ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେଲା କୋରୋନା ଟିକା କୋଭୋଭାକ୍ସର କ୍ଲିନିକାଲ ଟ୍ରାଏଲ । ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଲଞ୍ଚ ହୋଇପାରେ ଏହି କୋଭିଡ ଭ୍ୟାକସିନ । ଆମେରିକୀୟ ଟିକା କମ୍ପାନୀ ନୋଭାଭ୍ୟାକ୍ସ ଓ ସେରମ ଇନଷ୍ଟିଚ୍ୟୁଟର ମିଳିତ ଉଦ୍ୟମରେ ଏହି ଟିକା ବିକଶିତ କରାଯାଇଛି । ଏହି ଭ୍ୟାକସିନ ଆଫ୍ରିକୀୟ ଓ ବ୍ରିଟେନ କୋରୋନା ଟିକା ବିରୁଦ୍ଧରେ 89 ପ୍ରତିଶତ ଫଳପ୍ରଦ ହେବ । ଏନେଇ ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ସୂଚନା ଦେଇଛନ୍ତି ।
ଗତ ଅଗଷ୍ଟ 2020ରେ ଆମେରିକୀୟ ଟିକା କମ୍ପାନୀ novavax, inc ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶ ତଥା ଭାରତରେ NVX-cov2373 ର ବିକାଶ ଏବଂ ବ୍ୟବସାୟିକରଣ ପାଇଁ ସେରମ ସହିତ ଏକ ଚୁକ୍ତି ଘୋଷଣା କରିଥିଲା ।
ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ କୋଭିଡ ବିରୁଦ୍ଧରେ ଏକ ଟିକା ବିକଶିତ କରିଛି । ବ୍ରିଟେନରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ଯେଉଁଥିରେ ଏହା ଜଣାପଡିଥିଲା ଏହି ଟିକା SARS-CoV-2 ଷ୍ଟ୍ରେନ୍ ଦ୍ୱାରା ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ରୋଗ ବିରୁଦ୍ଧରେ 96.4% କାମ ଦେବ । ବ୍ରିଟେନର ସ୍ବେଚ୍ଛାସେବୀଙ୍କ ନିକଟରେ ଏହି ଟିକା ପରୀକ୍ଷଣ କରାଯାଇଥିବାବେଳେ ଏହା 89% ଫଳପ୍ରଦ ହୋଇପାରିଛି ବୋଲି ଗତ ଜାନୁଆରୀ ମାସରେ କମ୍ପାନୀ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ