବୋଲି ଡିସିଜିଆଇ(DCGI) କହିଛି।
ଏତଦ୍ବ୍ୟତିତ୍ ପ୍ରକାଶ କୁମାର ସିଂ କହିଛନ୍ତି ଯେ, କୋରୋନା ମହାମାରୀର ଅନିଶ୍ଚିତତାକୁ ନେଇ ବହୁତ ରାଷ୍ଟ୍ର ତାଙ୍କ ନାଗରିକଙ୍କୁ ବୁଷ୍ଟର ଡୋଜ ଦେବା ଆରମ୍ଭ କରି ଦେଇଛନ୍ତି । ତେବେ କୋଭୋଭାକ୍ସ ବୁଷ୍ଟର ଡୋଜ ଭାବେ ତୃତୀୟ ପର୍ଯ୍ୟାୟ ପାଇଁ ଅନୁମତି ଦିଆଗଲେ ଦେଶରେ ଟୀକାକରଣ କ୍ଷେତ୍ରରେ ଆଉ ଏକ ମାଇଲ ଷ୍ଟୋନ୍ ଛୁଇଁବ । ଏଥିସହ ବିଶ୍ବର ବୃହତ ଟୀକାକରଣ ଚେନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମେକିଙ୍ଗ ଇନ ଇଣ୍ଡିଆ ଫର ଦ ୱାର୍ଲ୍ଡ' ('Making in India for the World') ଲକ୍ଷ୍ୟ ପୂରଣ କରିବ ବୋଲି ସିଂ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ