ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶକୁ ବିକ୍ରି କରୁଛନ୍ତି । ଏଭଳି ମନ୍ତବ୍ୟ ଗତ କିଛି ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିଲେ । ଯାହାକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ମୁଖତାର ଆବାସ ନକଭୀ । ସେ କହିଛନ୍ତି ଯେ, ରାହୁଲ ମନଗଢା କାହାଣୀ କହି ଅନେକ ସମୟରେ ସରକାରଙ୍କୁ ବଦନାମ କରୁଛନ୍ତି । ଯାହା ମୂଲ୍ୟହୀନ ଓ ଭିତ୍ତିହୀନ । ପ୍ରଥମେ କଂଗ୍ରେସ ଦଳ ଏକ ଜାତୀୟ ଦଳ ଥିଲା । କିନ୍ତୁ ଏବେ କଂଗ୍ରେସ ଏକ କିଟି ପାର୍ଟିରେ ପରିଣତ ହୋଇଛି ବୋଲି ସେ କହିଛନ୍ତି । ଯେଉଁଠାରେ ଲୋକମାନେ କେବଳ ଥଟ୍ଟା କରନ୍ତି । ଦଳର ନେତା ମାନେ ଯାହା କୁହନ୍ତି ସେ ସବୁ କପୋରକଳ୍ପିତ ।
ସେପଟେ ମହମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବର୍ଗର ଲୋକଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରିଛନ୍ତି । ଜାତି, ଧର୍ମ ନିର୍ବିଶେଷରେ ଅନ୍ୟ ଦେଶରେ ଅଟକି ରହିଥିବା ସମସ୍ତଙ୍କୁ ସାହାଯ୍ୟ କରିଥିଲେ। ତେଣୁ ଲୋକମାନେ କିଛି କହିବା ପୂର୍ବରୁ ଚିନ୍ତା କରିବା ଉଚିତ। କେନ୍ଦ୍ର ସରକାର ଦେଶକୁ ବିକ୍ରି କରୁଛନ୍ତି ବୋଲି ରାହୁଲ ଅନେକ ସମୟରେ ଟୁଇଟ ମଧ୍ୟ କରିଛନ୍ତି । ସରକାର ଦେଶର ସମ୍ପତ୍ତିକୁ ବିକ୍ରି କରି ନାହାନ୍ତି । ବଂର ଲିଜ ଆକାରରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ବାରା ରାଜସ୍ବ ବୃଦ୍ଧି ହେବ ।
କେନ୍ଦ୍ର ସରକାର ନ୍ୟାସନାଲ ମୋନେଟାଇଜେସନ୍ ପାଇପଲାଇନ (ଏନଏମପି) ଆରମ୍ଭ କରିଛନ୍ତି । ଆର୍ଥିକ ବର୍ଷ 2022- 2025ରୁ ଜାତୀୟ ରାଜପଥ, ହୋଟେଲ, ରେଳ ମାର୍ଗ, ବିମାନ ବନ୍ଦର, ବନ୍ଦର , ବସଷ୍ଟାଣ୍ଡ, ପାନ୍ଥଶାଳା, ଅବ୍ୟବହୃତ ଜମି ଭଳି କ୍ଷେତ୍ରକୁ କେନ୍ଦ୍ର ସରକାର ଲିଜ ସୂତ୍ରରେ ଦେବାକୁ ନିଷ୍ପତି ନେଇଛନ୍ତି । ଯାହା ଦ୍ବାରା ଦେଶକୁ ରାଜସ୍ବ ମିଳିବ ।