ନୂଆଦିଲ୍ଲୀ: ଫ୍ରାନ୍ସର ଏକ ଗଣମାଧ୍ୟମ ସଂସ୍ଥା ବହୁଚର୍ଚ୍ଚିତ ରାଫେଲ ଚୁକ୍ତିରେ ଲାଞ୍ଚ କାରବାର ହୋଇଥିବା ନେଇ ଖବର ପ୍ରକାଶ କରିବା ପରେ ଭାରତରେ କେନ୍ଦ୍ର ସରକାର ଏବଂ ବିରୋଧୀ କଂଗ୍ରେସ ମୁହାଁମୁହିଁ । ଗତକାଲି କଂଗ୍ରେସର ଆକ୍ରମଣ ପରେ ଏହି ଲାଞ୍ଚ କାରବାରରେ ସିଧାସଳଖ କଂଗ୍ରେସକୁ ଦାୟୀ କରି ଆଜି ବର୍ଷିଛି ବିଜେପି ।
ଆଜି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଦଳୀୟ ମୁଖ୍ୟାଳୟରେ ପ୍ରେସମିଟ କରି ଏହି ଲାଞ୍ଚ କାରବାର କଂଗ୍ରେସ ଶାସନ ସମୟ ଅର୍ଥାତ ମୋଦି କ୍ଷମତାକୁ ଆସିବା ପୂର୍ବରୁ ହୋଇଛି ବୋଲି ସିଧା ଟାର୍ଗେଟ କରିଛନ୍ତି । ଭାରତୀୟ ଜାତୀୟ କଂଗ୍ରସ (INC) ମାନେ I need commission ପାର୍ଟି ବୋଲି କଟାକ୍ଷ କରିଛନ୍ତି ସମ୍ବିତ ।
ସମ୍ବିତ କହିଛନ୍ତି, 2007 ରୁ 2012 ପର୍ଯ୍ୟନ୍ତ ଘଟିଥିବା ସମସ୍ତ କଳା ସତ୍ୟ ସାମ୍ନାକୁ ଆସିଛି । 2014 ନିର୍ବାଚନ ପୂର୍ବରୁ ବଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିବା ପାଇଁ ବିରୋଧୀ ଦଳ, ବିଶେଷକରି କଂଗ୍ରେସ ରାଫେଲ ଚୁକ୍ତିକୁ ଏକ ରାଜନୈତିକ ମୁଦ୍ଦା ଭାବେ ଦେଶବାସୀଙ୍କ ନିକଟରେ ରଖିଥିଲା । କେବଳ ନିର୍ବାଚନୀ ଫାଇଦା ମନୋଭାବ ନେଇ ଏଥିରେ ବଡ ଧରଣର ଦୂର୍ନୀତି ହୋଇଥବା ନେଇ ଦେଶବ୍ୟାପୀ ବାତାବରଣ ସୃଷ୍ଟି କରିବାରେ ଲାଗିଥିଲେ କଂଗ୍ରେସ ସମେତ ଅନ୍ୟ ବିରୋଧୀ । କିନ୍ତୁ ଗତକାଲି ଫରାସୀ ମିଡିଆର ତଥ୍ୟ କଂଗ୍ରେସର ୨୦୧୪ ପୂର୍ବର ଶାସନର କଳାସତକୁ ଲୋକଲୋଚନକୁ ଆଣିଛି ।
ସେହିପରି ସିଧା ରାହୁଲ ଗାନ୍ଧୀଙ୍କ ଉପରେ ପ୍ରଶ୍ନ କରି ସମ୍ବିତ କହିଛନ୍ତି , ଯେତେବେଳେ କଂଗ୍ରେସ ସମୟରେ ଏହି ଦୁର୍ନୀତି ହୋଇଛି ଓ ମଧ୍ୟସ୍ଥିଙ୍କୁ କମିଶନ ମିଳିଥିବା ଘଟଣା ଘଟିଛି ତେବେ ବର୍ଷ ତମାମ ଏହି ପ୍ରସଙ୍ଗକୁ କାହିଁକି ରାଜନୈତିକ ମୁଦ୍ଦା କରି ଦେଶବାସୀଙ୍କୁ କଂଗ୍ରେସ ଓ ରାହୁଲ ଗାନ୍ଧୀ ଭ୍ରମିତ କଲେ । ବର୍ତ୍ତମାନ ରାହୁଲ ଗାନ୍ଧୀ ତାର ଉତ୍ତର ରଖନ୍ତୁ ।
ଅନ୍ୟପକ୍ଷରେ, ଫରାସୀ ପତ୍ରିକାର ଏହି ବିସ୍ଫୋରକ ପ୍ରକାଶନରେ ରାହୁଲ ଗାନ୍ଧୀ ମଧ୍ୟ ମୁହଁ ଖୋଲିଛନ୍ତି । ରହୁଲ କହିଛନ୍ତି ସତ୍ୟ ସହ କଂଗ୍ରେସ ସବୁବେଳେ ଅଛି । ରାଫେଲ ଚୁକ୍ତିରେ ମୋଦି ସରକାର କରିଥିବା ଦୁର୍ନୀତିରୁ ପରଦା ହଟାଇବା ପାଇଁ କଂଗ୍ରେସ କେବେ ପଛକୁ ହଟିବ ନାହିଁ । ସେ ଏହି ଦୁର୍ନୀତି ବିରୋଧରେ ଲଢେଇ ଜାରି ରଖିବା ଦଳର କର୍ମକର୍ତ୍ତାଙ୍କୁ ଆହ୍ବାନ ମଧ୍ୟ ଦେଇଛନ୍ତି । ବିଜେପି ପ୍ରବକ୍ତା ସମ୍ବିତଙ୍କ ଆରୋପର ଜବାବ ଦେଇ କଂଗ୍ରେସ ମୁଖପାତ୍ର ପଓ୍ବନ ଖେଡା କହିଛନ୍ତି ଯେ ମୋଦି ସରକାର ଦେଶର ସବୁଠାରୁ ବଡ ପ୍ରତିରକ୍ଷା ସ୍କାମ ହୋଇଛି । 526 କୋଟିର ଚୁକ୍ତି ଅଧିକ 1600 କୋଟିରେ ହୋଇଛି, ଯାହା ମଧ୍ୟ ବିନା ଟେଣ୍ଡରରେ । ତେଣୁ ତାହା ତଦନ୍ତର ବିଷୟ ।
ଗତକାଲି (ରବିବାର) ଫ୍ରାନ୍ସର ଅନଲାଇନ୍ ମାଗାଜିନ ମିଡିଆପାର୍ଟ ଏକ ଖବର ପ୍ରକାଶନରେ ଦର୍ଶାଇଥିଲା ଯେ, ଏହି ବହୁଚର୍ଚ୍ଚିତ ଚୁକ୍ତିକୁ ସଫଳ କରିବା ପାଇଁ ଫରାସୀ ବିମାନ ନିର୍ମାତା କମ୍ପାନୀ ‘ଡାସଲ୍ଟ ଆଭିଏସନ’ ଭାରତୀୟ ମଧ୍ୟସ୍ଥି ସୁଶେନ ଗୁପ୍ତାଙ୍କୁ ପ୍ରାୟ 65 କୋଟି ଟଙ୍କା ଲାଞ୍ଚ ଦେଇଛି । ଆହୁରି ମଧ୍ୟ ଭାରତୀୟ ତଦନ୍ତକାରୀ ସଂସ୍ଥା CBI-ED ଏହା ଜାଣିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଇ ନଥିଲେ । ତେବେ ଏପ୍ରକାର ଖବର ପ୍ରକାଶନ ପରେ ତତ୍କାଳୀନ କଂଗ୍ରେସ ସରକାର ଓ ବର୍ତ୍ତମାନର ବିଜେପି ସରକାର ଉଭୟ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ