ନୂଆଦିଲ୍ଲୀ: ହରିୟାଣାର କରନାଲଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ତେବେ ଏହାରି ମଧ୍ୟରେ ବିଜେପିର ବୈଠକ ସମୟରେ ବିରୋଧ ପ୍ରଦର୍ଶନ କରିଥିବା ଚାଷୀଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଚାଷୀନେତା ରାକେଶ ଟିକାଏତ । ଭାରତରେ ସରକାରୀ ତାଲିବାନମାନେ କବଜା କରିଛନ୍ତି ବୋଲି କହିଛନ୍ତି । ଅର୍ଥାତ ସେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ତାଲିବାନ ଆତଙ୍କବାଦୀ ବୋଲି କହିଛନ୍ତି ।
ସେ ଏହି ପ୍ରସଙ୍ଗରେ କହିଛନ୍ତି ବର୍ତ୍ତମାନ ସାରା ଦେଶରେ ସରକାରୀ ତାଲିବାନମାନେ କବଜା କରିଛନ୍ତି । ଏହି ସରକାରୀ ତାଲିବାନଙ୍କ କମାଣ୍ଡର ଦେଶର ଅନେକ ସ୍ଥାନରେ ଉପସ୍ଥିତ ଅଛନ୍ତି । ଏହି କମାଣ୍ଡରଙ୍କୁ ଚିହ୍ନଟ କରିବାକୁ ପଡ଼ିବ । ଚାଷୀଙ୍କୁ ଆଘାତ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ବ୍ୟକ୍ତି ହିଁ ତାଲିବାନଙ୍କ କମାଣ୍ଡର ବୋଲି ସେ କହିଛନ୍ତି ।
ତେବେ ସୂଚନା ଥାଉ କି ଗତ ଶନିବାର କରନାଲରେ ବିଜେପି ଏକ ବୈଠକର ଆୟୋଜନ କରିଥିଲା । ଏହି ସମୟରେ ଆନ୍ଦୋଳନରତ ଚାଷୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ଚାଷୀଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିବା ଆରମ୍ଭ କରିଥିଲା । ତେବେ ଏହାର ଜବାବ ଚାଷୀମାନେ ଦେବେ ବୋଲି ଚିକାଏତ କହିଛନ୍ତି । ଏହାସହିତ ଶନିବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହରିୟାଣାର ସମସ୍ତ ହାଇୱେ ଓ ଟୋଲ ପ୍ଲାଜାକୁ ବନ୍ଦ କରିବା ପାଇଁ ମଧ୍ୟ ଟିକାଏତ ନିର୍ଦ୍ଦେଶ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ