ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରେ ଜେରା ହେବେ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ । ରାହୁଲଙ୍କ ପରି ସୋନିଆଙ୍କ ପାଇଁ ମଧ୍ୟ ଦେଶବ୍ୟାପୀ ଦଳ ପ୍ରତିବାଦ କରିବ । ଗତକାଲି (ବୁଧବାର) ଦଳ ପକ୍ଷରୁ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଜୁଲାଇ 21 ତାରିଖରେ ସୋନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ଏହି ଦିନ ଦଳ ବିଜେପି ନେତୃତ୍ବାଧୀନ NDA ମେଣ୍ଟ ସରକାରର ବିରୋଧରେ ପ୍ରତିବାଦ କରିବ ।
ବିଜେପି ନେତୃତ୍ବାଧୀନ NDA ମେଣ୍ଟ ସରକାରର କ୍ଷମତାର ଅପବ୍ୟବହାର, ସାମ୍ବିଧାନିକ ଅନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ବିରୋଧୀଙ୍କୁ ଟାର୍ଗେଟ କରାଯାଉଥିବା ଦଳ ଅଭିଯୋଗ କରିଆସିଛି । ସେହିପରି ଗାନ୍ଧୀ ପରିବାର ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ମଧ୍ୟ ରାଜନୈତିକ ଆକ୍ରୋଶ ବୋଲିି ଦଳ କହି ଆସିଛି । ଏହି ପ୍ରସଙ୍ଗରେ ଦଳ ମଧ୍ୟ ଜୁଲାଇ 18 ରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ ଗୃହରେ ମଧ୍ୟ ପ୍ରତିବାଦ କରିପାରେ ।
ସୋନିଆଙ୍କୁ ସମନ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ସୋନିଆ ତାଙ୍କ ଜୀବନରେ ଏପରି ବହୁତ ଘଟଣାର ସାମ୍ନା କରିଛନ୍ତି । ତେଣୁ ସେ ଆଦୌ ଭୟଭୀତ ନୁହନ୍ତି । ସେ ସଠିକ ସମୟରେ ହାଜର ହୋଇ ସରକାରକୁ ସାମ୍ନା କରିବେ । ପୁଅ ରାହୁଲଙ୍କୁ ମାରାଥନ ଜେରା ବେଳେ ମଧ୍ୟ ଦିଲ୍ଲୀ ସମେତ ଅନ୍ୟ କିଛି ସ୍ଥାନରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଆନ୍ଦୋଳନ କରିଥିଲେ ।
ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲାରେ ସୋନିଆ ଗାନ୍ଧୀ ଓ ପୁଅ ରାହୁଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା । ରାହୁଲ ନିର୍ଦ୍ଧାରିତ ସମୟରେ ଜେରାରେ ଅଂଶଗ୍ରହଣ କରିଥିବା ବେଳେ ସୋନିଆ ଗାନ୍ଧୀ କୋଭିଡରେ ଆକ୍ରାନ୍ତ ହେବା କାରଣରୁ ହାଜର ହୋଇନଥିଲେ । ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଅନ୍ୟ ଏକ ସାନି ସମନ ଜାରି କରିଥିଲା ତଦନ୍ତକାରୀ ସଂସ୍ଥା । ସୋନିଆ 21ରେ ହାଜର ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ