ନୂଆଦିଲ୍ଲୀ: କୋରୋନାର ଭୟାବହତା ଭିତରେ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଜଣାଇଲା ଆଶ୍ବସ୍ତିକର ଖବର । ମହାରାଷ୍ଟ୍ର, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଫେବୃଆରି ଶେଷ ସୁଦ୍ଧା କୋରୋନାର ତୃତୀୟ ଲହର ଥମିଯିବ ବୋଲି ଶୁକ୍ରବାର ଦିନ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଅତିରିକ୍ତ ମହାନିର୍ଦେଶକ ଡାକ୍ତର ସମୀରନ ପଣ୍ଡା ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଉକ୍ତ ରାଜ୍ୟ ଗୁଡିକରେ ସଂକ୍ରମଣ ଯାହା ସର୍ବୋଚ୍ଚସ୍ତରରେ ରହିଛି ତାହା ଚଳିତ ମାସ ଶେଷ ସୁଦ୍ଧା ନିମ୍ନସ୍ତରକୁ ଚାଲିଆସିବ। ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଇବ । ସେହିପରି ମହାମାରୀ ବିଶେଷଜ୍ଞ ଚନ୍ଦ୍ରକାନ୍ତ ଲହରିୟା କହିଛନ୍ତି ଯେ, ସଂକ୍ରମଣ ମାମଲାରେ ୯୦% ରହି ଓମିକ୍ରନ୍ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଡେଲ୍ଟା ସଂକ୍ରମଣ ମାତ୍ର ୧୦% ରହିଛି ।
ସମଗ୍ର ବିଶ୍ବରେ ଏବେ ସଂକ୍ରମଣ ମାମଲାର ଉତଥାନ ଓ ପତନ ଧାରା ଲାଗି ରହିଛି । ଆଇସିଏମ୍ଆର୍ ଏବଂ ଇମ୍ପେରିଆଲ୍ କଲେଜ୍ ଲଣ୍ଡନ ବିକଶିତ କରିଥିବା କ୍ରୋମିକ୍ ମଡେଲ୍ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମଧ୍ୟ ଭାଗ ବେଳକୁ ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ନିମ୍ନଗାମୀ ହୋଇଯାଇଥିବ ।
ଡାକ୍ତର ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ଯଦି ସାର୍ସ-କୋଭ୍-୨(SARS-CoV-2)ର ମାରାତ୍ମକ ଭାରିଆଣ୍ଟ୍ ପ୍ରକଟ ନ ହୁଏ, ତେବେ ପରିସ୍ଥିତି ନିୟନ୍ତ୍ରଣକୁ ଆସିପାରେ। ଗୁରୁବାର ଦିନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉପସ୍ଥାପନାରେ ଦର୍ଶାଯାଇଛି ଯେ ମହାରାଷ୍ଟ୍ର ସଂକ୍ରମିତ ମାମଲାଗୁଡ଼ିକରେ ଯଥେଷ୍ଟ ହ୍ରାସ ପାଇଛି ।