ପାଟନା: ଚନ୍ଦ୍ରଯାନ-3କୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ। ଇସ୍ରୋର ବୈଜ୍ଞାନିକମାନଙ୍କୁ ଗତ 17 ମାସ ଧରି ଦରମା ମିଳିନଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଦିଗବିଜୟ। ସେ କହିଛନ୍ତି, "ଇସ୍ରୋର ବୈଜ୍ଞାନିକମାନଙ୍କୁ ନେଇ ଆମେ ଗର୍ବ ଅନୁଭବ କରୁଛୁ। ହେଲେ ଶୁଣିବାକୁ ମିଳୁଛି ଯେ ଦିନ ରାତି ଏକ କରି କଠିନ ପରିଶ୍ରମ କରୁଥିବା ଇସ୍ରୋରେ ବୈଜ୍ଞାନିକମାନଙ୍କୁ 17 ମାସ ଧରି ସେମାନଙ୍କ ପ୍ରାପ୍ୟ ମିଳିନାହିଁ। ଯାହାକି ବିଡ଼ମ୍ବନାର ବିଷୟ।"
ସେପଟେ ଦିଗବିଜୟଙ୍କ ଏଭଳି ବୟାନ ପରେ ଜବାବ ରଖିଛି ବିଜେପି। ପ୍ରଦେଶ ଅଧ୍ୟକ୍ଷ ବି ଡି ଶର୍ମା କହିଛନ୍ତି, ଭାରତକୁ ବଦନାମ କରିବାକୁ ଦିଗବିଜୟଙ୍କ ଭଳି ଲୋକଙ୍କୁ ଆନନ୍ଦ ମିଳୁଛି। ଯାହାକି ଅତ୍ୟନ୍ତ ଦୁଃଖଦାୟକ। ଆଜିର ଦିନ ଏକ ଐତିହାସିକ ଦିବସ। ଦେଶ ପାଇଁ ଗୌରବ ଆଣିଥିବା ବୈଜ୍ଞାନିକଙ୍କୁ ନେଇ ରାଜନୀତି କରିବା ଆଦୌ ଉଚିତ ନୁହେଁ।"
ତେବେ ପୂର୍ବରୁ ମଧ୍ୟ ଅନେକ ପ୍ରସଙ୍ଗକୁ ନେଇ ବିଜେପି ସହ ମୁହାଁମୁହିଁ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। କେତେବେଳେ ଦରବୃଦ୍ଧି ତ ଆଉ କେତେବେଳେ ବେକାରୀ ସମସ୍ୟାକୁ ନେଇ ସେ ବିଜେପିକୁ ଟାର୍ଗେଟ କରି ଆସିଛନ୍ତି। ନିକଟରେ ହରିୟାଣା ନୁହରେ ହୋଇଥିବା ହିଂସା ଭଳି ମଧ୍ୟପ୍ରଦେଶରେ ମଧ୍ୟ ନିର୍ବାଚନ ପୂର୍ବରୁ ହିଂସା ହୋଇପାରେ ବୋଲି ଆକଳନ କରି ବିଜେପିକୁ କଟାକ୍ଷ କରିଥିଲେ ଦିଗବିଜୟ।
ଏହା ବି ପଢନ୍ତୁ...ହରିୟାଣା ଭଳି ମଧ୍ୟପ୍ରଦେଶରେ ଦଙ୍ଗା ଚାହୁଁଛି ବିଜେପି: ଦିଗବିଜୟ
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ଆହୁରି ମଧ୍ୟ କହିଥିଲେ, "ଯଦି ପୁଣି ଥରେ ବିଜେପି କ୍ଷମତାକୁ ଆସେ, ତେବେ ସେ ବଜରଙ୍ଗ ଦଳରେ ପ୍ରତିବନ୍ଧକ ଲଗାଇବ ନାହିଁ। ଗୁଣ୍ଡାଗର୍ଦ୍ଦି କରୁଥିବା ବ୍ୟକ୍ତି ଓ ଦଙ୍ଗାକାରୀଙ୍କୁ ଅଧିକ ପ୍ରଶୟ ଦେବ। ଏ ଦେଶ ସମସ୍ତଙ୍କ ଦେଶ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ଏବଂ ପ୍ରଧାନମନ୍ତ୍ରୀ ମୋଦି ଏହି ଦେଶକୁ ବିଭାଜନ କରିବା ବନ୍ଦ କରନ୍ତୁ ।"
ତେବେ ଆଜି ଦେଶ ପାଇଁ ଏକ ଐତିହାସିକ ଦିନ। କାରଣ ମହାକାଶରେ ନୂଆ ଇତିହାସ ରଚନା କରିଛି ଭାରତ। ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ସଫଳତା ପୂର୍ବକ ଅବତରଣ କରିଛି ଚନ୍ଦ୍ରଯାନ-3। ଏହି ସଫଳତାକୁ ନେଇ ସମଗ୍ର ଦେଶ ଉତ୍ସବମୁଖର ରହିଛି। ଅପରପକ୍ଷେ, ଚନ୍ଦ୍ରଯାନ-3ର ଲ୍ଯାଣ୍ଡିଂ ପୂର୍ବରୁ ଦିଗବିଜୟ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି।