ବର୍ଷେରୁ ଅଧିକ ଦିନ ହେଲା ସାରା ବିଶ୍ବରେ ମହାମାରୀ କୋଭିଡ-19 ଆତଙ୍କ ଖେଳାଇ ଦେଇଛି । ମାରାତ୍ମକ ଭୂତାଣୁ ବା ଭାଇରସର ପ୍ରକୋପ କ୍ରମଶଃ କମୁଥିବା ବେଳେ ଏହା ପୁଣି ଥରେ ଆଉ ଏକ ଭିନ୍ନ ରୂପରେ ମୁଣ୍ଡ ଟେକୁଛି । ଆହୁରି ଅଧିକ କ୍ଷତିକାରକ ଭାବେ ଆସୁଥିବା ଏହି ଭାଇରସ ସମଗ୍ର ମାନବ ଜାତି ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଶେଷଜ୍ଞଙ୍କ ମତରେ ନୂଆ ନୂଆ ନାମରେ ଏହି ଭାଇରସ ଦକ୍ଷିଣ ଆଫ୍ରିକା, ବ୍ରିଟେନ୍, ବ୍ରାଜିଲ, ଜାପାନ ଏବଂ ଯୁକ୍ତରାଷ୍ଚ୍ର ଆମେରିକାରେ ଦେଖିବାକୁ ମିଳୁଛି । ବ୍ରିଟେନରେ ବାହାରିଥିବା କେଣ୍ଟ ଭୂତାଣୁ କୋଭିଡ-19ରେ ବାହାରିଥିବା ଭୂତାଣୁଠାରୁ 70 ପ୍ରତିଶତ ଅଧିକ ବିପଜ୍ଜନକ । ଦ୍ରୁତ ସଂକ୍ରମଣ କରୁଥିବା ସୁପର ଭାଇରସ କାରଣରୁ ଚିନ୍ତାକୁ ବହୁଗୁଣରେ ବଢାଇ ଦେଇଛି । ଏହି ଭାଇରସ କିପରି ଆଗକୁ ଅଧିକ ଶକ୍ତିଶାଳୀ ନହୁଏ ସେଥିପାଇଁ ସମସ୍ତ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।
କରୋନା ଭାଇରସର ଭିନ୍ନ ରୂପ ନେଇ ଅଧିକ ଅନୁଧ୍ୟାନ କରିବାକୁ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମସ) ପକ୍ଷରୁ କୁହାଯାଇଛି । ଏସବୁକୁ ଦେଖିଲେ ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟୁନୁଷ୍ଠାନ ଗ୍ରହଣର ଆବଶ୍ୟକତା ରହୁଛି । ଅନ୍ୟପକ୍ଷରେ, ଏବେ କିଛି ରାଜ୍ୟରେ କୋଭିଡ-19 ନୂଆ ମାମଲା ନଜରକୁ ଆସୁଛି ଯାହାକି ଆଗକୁ ବିପଦ ସୂଚନା ଦେଉଛି । ନୂଆ ମାମଲା ମଧ୍ୟରୁ ପ୍ରାୟ 86 ପ୍ରତିଶତ ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡୁରୁ ଆସୁଛି । ସେଲୁଲାର ଏଣ୍ଡ ମୋଲେକୁଲାର ବାୟୋଲୋଜି ସେଣ୍ଟର (ସିସିଏମବି)ର ନିର୍ଦ୍ଦେଶକ ଡକ୍ଟର ରାକେଶ ମିଶ୍ର କହିଛନ୍ତି ଯେ, ଏହିସବୁ ରାଜ୍ୟରେ ବଢୁଥିବା କୋଭିଡ-19 ମାମଲା ନୂଆ କରି ଚିହ୍ନଟ ହେଉଥିବା ଭାଇରସ ପାଇଁ ହେଉନାହିଁ । ଅବଶ୍ୟ ସେ ସତର୍କ କରି କହିଛନ୍ତି ଯେ, ମାସ୍କ ନ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ନକରିବା ଆଦି କୋଭିଡ-19 ନିୟମାବଳୀ ପାଳନ ନକରିବା ଏବଂ ଏସବୁକୁ ଅବହେଳା କରିବା କାରଣରୁ କୋଭିଡ-19 ନୂଆ ମାମଲା ବଢୁଛି ।
ଏପରି ଘଟିଲେ ଅନ୍ୟ ସବୁ ରାଜ୍ୟର ସ୍ଥିତି ମଧ୍ୟ ବିଗିଡିଯାଇପାରେ । ପୁରୁଣା ଭୂତାଣୁ ସଂକ୍ରମଣ ରୋକିବା ଏବଂ ନୂଆ ଭୂତାଣୁକୁ ନିୟନ୍ତ୍ରିତ କରିବା ହେଉଛି ଏବେ ସରକାରଙ୍କ ପାଇଁ ଦୁଇଟି ଚ୍ୟାଲେଞ୍ଜ। କୋଭିଡ-19ର ପ୍ରଭାବ ଏବର୍ଷ ଶେଷ ସୁଦ୍ଧା ଜାରି ରହିବ ବୋଲି ଅବାସ୍ତବ ଯୁକ୍ତିକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଖଣ୍ଡନ କରିଛି । ହେଲେ ଯେଉଁ ଭଳି ଭାବେ ମହାମାରୀର ରୂପ ବଦଳିବାରେ ଲାଗିଛି ସେହି କାରଣରୁ ଏହା ଉପରେ ନିୟମିତ ନଜର ରଖିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି । ପୁଣିଥରେ ନୂଆ କୋଭିଡ ମାମଲା ସଂଖ୍ୟା ବଢୁଥିବା ଭାରତ ଭଳି ରାଷ୍ଟ୍ର ପାଇଁ ଡବ୍ଲ୍ୟୁଏଚଓର ନିର୍ଦ୍ଦେଶନାମା ଅତ୍ୟନ୍ତ ଜରୁରୀ।
ଟିକାଦାନରେ ବିଳମ୍ବ ହେଲେ ଏହା ନୂଆ ଭାଇରସ ରୂପରେ ସଂକ୍ରମିତ ହୋଇପାରେ ଏବଂ ସ୍ଥିତି ବିଗିଡି ଯାଇପାରେ ବୋଲି ବୈଜ୍ଞାନିକମାନେ ସତର୍କ କରି ଦେଇଛନ୍ତି । ସେମାନେ ଆହୁରି ବି ସତର୍କ କରି କହିଛନ୍ତି ଯେ, ପରୀକ୍ଷା ଦ୍ବାରା ଚିହ୍ନଟ ହୋଇ ପାରୁନଥିବା ଭାଇରାଲ ଷ୍ଟ୍ରେନସ ମଧ୍ୟ ବଢିପାରେ । କର୍ପୋରେଟ ହସ୍ପିଟାଲଗୁଡ଼ିକରେ ଟିକା ପାଇଁ ଚାହିଦା ବଢୁଥିବା ଦେଖି ତେଲେଙ୍ଗାନା ସରକାର ଜିଲ୍ଲା ଓ ଆଞ୍ଚଳିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଏହାସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଟିକା ପହଞ୍ଚାଇବାକୁ ସବୁଜ ସଂକେତ ଦେଇଛନ୍ତି । 60 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକା ଦାନ ନେଇ ଥିବା ସମୟସୀମାକୁ କେନ୍ଦ୍ର ସରକାର ଉଠାଇ ଦେଇଛନ୍ତି । ଏବେ ଏହି ବୟସର ବ୍ୟକ୍ତି ବିଶେଷ ଦିନ ସମୟରେ ଯେତେବେଳେ ଚାହିଁବେ ଟିକା ନେଇ ପାରିବେ ।
ସରକାରଙ୍କ ଏହି ପଦକ୍ଷେପ କେବଳ ଏତିକିରେ ସୀମିତ ରହିବା ଠିକ୍ ହେବନାହିଁ । ପର୍ଯ୍ୟବେକ୍ଷକଙ୍କ ମତରେ ବର୍ତ୍ତମାନ ଯେଉଁଭଳି ଭାବେ ଟିକା ଦିଆଯାଉଛି ସେପରି ଦିଆଗଲେ ଗ୍ରାମାଞ୍ଚଳରେ ଏହା ପହଞ୍ଚିବାକୁ ବହୁବର୍ଷ ଲାଗିଯିବ । ଏହି ପରିପ୍ରେକ୍ଷୀରେ ଟିକାଦାନ ତ୍ବରାନ୍ବିତ କରିବା ପାଇଁ ସରକାରୀ ରଣନୀତି ଓ କାର୍ଯ୍ୟାନୁଷ୍ଠାନ ଅଧିକ ଗତିଶୀଳ କରାଯିବା ଆବଶ୍ୟକ । ଏହା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା । ଟିକା ପ୍ରସ୍ତୁତି ଏବଂ ଆବଶ୍ୟକତା ମଧ୍ୟରେ ଏକ ବଡ଼ ବ୍ୟବଧାନ ଥିବାରୁ ଯିଏ ଚାହିଁବ ସମସ୍ତଙ୍କୁ ଯେପରି ଟିକା ମିଳିପାରିବ ସେ ଦିଗର ଗାଇଡଲାଇନସ କୋହଳ କରାଯିବା ଉଚିତ୍ । ଟିକା ହିଁ ଏକମାତ୍ର ଉପାୟ ଯଦ୍ବାରା ସମସ୍ତଙ୍କୁ ନିରାପଦରେ ରଖିହେବ । ଟିକା ନେଉଥିବା ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କେତେ ମାତ୍ରାରେ ବଢୁଛି ସେ ସମ୍ପର୍କରେ ଯେଉଁଦିନ ଗବେଷଣା କରାଯାଇ ତଥ୍ୟ ବାହାରିବ ସେତେବେଳେ ଦେଶ କରୋନା ଭଳି ଏକ ବଡ଼ ସଂକଟରୁ ନିଜକୁ ବଞ୍ଚାଇ ପାରିବ ।