ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ନିର୍ବାଚନ ମୋଡରେ କଂଗ୍ରେସ ପାର୍ଟି । ଆରମ୍ଭ କରି ଦେଇଛି ନିର୍ବାଚନୀ ଷ୍ଟ୍ରାଟେଜି । ଲୋକସଭା ନିର୍ବାଚନ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ପାଇଁ ସ୍ବତନ୍ତ୍ର ରଣନୀତି କରିଛି ଦଳ । ଦିଲ୍ଲୀରେ ଦଳର ମୁଖ୍ୟାଳୟରେ ବସିଥିବା ବୈଠକରେ ୨୦୨୪ ନିର୍ବାଚନ ଏବଂ ନ୍ୟାୟ ଯାତ୍ରା ପାଇଁ ପ୍ରସ୍ତୁତି କରାଯାଇଛି । ବୈଠକରେ ସାମିଲ ହୋଇଥିଲେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧିଙ୍କ ସମେତ ଦଳର ବହୁ ତୁଙ୍ଗ ନେତା ।
କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏଥିରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ସହ ଇଣ୍ଡିଆ ମେଣ୍ଟ ସହ ସିଟ୍ ସେୟାରିଂ ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ପଞ୍ଜାବ, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭାଗୁଆଳି ଦଳଗୁଡ଼ିକ ସହ କିପରି ସିଟ୍ ଭାଗବଣ୍ଟା ହେବ ତାକୁ ନେଇ ଚର୍ଚ୍ଚା ହୋଇଛି । ଏହି ବୈଠକରେ ସବୁ ରାଜ୍ୟର ଏଆଇସିସି ଇନଚାର୍ଡ, ରାଜ୍ୟ ପିସିସି ମୁଖ୍ୟ ଏବଂ ସିଏଲପି ନେତାମାନେ ଯୋଗ ଦେଇଥିଲେ । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।
ଏହା ମଧ୍ଯ ପଢ଼ନ୍ତୁ : ମୁଁ ଇଣ୍ଡିଆ ମେଣ୍ଟ ଉପରେ କ୍ରୋଧିତ ନୁହେଁ: ନୀତିଶ
ପଞ୍ଜାବ, ଦିଲ୍ଲୀ, ୟୁପି ଓ ପଶ୍ଚିମବଙ୍ଗ ଫର୍ମୂଲା :
ଇଣ୍ଡିଆ ମେଣ୍ଟ ଦଳଗୁଡ଼ିକ ସହ ସିଟ୍ ଭାଗବଣ୍ଟାକୁ ନେଇ ଦଳ ୫ ଜଣିଆ କମିଟି ଗଠନ କରିଥିଲା । ଏହି କମିଟି ହାଇକମାଣ୍ଡ ଖଡ଼ଗେଙ୍କୁ ରିପୋର୍ଟ ପ୍ରଦାନ କରିଥିବା ବେଳେ, ଏହା ଉପରେ ବିସ୍ତ୍ରୃତ ଭାବେ ଚର୍ଚ୍ଚା ହୋଇଛି । ତେବେ ପଞ୍ଜାବ, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ସିଟ୍ ସେୟାରିଂକୁ ନେଇ ସମସ୍ୟା ଥିବା ଶୁଣିବାକୁ ମିଳୁଛି । କାରଣ ପଞ୍ଜାବ ଏବଂ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି, ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏହଂ ପଶ୍ଟିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସହ କେମିତି ସିଟ୍ ଭାଗବଣ୍ଟା କରାଯିବ, ତାକୁ ନେଇ ଚିନ୍ତାରେ ଗ୍ରାଣ୍ଡ ଓଲ୍ଡ ପାର୍ଟି । ସୂତ୍ର ଅନୁସାରେ, ଦଳର କିଛି ନେତା ଦିଲ୍ଲୀ ଓ ପଞ୍ଜାବରେ ଆପ୍ ସହ ମେଣ୍ଟ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ତେବେ ପଞ୍ଜାବର କଂଗ୍ରେସ ଲୋକସଭା ସାଂସଦମାନେ ମେଣ୍ଟ ସପକ୍ଷରେ ଅଛନ୍ତି । ପଞ୍ଜାବରେ ବିଜେପିକୁ ଚେକ୍ ଦେବାକୁ ଆପ୍ ସହ ମେଣ୍ଟ ଜରୁରୀ ବୋଲି କିଛି କଂଗ୍ରେସ ନେତା ମତ ଦେଇଛନ୍ତି ।
ଏହା ମଧ୍ଯ ପଢ଼ନ୍ତୁ : ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରା-2 ! ରାହୁଲଙ୍କୁ ଅନୁରୋଧ କଲା ଦଳ
୪ ରାଜ୍ୟରେ ସିଟ୍ ସେୟାରିଂ ସମସ୍ୟା !
ପଞ୍ଜାବରେ ମୋଟ ୧୩ ଲୋକସଭା ଆସନରୁ କଂଗ୍ରେସ ନିକଟରେ ୯ଟି ସିଟ୍ ଥିବା ବେଳେ, ଆପ୍ ରୁ ୫ ସାଂସଦ ଅଛନ୍ତି । ସେହିପରି ଦିଲ୍ଲୀରେ ମୋଟ ୭ଟି ଲୋକସଭା ଆସନ । ୨୦୧୯ରେ ବିଜେପି ସବୁ ଆସନରେ ବିଜୟୀ ହୋଇଥିବା ବେଳେ, ଦ୍ବିତୀୟ ସ୍ଥାନରେ ଥିଲା ଆପ୍ । ୨୦୨୪ ନିର୍ବାଚନରେ ଏଠାରୁ କଂଗ୍ରେସ ୩ରୁ ୪ ସିଟ୍ ଦାବି କରୁଥିବା ବେଳେ, ଆମ ଆଦମୀ ପାର୍ଟି ଏତେ ଆସନ ଛାଡ଼ିବାକୁ ନାରାଜ। ଯାହାକୁ ନେଇ ବିବାଦ ତୁଟୁନି । ସେହିପରି ଉତ୍ତର ପ୍ରଦେଶରେ କଂଗ୍ରେସରୁ ମାତ୍ର ଜଣେ ( ସୋନିଆ ଗାନ୍ଧି, ରାୟବରେଲୀ ସିଟ୍) ସାଂସଦ ଥିବା ବେଳେ, ସମାଜବାଦୀ ପାର୍ଟି କେତେ ଆସନ ଛାଡ଼ିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଅନ୍ୟପକ୍ଷରେ ପଶ୍ଟିମବଙ୍ଗରେ ସୋଲୋ ଲଢ଼େଇ ପାଇଁ ପୂର୍ବରୁ ଆଭାସ ଦେଇ ସାରିଛନ୍ତି ଦିଦି । ତେଣୁ ଅଧାରେ ଲଟକି ରହିଛି ଏହି ରାଜ୍ୟଗୁଡ଼ିକରେ ସିଟ୍ ସେୟାରିଂ ଫର୍ମୂଲା ।
ଏହା ମଧ୍ଯ ପଢ଼ନ୍ତୁ : 'ଭାରତ ନ୍ୟାୟ ଯାତ୍ରା' ପରେ କଂଗ୍ରେସ ଜିତିବ ୧୫୦ ଲୋକସଭା ଆସନ !
ରାହୁଲଙ୍କ ଯାତ୍ରା 2:0 :
ଆସନ୍ତା ୧୪ରୁ ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା । ମଣିପୁରରୁ ଯାତ୍ରା ଆରମ୍ଭ ହୋଇ ମୁମ୍ବାଇରେ ହେବ ଶେଷ । ୬,୨୦୦ କିଲୋମିଟର ଯାତ୍ରା । ୧୪ ରାଜ୍ୟର ୮୫ ଜିଲ୍ଲାରେ ପଦଯାତ୍ରା । ଏଥିରେ ରହିଛି ଓଡ଼ିଶାର ୫ରୁ ଅଧିକ ଜିଲ୍ଲା । ରାହୁଲ ନ୍ୟାୟ ଯାତ୍ରାର ଆରମ୍ଭ ପାଖେଇ ଆସୁଥିବା ବେଳେ, ଆଜିର ବୈଠକରେ ଯାତ୍ରା ସଂପର୍କରେ ଆଲୋଚନା ହୋଇଛି । ଏନେଇ ସଂପୃକ୍ତ ରାଜ୍ୟଗୁଡ଼ିକରେ ଦଳର ପଦାଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି କଂଗ୍ରେସର ଶୀର୍ଷ ନେତୃତ୍ବ । ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା କନ୍ୟାକୁମାରୀରୁ କାଶ୍ମୀର ସଫଳ ହେବା ପରେ, କଂଗ୍ରେସ ଯୁବରାଜଙ୍କ ପାର୍ଟ ଟୁ ଯାତ୍ରାକୁ ସଫଳ କରିବାକୁ ଲାଗି ପଡ଼ିଛି ଗ୍ରାଣ୍ଡ ଓଲ୍ଡ ପାର୍ଟି ।
ବ୍ୟୁରୋ ରିିପୋର୍ଟ, ଇଟିଭି ଭାରତ