ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ପୁଣି ଉପରମୁହାଁ ହୋଇଛି କୋରୋନା ଗ୍ରାଫ୍ । ଦ୍ରୁତ ସଂକ୍ରମଣ ଏବଂ ନୂଆ ଭାରିଆଣ୍ଟ ଓମିକ୍ରନ ମାମଲାରେ ବୃଦ୍ଧି ସରକାରଙ୍କୁ ଚିନ୍ତାରେ ପକାଇଛି । ମହାମାରୀ ଏବେ ଚାରିଆଡେ ଆତଙ୍କ ଖେଳାଇ ଥିବାବେଳେ ଇତିମଧ୍ୟରେ ଓମିକ୍ରନକୁ ନେଇ ସତର୍କ କରାଇଛନ୍ତି ନୀତି ଆୟୋଗ ସଦସ୍ୟ ଡ଼ ଭିକେ ପଲ୍(Dr VK Paul) । ଓମିକ୍ରନ ସାଧାରଣ ଥଣ୍ଡା ନୁହେଁ । ଏହି ନୂଆ ଭାଇରସ ଜନିତ ସଂକ୍ରମଣକୁ ଲୋକେ ହାଲୁକା ଭାବେ ନେବା ଅନୁଚିତ୍(covid caused by omicron should not be considered common cold) ବୋଲି ପଲ୍ କହିଛନ୍ତି ।
ଓମିକ୍ରନ ଦ୍ରୁତ ସଂକ୍ରାମକ ହୋଇଥିବା ଯୋଗୁଁ ଏହା ଡେଲ୍ଟା ଭାରିଆଣ୍ଟର ସ୍ଥାନ ନେଉଛି । ସାଧାରଣତଃ ମହାମାରୀ ବିସ୍ତାରିତ ହେବା ଲାଗି ଅଧିକ ସମୟ ନେଇଥାଏ । ହେଲେ ବର୍ତ୍ତମାନ ସମୟରେ କ୍ଷୀପ୍ର ଗତିରେ ସଂକ୍ରମଣ ବଢୁଛି । ଡିସେମ୍ବରରେ ଦେଶରେ ପଜିଟିଭ ହାର ୧.୧ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଏହା ୧୧ ପ୍ରତିଶତ ରହିଛି । ସହରାଞ୍ଚଳରେ ଏହି ରେଟ୍ ୩୦ ରୁ ୬୦ ପ୍ରତିଶତରେ ପହଞ୍ଚିଛି । ଯଦିଓ ହସ୍ପିଟାଲାଇଜେନସ ହାର୍ କମ୍ ରହୁଛି ହେଲେ ସଂକ୍ରମଣ ଉଦବେଗ୍ ଜନକ ରହିଛି ।
ତେଣୁ କୋଭିଡ-୧୯ ସମ୍ବନ୍ଧୀୟ ସମସ୍ତ ନିୟମାବଳୀ ଅନୁପାଳନ କରିବା ସଙ୍ଗେ ସଙ୍ଗେ ସଂକ୍ରମଣର ଗତି ଶିଥିଳ କରିବା ପାଇଁ ଟିକା ନେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ନୀତି ଆୟୋଗ ସଦସ୍ୟ । କୋଭିଡ କଟକଣା ମାନି ସଂକ୍ରମଣକୁ ପ୍ରତିହତ କରିବା ସମାଜର ଦାୟିତ୍ବ । ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ଟିକା ନେବା ଉଚିତ୍ ବୋଲି ପଲ୍ କହିଛନ୍ତି ।
@ANI